୧୭ରେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀଙ୍କ ମହାସମାବେଶ

ଭୁବନେଶ୍ୱର, ୪।୧୨ (ବ୍ୟୁରୋ): ରାଜ୍ୟ ସରକାର ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜର ସମସ୍ୟାକୁ ଅଣଦେଖା କରିବା ପ୍ରତିବାଦରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ରାଜ୍ୟର ୩୧୪ଟି ବ୍ଲକ୍‌ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସମସ୍ୟାର ସମାଧାନ ନ କଲେ ସମିତି ରାଜରାସ୍ତାକୁ ଓହ୍ଲାଇବ ବୋଲି ପୂର୍ବରୁ ସରକାରଙ୍କୁ ଚରମ ଚେତାବନୀ ଦେଇଥିଲା। ତେବେ ପ୍ରାରମ୍ଭିକ ଭାବେ ରାଜ୍ୟର ସମସ୍ତ ବ୍ଲକରେ ଶତାଧିକ ସଂଖ୍ୟାରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ପଟୁଆରରେ ଆସି ବ୍ଲକ୍‌ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛିନ୍ତି। ରବିବାର ରାଜ୍ୟର ସମସ୍ତ ଜିଲାର ସଦର ମହକୁମାରେ ସମନ୍ବୟ ସମିତିର କନ୍‌ଭେନଶନ ଅନୁଷ୍ଠିତ ହେବାସହ ୭ ତାରିଖରେ ଜିଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ସ୍ମାରକପତ୍ର ଉପରୋକ୍ତ ଅଧିକାରୀମାନଙ୍କୁ ପୁଣି ପ୍ରଦାନ କରାଯିବ। ଏହାସତ୍ତ୍ବେ ସରକାର ଦାବି ପୂରଣ ନ କଲେ ଡିସେମ୍ବର ୧୭ ତାରିଖରେ ଭୁବନେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ ମହାସମାବେଶ କରିବାକୁ ବାଧ୍ୟହେବେ ବୋଲି ସମିତିର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି ଏବଂ ପବିତ୍ର ମହାଲା ଚେତାବନୀ ଦେଇଛନ୍ତି।

Share