ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍’ର ପ୍ରତିଷ୍ଠାତା ଏବଂ ସକ୍ରିୟ ସଦସ୍ୟ ଭାବେ ସେ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି। ବ୍ୟବସାୟିକ ଯାତ୍ରା ସମ୍ପର୍କରେ ହର୍ଷିତଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର…
ପ୍ର- ରୟାଲ ଏନ୍ଫିଲ୍ଡ ବିକ୍ରି ୨୦୨୫ରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ଭାରତରେ ୧୦ ଲକ୍ଷରୁ ଅଧିକ ୟୁନିଟ୍ ବିକ୍ରି ହୋଇଛି। ୨୦୨୪ ତୁଳନାରେ ଏହା ୨୫% ବଢ଼ିଛି। ଓଡ଼ିଶା ବଜାରରେ ମଧ୍ୟ ଏପରି ଉତ୍ସାହ ଆପଣ ଲକ୍ଷ୍ୟ କରୁଛନ୍ତି କି?
ଉ- ହଁ, ଏହା ସତ୍ୟ। ଭୁବନେଶ୍ୱରରେ ଆମର ରିଟେଲ ବିକ୍ରିରେ ୫୧% ବୃଦ୍ଧି ଦେଖାଯାଇଛି ଏବଂ ଏହା ରୟାଲ ଏନ୍ଫିଲ୍ଡର ମାର୍କେଟ ଶେୟାରରେ ମଧ୍ୟ ପ୍ରତିଫଳିତ ହୋଇଛି। ଭୁବନେଶ୍ୱରର ପ୍ରିମିୟମ୍ ମୋଟରସାଇକେଲ ସେଗମେଣ୍ଟରେ ରୟାଲ ଏନ୍ଫିଲ୍ଡର ବଜାର ଅଂଶଧନ ୩୦%ରୁ ୩୨% କୁ ବୃଦ୍ଧି ପାଇଛି ଏବଂ ସମଗ୍ର ଓଡ଼ିଶାରେ ଏହା ୩.୯%ରୁ ବୃଦ୍ଧି ପାଇ ୨୯.୯%ରେ ପହଞ୍ଚିଛି।
ପ୍ର- ଭୁବନେଶ୍ୱରର ପ୍ରମୁଖ ମୋଟରସାଇକଲ ଡିଲରମାନଙ୍କ ମଧ୍ୟରୁ ଜଣେ ହୋଇଥିବାବେଳେ ଆପଣଙ୍କ ମତରେ ଏହି ଶିଳ୍ପ ବର୍ତ୍ତମାନ କେଉଁ ପ୍ରମୁଖ ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହେଉଛି?
ଉ- ଜିଏସ୍ଟି ୨.୦ ଲାଗୁ ହେବା ପରେ ୩୫୦ସିସି ମୋଟରସାଇକେଲରେ ଟିକସ ୨୮%ରୁ ୧୮%କୁ ହ୍ରାସ ପାଇବା ଯୋଗୁ ଚାହିଦାରେ ବୃଦ୍ଧି ହୋଇଛି। ଆମେ ଏହି ବର୍ଦ୍ଧିତ ଚାହିଦାର ପ୍ରାୟ ୭୫ରୁ ୮୦% ପୂରଣ କରିବାରେ ସଫଳ ହୋଇଛୁ ଏବଂ ଏହାସହ ଆମେ ଆମର ରିଟେଲ ବିକ୍ରିରେ ୫୦%ରୁ ଅଧିକ ବୃଦ୍ଧି ହାସଲ କରିଛୁ।
ପ୍ର- ଯୁକ୍ତରାଷ୍ଟ୍ର ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି ହାର୍ଲେ-ଡେଭିଡଶନ ବାଇକ୍ଗୁଡ଼ିକୁ ଶସ୍ତା କରିଦେବ, ରୟାଲ ଏନ୍ଫିଲ୍ଡ ଉପରେ ଏହା ପ୍ରଭାବ ପକାଇବ କି?
