ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି। ମହିଳା ଜଣଙ୍କ ତାଙ୍କ ଶ୍ୱଶୁରଙ୍କ ବିରୋଧରେ ଘରୋଇ ହିଂସା ମାମଲାରେ ଅଭିଯୋଗ ଆଣିଥିଲେ। ତେବେ ତଳ କୋର୍ଟ ଶ୍ୱଶୁରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମନା କରିଦେବାରୁ ମହିଳା ଜଣକ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍ ମଧୁ ଜୈନ ମହିଳାଙ୍କ ଆବେଦନକୁ ଖାରଜ କରିଦେବା ସହ ