ଫୁଲବାଣୀ/ଚକାପାଦ/ବାଲିଗୁଡା,୧୯ା୪(ରାକେଶ କୁମାର ରାଉତ/ପ୍ରତାପ କିଶୋର ବେହେରା/ ସଞ୍ଜୟ କୁମାର ପାଣିଗ୍ରାହୀ): ଜଙ୍ଗଲକୁ ଶିକାର କରିବାକୁ ୩ ସାଙ୍ଗ ଯାଇଥିଲେ। ହେଲେ ଶିକାର କଲାବେଳେ ବନ୍ଧୁକ ଧରିଥିବା ଯୁବକଙ୍କ ଗୁଳିରେ ଜଣେ ନାବାଳକ ସାଙ୍ଗର ଜୀବନ ଚାଲିଗଲା। ଏଭଳି ଏକ ଘଟଣା କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳରେ ଘଟିଛି ା ମୃତ ନାବାଳକ ହେଲେ ବୁଡ଼େଣୀ ଗ୍ରାମର ବିଭୂତି କହଁର(୧୬) । ପୋଲିସ ମୃତଦେହ ଜବତ କରିଛି। ଘଟଣାରେ ସମ୍ପୃକ୍ତ ମୃତ ନାବାଳକଙ୍କ ୨ ସହଯୋଗୀ ଫେରାର ଅଛନ୍ତି ା ତେବେ ବନ୍ଧୁକ କେଉଁଠୁ ଆସିଲା ଏବଂ ପିଲାମାନେ ଶିକାର କରିବାକୁ ଯିବାବେଳେ ଘରଲୋକ କିପରି ଜାଣିପାରିଲେ ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛ।
ମିଳିଥିବା ସୂଚନା ଅନୁସାରେ, ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ବୁଡ଼େଣୀ ଗ୍ରାମର ବିଭୂତି ଗତ ୧୮ ତାରିଖ ରାତିରେ ଘରେ ଶୋଇଥିଲେ । ରାତି ପ୍ରାୟ ୯ଟାରେ ଗ୍ରାମର ୨ ଯୁବକ ୨ଟି ଦେଶୀ ବନ୍ଧୁକ ଧରି ତାଙ୍କ ଘରେ ପହଞ୍ଚି ନିକଟସ୍ଥ କାମୁଟି ଜଙ୍ଗଲକୁ ଶିକାର ପାଇଁ ଯିବାକୁ ବିଭୂତିଙ୍କୁ ଡାକିଥିଲେ ।
ବିଭୂତିଙ୍କ ବାପା ବାରଣ କରିଥିଲେ ମଧ୍ୟ ସେ ସାଙ୍ଗମାନଙ୍କ କଥାରେ ଶିକାର କରିବାକୁ ଯାଇଥିଲେ । ପ୍ରାୟ ଅଧଘଣ୍ଟା ପରେ ଗୁଳିଶବ୍ଦ ଶୁଭିଥିଲା। ବନ୍ଧୁକରୁ ଗୁଳି ଫୁଟି ବିଭୂତିଙ୍କ ମୃତ୍ୟୁ ହୋଇଥିବା କଥା କିଛି ସମୟ ପରେ ସମ୍ପୃକ୍ତ ଯୁବକ ଆସି ବିଭୂତିଙ୍କ ବାପା ମାଧବଙ୍କୁ କହିଥିଲେ । ପରିବାର ଓ ଗ୍ରାମ ଲୋକେ ଘଟଣାସ୍ଥଳକୁ ଯାଇ ବିଭୂତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରିପଡ଼ିଥିବା ଦେଖିଥିଲେ ।
ଏ ନେଇ ଥାନାକୁ ଜଣାଇବା ପରେ ପୋଲିସ ସେଠାରେ ପହଞ୍ଚି ମୃତଦେହ ଜବତକରି ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ଘଟଣାସ୍ଥଳରୁ ବନ୍ଧୁକ ଜବତ କରିଥିଲା। ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଏ ନେଇ ଟିକାବାଲି ଥାନା ଅଧିକାରୀ ସମୀର କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ଘଟଣାରେ ୨ଟି ବନ୍ଧୁକ ଜବତ ହୋଇଛି। ମାଧବଙ୍କ ଅଭିଯୋଗ କ୍ରମେ ଘଟଣାର ତଦନ୍ତ ଚାଲିଛି ଏବଂ ନଂ.୮୬/୨୬ରେ ଥାନାରେ ଏକ ମାମଲା ରୁଜୁ ହୋଇଛି ବୋଲି ବେହେରା କହିଛନ୍ତି ।