ବାହାରିଲାନି କାଜୁ ଜଙ୍ଗଲ ବିବାଦ ସମାଧାନର ସୂତ୍ର

ନୟାଗଡ ଅଫିସ,୫।୫: କାଜୁ ଜଙ୍ଗଲରେ ନିିଜର ପାରମ୍ପରିକ ଅଧିକାର ସାବ୍ୟସ୍ତ ସହ ନିଲାମ ପ୍ରତ୍ୟାହାର ଦାବି ନେଇ ଓଡଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ଶାଳିଆଝରୀର ଆଦିବାସୀଙ୍କ ସମେତ ଆଖପାଖ ଅଞ୍ଚଳର ଆଦିବାସୀ କରିଥିବା ଦାବି ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ କାଜୁ କର୍ପୋରଶନର ଦଶପଲ୍ଲା ସବ ଡିଭିଜିନାଲ ମ୍ୟାନେଜର ଯୋଗ ଦେଇ କହିଥିଲେ, କାଜୁ ବଗିଚା ୩ବର୍ଷ ପାଇଁ ୧୦ ହଜାର ଟଙ୍କାରେ ନିଲାମ ହୋଇଛି। ନିଲାମ ପ୍ରତ୍ୟାହାର କରିବା କ୍ଷମତା ତାଙ୍କର ନାହିଁ। ଡିଭିଜିନାଲ ମ୍ୟାନେଜର ନିଲାମ ପ୍ରତ୍ୟାହାର କରିପାରିବେ। ତେବେ ନିଲାମ ପ୍ରତ୍ୟାହାର ମନା କରିବା ପରେ ଆଦିବାସୀ ଓ କୃଷକ ସଭା ପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରି ବୈଠକରୁ ଫେରିଥିଲେ। ଘଟଣାର ସମାଧାନ ପାଇଁ ଜିଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଉଦ୍ୟମ ବିଫଳ ହୋଇଛି।
ନିଲାମ ପ୍ରତ୍ୟାହାର ଦାବିରେ ଏପ୍ରିଲ ୨୭ରେ ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଓ କୃଷକ ସଭା ପକ୍ଷରୁ ଆଦିବାସୀମାନେ ଏକ ବିକ୍ଷୋଭ କରିଥିଲେ। ଏକ ପ୍ରତିନିଧି ଦଳ ଯାଇ ଜିଲାପାଳଙ୍କୁ ସ୍ମାରକପତ୍ର ଦେବା ସହ କାଜୁ ଜଙ୍ଗଲ ନିଲାମ ପ୍ରତ୍ୟାହାର ନେଇ ଆଲୋଚନା କରିଥିଲେ। ମଙ୍ଗଳବାର ସଭାରେ ଆଦିବାସୀଙ୍କ ପକ୍ଷରୁ କୃଷକ ଓ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ପବିତ୍ର ଇନ୍ଦ୍ରଜିତ୍‌, ଗୋଲକ ବିହାରୀ ମୁଦୁଲି, ଭଗବାନ ପ୍ରଧାନ ଓ ଜଗବନ୍ଧୁ ଜାନୀ ସାମିଲ ଥିଲେ। ଏ ନେଇ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର ଓ କୃଷକ ନେତା ପବିତ୍ର ଇନ୍ଦ୍ରଜିତ୍‌ ଓ ଆଦିବାସୀ ନେତା ଜଗବନ୍ଧୁ ଜାନୀ କୁହନ୍ତି, ଦୀର୍ଘ ୧୨ ବର୍ଷ ଧରି କାଜୁ ଜଙ୍ଗଲ ନିଲାମ ହେଉ ନ ଥିଲା। ଆଦିବାସୀମାନେ ନିଲାମ ନେଇ କାଜୁ ଫସଲକୁ ଉପଭୋଗ କରୁଥିଲେ। ତେବେ ଚଳିତବର୍ଷ ମାତ୍ର ୧୦ ହଜାର ଟଙ୍କାରେ ୩ ବର୍ଷ ପାଇଁ କାହିଁକି କାଜୁ ଜଙ୍ଗଲ ନିଲାମ କରାଗଲା। ୧୧୦ ହେକ୍ଟର କାଜୁ ଜଙ୍ଗଲକୁ ଗଞ୍ଜାମରେ ଜଣେ ବ୍ୟକ୍ତିଙ୍କୁ ନିଲାମ ଦେବା ପରେ ଭିତିରି ଦେଣନେଣ ପଦାରେ ପଡିଛି। କାଜୁ କର୍ପୋରଶନର ନିଲାମ ପ୍ରତି ପଦାରେ ପଡିଛି। ଆଦିବାସୀଙ୍କ ପାରମ୍ପରିକ ଦଖଲ ଉପରେ ଆଘାତ ଦେଇ ଅଯଥାରେ ଆଇନ୍‌ଶୃଙ୍ଖଳା ବିପର୍ଯ୍ୟସ୍ତ କରିବା ଠିକ୍‌ ନୁହେଁ। ଆଦିବାସୀମାନେ ନିଜର ହକ ପାଇଁ ଲଢ଼େଇ କରିବାକୁ ଆଗଭର ହୋଇଥିବାରୁ ଅଯଥାରେ ବିବାଦ ବଢ଼ିଛି ବୋଲି ସେ କହିଛନ୍ତି ।