ଷ୍ଟ୍ରେଚରରେ ବୁହାହେଉଛି ଫୁଲଗଛ

କେନ୍ଦୁଝର,୧୬ା୧ (ସ୍ବ.ପ୍ର.) : ସ୍ଥାନୀୟ କେନ୍ଦୁଝର ମେଡିକାଲ କଲେଜ ଓ ଡାକ୍ତରଖାନା ପରିସରରେ ସୋମବାର ଏକ ଷ୍ଟ୍ରେଚରରେ ଫୁଲ ଗଛ ବୁହାଯାଉଥିଲା। ଏହାର ଫଟୋ ଭାଇରାଲ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆସୁଥିବା ରୋଗୀମାନେ ଅନେକ ସମୟରେ ଷ୍ଟ୍ରେଚର ପାଉ ନ ଥିବାରୁ ବହୁ କଷ୍ଟରେ ଚାଲି ଚାଲି କିମ୍ବା ସମ୍ପର୍କୀୟଙ୍କ ସହାୟତାରେ ଯାଉଛନ୍ତି। ମାତ୍ର ଷ୍ଟ୍ରେଚରରେ ଫୁଲ ଗଛ ବୁହା ହେବା ଘଟଣାକୁ ଅନେକ ନାପସନ୍ଦ କରିଛନ୍ତି। କାୟାକଳ୍ପ ଟିମ ପରିଦର୍ଶନରେ ଆସୁଥିବାରୁ ତରବରିଆ ଭାବରେ ମେଡିକାଲ କଲେଜ ଡାକ୍ତରଖାନା ପରିସରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଫୁଲ ଗଛ ବାହାରୁ ଆଣି ରଖାଯାଉଛି। କର୍ମଚାରୀମାନେ ଉକ୍ତ ଗଛକୁ ଷ୍ଟ୍ରେଚ୍‌ରରେ ବୋହୁଥିବାର ଦେଖାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ କେ.ସି ପୃଷ୍ଟି କହିଛନ୍ତି, ଘଟଣା ସମ୍ପର୍କରେ ଅବଗତ ନାହାନ୍ତି। ବୁଝିଲା ପରେ କହିପାରିବେ ବୋଲି ସେ କହିଥିଲେ।