ବିଏସଏଫ ଯବାନ ତୁଷାର ବାଗଙ୍କୁ ଥୁଆମୂଳ ରାମପୁରରେ ଭବ୍ୟ ସମ୍ବର୍ଦ୍ଧନା

ଥୁଆମୂଳ ରାମପୁର,୧୫।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଜଣେ ଶ୍ରମିକ ଦିନ ମଜୁରିଆଙ୍କ ପୁଅ ତୁଷାର ବାଗ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ ଚୟନ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ପ୍ରାରମ୍ଭିକ ୬ ମାସର ତାଲିମ ଶେଷକରି ଗାଁକୁ ଫେରିବା ପରେ ଗ୍ରାମବାସୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। “ଭାରତ ମାତା କି ଜୟ” ଓ “ଜୟ ଜବାନ” ଧ୍ୱନିରେ ସମ୍ପୂର୍ଣ୍ଣ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା ପୁରା ଗାଁ। ତୁଷାର ପହଞ୍ଚିବା ପରେ ପରିବାର ଓ ଗ୍ରାମବାସୀ ତାଙ୍କୁ ସ୍ଥାନୀୟ ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିରକୁ ନେଇଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ଗ୍ରାମବାସୀ ତାଙ୍କୁ ଫୁଲମାଳ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ପରେ ପଟୁଆରରେ ନିଜ ଘର ଜଗନ୍ନାଥ କଲୋନିକୁ ଯିବା ସମୟରେ ମା’ ଭଣ୍ଡାରଘରଣୀଙ୍କ ଦର୍ଶନ କରିଥିଲେ। ପହଞ୍ଚିବା ପରେ ପଡ଼ାବାସୀ ତାଙ୍କ ଉପରେ ପୁଷ୍ପବୃଷ୍ଟିକରି ଶୁଭେଚ୍ଛା ଜଣାଇଥିଲେ। ପୁଅ ଦେଶସେବା ପାଇଁ ସୁଯୋଗ ପାଇଥିବାରୁ ଆମେ ଗର୍ବିତ ବୋଲି ପିତା ବୈଦ୍ୟନାଥ ବାଗ କହିଛନ୍ତି। ସେହିପରି ଅନେକ ସଂଘର୍ଷ ପରେ ଆଜି ଏହି ସଫଳତା ମିଳିଛି। ଘରେ ପହଞ୍ଚିବା ପରେ ଯବାନ ତୁଷାର ନିଜ ପିତା-ମାତାଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନେବା ସହ ଉଭୟଙ୍କୁ ସାଲୁଟ୍ କରି ନିଜର ସୈନିକ ଟୋପି ପିନ୍ଧାଇଥିଲେ। ଏହି ଆବେଗପୂର୍ଣ୍ଣ ମୁହୂର୍ତ୍ତରେ ପରିବାରବର୍ଗ ଭାବବିହ୍ୱଳ ହୋଇପଡ଼ିଥିଲେ ତାଲିମ ସାରି ଗାଁକୁ ଫେରିବା ପରେ ଅଞ୍ଚଳବାସୀଙ୍କ ଭବ୍ୟ ସ୍ବାଗତ ଦେଖି ଅତ୍ୟନ୍ତ ଆନନ୍ଦିତ ବୋଲି ତୁଷାର କହିଛନ୍ତି।

ପିତା ବୈଦନାଥ ବାଗ କହିଛନ୍ତି, “ପୁଅ ଦେଶସେବା ପାଇଁ ସୁଯୋଗ ପାଇଥିବାରୁ ଆମେ ଗର୍ବିତ। ମୁଁ ତାକୁ ଆରମ୍ଭରୁ ହିଁ କହିଥିଲି ଯେ, ଯେତେ କଷ୍ଟ କିମ୍ବା ବାଧାବିଘ୍ନ ଆସିଲେ ବି ଦେଶ ପାଇଁ ଗୌରବ ଆଣିବୁ। ଏହି ପୁଅ କେବଳ ଆମର ନୁହେଁ, ସେ ଦେଶ ମାତୃକାର ସେବା ପାଇଁ ସମର୍ପିତ।” ଯବାନ ତୁଷାର ବାଗ କହିଛନ୍ତି, “ମୁଁ ବିଗତ ୫ ବର୍ଷ ଧରି ଏଥିପାଇଁ ପ୍ରସ୍ତୁତି କରୁଥିଲି। ଏହା ମୋର ଶେଷ ସୁଯୋଗ ଥିଲା। ଅନେକ ସଂଘର୍ଷ ପରେ ଆଜି ମୋତେ ଏହି ସଫଳତା ମିଳିଛି। ତାଲିମ ସାରି ଗାଁକୁ ଫେରିବା ପରେ ଅଞ୍ଚଳବାସୀଙ୍କ ଏହି ଭବ୍ୟ ସ୍ୱାଗତ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ।”

ସୂଚନାଯୋଗ୍ୟ, ତୁଷାର ଗତ ଜାନୁଆରୀରେ ଏସ୍‌ଏସ୍‌ସିଜିଡି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଏସ୍‌ଏଫ୍‌ରେ ଚୟନ ହୋଇଥିଲେ। ହରିୟାଣାର ହିସାରସ୍ଥିତ କ୍ୟାମ୍ପରେ ତାଙ୍କର ୬ ମାସର ପ୍ରାରମ୍ଭିକ ତାଲିମ ସରିଥିଲେ ମଧ୍ୟ ଆଉ ୬ ମାସର ତାଲିମ ପରେ ତାଙ୍କର ନିୟମିତ ପୋଷ୍ଟିଂ ହେବ। ଏହି ବ୍ଲକ୍‌ର ଓଡ୍ରି ପଞ୍ଚାୟତ କେନ୍ଦୁମୁଣ୍ଡି ଗ୍ରାମର ଶ୍ରୀକାନ୍ତ ନାଏକ ମଧ୍ୟ ବିଏସ୍‌ଏଫ୍‌ରେ ସାମିଲ ହୋଇ ତୁଷାରଙ୍କ ସହ ମା’ ମାଣିକେଶ୍ୱରୀଙ୍କ ଦର୍ଶନକରି ନିଜ ଗାଁକୁ ଯାଇଛନ୍ତି। ସେହିପରି ଗୋପାଳପୁର (ପୋଖରୀ ଭଟାଗୁଡ଼ା) ଗ୍ରାମର ମୁନା ନାଏକ ସିଆଇଏସ୍‌ଏଫ୍‌ରେ ଚୟନ ହୋଇଛନ୍ତି।

 

Dharitri – Odisha’s No.1 Odia Daily

Share