ସହପାଠୀଙ୍କୁ ପଢ଼ାଉଛନ୍ତି ମେଧାବୀ

ବଇଣ୍ଡା,୧୬।୯(ପରିକ୍ଷିତ ସାହୁ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଆହ୍ବାନ କ୍ରମେ ୩ ଦଫା ଦାବି ପୂରଣ ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ଓ କିଶୋରନଗର ବ୍ଲକର ଶିକ୍ଷୟିତ୍ରୀ ଶିକ୍ଷକମାନେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଚଳାଇଛନ୍ତି। ଏହି ଆନ୍ଦୋଳନରେ ଆଠମଲ୍ଲିକ ବ୍ଲକର ୧୯୩ ବିଦ୍ୟାଳୟର ୫୭୬ ଜଣ ଏବଂ କିଶୋରନଗର ବ୍ଲକର ୧୬୩ ବିଦ୍ୟାଳୟର ୩୫୨ ଶିକ୍ଷୟିତ୍ରୀଶିକ୍ଷକ ସାମିଲ ହୋଇଛନ୍ତି। ଫଳରେ ଏସବୁ ସ୍କୁଲରେ ପାଠପଢା ଗୁରୁତର ପ୍ରଭାବିତ ହୋଇଛି। ଏପରି କି ଅନେକ ସ୍କୁଲରେ ଜଣେ ହେଲେ ବି ଶିକ୍ଷୟିତ୍ରୀ ଶିକ୍ଷକ ନ ଥିବାରୁ ସେଠାରେ ଶିକ୍ଷାଦାନ ଏକ ପ୍ରକାର ଠପ୍‌ ହୋଇଯାଇଛି। ଏପରି କେତେକ ବିଦ୍ୟାଳୟରେ ସହପାଠୀମାନଙ୍କୁ ମେଧାବୀ ଛାତ୍ରୀଛାତ୍ରମାନେ ପାଠ ପଢାଉଥିବା ଦେଖିବାକୁ ମିଳୁଛି।
ପ୍ରକାଶ ଯେ, ଗତ ୮ ତାରିଖରୁ ଶିକ୍ଷୟିତ୍ରୀ ଶିକ୍ଷକମାନେ ଆନ୍ଦୋଳନ ଚଳାଇଥିବାରୁ ଆଠମଲ୍ଲିକ ଓ କିଶୋରନଗର ବ୍ଲକର ସମସ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୩ ତାରିଖରୁ ଶିକ୍ଷୟିତ୍ରୀଶିକ୍ଷକମାନେ ସାମୂହିକ ଛୁଟିରେ ରହିଛନ୍ତି। ଏ ନେଇ ସେମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସାମୂହିକ ଛୁଟିର ନଥିପତ୍ର ପ୍ରଦାନ କରିଛନ୍ତି। ଅନେକ ବିଦ୍ୟାଳୟ ଖୋଲା ରହୁଥିବାବେଳେ କିଶୋରନଗର ବ୍ଲକର ୧୬୧ ବିଦ୍ୟାଳୟରେ ମାତ୍ର ଜଣେ ଲେଖାଏ ଶିକ୍ଷକ ପାଠ ପଢାଇବା ପାଇଁ ଆସୁଥିବା ଜଣାପଡିଛି। ଅନ୍ୟ ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେହିପରି ଆଠମଲ୍ଲିକ ବ୍ଲକର ଅନେକ ବିଦ୍ୟାଳୟରେ ଜଣେ ଲେଖାଏ ଶିକ୍ଷକ ଆସି ପଢାଉଥିବାବେଳେ ବିଦ୍ୟାଳୟର ମେଧାବୀ ଛାତ୍ରୀଛାତ୍ରମାନେ ସେମାନଙ୍କ ସହପାଠୀଙ୍କୁ ପାଠ ପଢାଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ କିଶୋରନଗର ବ୍ଲକ ଶିକ୍ଷକ ସଂଘ ସଭାପତି ଦିଲୀପ ପ୍ରଧାନ ଓ ଆଠମଲ୍ଲିକ ବ୍ଲକ ଶିକ୍ଷକ ସଂଘ ସଭାପତି ପଦ୍ମନାଭ ରାଉତ କହିଛନ୍ତି, ସରକାର ଶିକ୍ଷକଙ୍କ ଦାବିକୁ ନ ମାନିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ।