ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ବହୁ ପରିମାଣର ଅବ୍ୟବହୃତ କବାଡି ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସୁରେନ୍ଦ୍ରଙ୍କ ସ୍ତ୍ରୀ ମୃତ୍ୟୁବରଣ କରିବା ପରେ ତାଙ୍କ ନାଁରେ ଥିବା ପ୍ରାୟ ୧୦ ଭରଣ ଚାଷଜମି ଗାଁର ଶ୍ରୀ ଜଗନ୍ନାଥ ମନ୍ଦିରକୁ ଦାନ ଦେଇ ଦେଇଥିଲେ। ପରେ ସେ ସାହି ସାହି ଗାଁକୁ ଗାଁ ବୁଲି ଲୋକଙ୍କ ଠାରୁ ଅବ୍ୟବହୃତ ସାମଗ୍ରୀ ସଂଗ୍ରହ କରି ଘରେ ମହଜୁଦ କରି ବାହାରୁ ଆସୁଥିବା କବାଡି ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ। ବୁଧବାର ସେ ରାତ୍ରି ଭୋଜନ ସାରି ଶୋଇଥିବା ବେଳେ ଅବ୍ୟବହୃତ କବାଡି ସାମଗ୍ରୀ ଥିବା ଗୃହରେ ଆକସ୍ମିକ ନିଆଁ ଲାଗି ଯାଇଥିଲା। ସାହି ପଡୋଶୀ ଲୋକେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଚାରିଆଡ଼େ ନିଆଁ ବ୍ୟାପି ଯାଇଥିଲା। ପରେ ଦିଗପହଣ୍ଡି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୩ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।

Odisha’s No.1 Odia Daily

Share