ଉ- ମୁଁ ବିଶ୍ୱାସ କରେ ଯେ କୌଣସି ଉତ୍ପାଦ କେବଳ ରିହାତି କିମ୍ବା ମାଗଣା ଉପହାର ଦେଇ ବିକ୍ରି କରାଯାଇପାରିବ ନାହିଁ। ଭାରତରେ, ଏକ ଭଲ ଉତ୍ପାଦ ତାହାର ଗୁଣବତ୍ତା ଏବଂ ଠିକ୍ ମୂଲ୍ୟ ପାଇଁ ଆଦୃତ ହୁଏ। ଆମର ବଢ଼ୁଥିବା ବିକ୍ରି ଏହାର ସବୁଠାରୁ ବଡ଼ ପ୍ରମାଣ।
ପ୍ର- ଏପର୍ଯ୍ୟନ୍ତ ଆପଣଙ୍କର ଯାତ୍ରା କିପରି ଥିଲା? ଆପଣଙ୍କର ସ୍ବତନ୍ତ୍ରତା (ୟୁନିକ୍ ସେଲିଂ ପଏଣ୍ଟ) କ’ଣ?
ଉ- ୩ ବର୍ଷ ପୂର୍ବେ ଜୟବାବା ଆରମ୍ଭ ହେବା ଦିନଠାରୁ ଏହାର ନେତୃତ୍ୱ ନେବା ଏକ ଚମତ୍କାର ଅନୁଭୂତି ରହିଛି। ଗ୍ରାହକମାନଙ୍କୁ ସର୍ବୋତ୍ତମ ଅନୁଭୂତି ପ୍ରଦାନ କରିବା ଏବଂ ସେମାନଙ୍କୁ ଏହି ସ୍ବତନ୍ତ୍ର ରାଇଡିଂ ସଂସ୍କୃତି ସହ ପରିଚିତ କରାଇବା ଆମର ଲକ୍ଷ୍ୟ ଥିଲା। ‘ଜୟବାବା ଟ୍ରାଇବ୍’ ହେଉଛି ଆମର ଏକ ରାଇଡିଂ ଗ୍ରୁପ୍, ଯାହା ରାଇଡିଂକୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ କରାଯାଇଥିଲା ଏବଂ ସମୟ ସହିତ ଏହା ଆହୁରି ବଡ଼ ଓ ଉନ୍ନତ ହେବାରେ ଲାଗିଛି। ଆମର ‘ନେଟ ପ୍ରୋମୋଟର ସ୍କୋର’ ୫୦ ରୁ ଅଧିକ ରହିଛି, ଯାହା ଶିଳ୍ପ ମାନଦଣ୍ଡଠାରୁ ଅଧିକ ଏବଂ ଆମର ସଫଳତାର ସୂଚକ।
ପ୍ର- ଜଣେ ଉଦ୍ୟୋଗୀ ଭାବରେ ଆପଣ କାହିଁକି ଏହି ବ୍ୟବସାୟକୁ ବାଛିଲେ? ନୂତନ ଭାବେ ଏହି କ୍ଷେତ୍ରକୁ ଆସୁଥିବା ବ୍ୟକ୍ତିଙ୍କୁ ଆପଣ କ’ଣ ପରାମର୍ଶ ଦେବେ?
ଉ- ବାଇକିଂ ସବୁବେଳେ ମୋର ପ୍ୟାଶନ୍ ରହିଛି ଏବଂ ମୁଁ ମାନସିକ ସୁସ୍ଥତା ପାଇଁ ବାଇକ ଚଳାଏ। ମୁଁ ଏପରି ଏକ ବ୍ୟବସାୟରେ ମୋର ସମ୍ପୃକ୍ତି ଚାହୁଁଥିଲି, ଯାହା ମୋତେ ଉତ୍ସାହିତ କରିବା ସହ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରେରଣା ଦେବ। ମୁଁ ବରଂ କହିବି ଯେ ଏକ ସୁଯୋଗ ପାଇଲି ଏବଂ ଜଣେ ରୟାଲ ଏନଫିଲ୍ଡ ଡିଲର ହୋଇଗଲି। ବର୍ତ୍ତମାନ ନିଜ ସ୍ବପ୍ନକୁ ସାକାର କରିବା ସହ ନିଜ ପସନ୍ଦର ବ୍ୟବସାୟ କରୁଛି। ଯୁବପିଢ଼ିଙ୍କୁ କହିବି, ସେମାନେ ଯାହା କରିବାକୁ ଭଲ ପାଆନ୍ତି ତାହା କରନ୍ତୁ। ତାହା ସେମାନଙ୍କୁ ସର୍ବୋତ୍ତମ ସଫଳତା ଦେବ।

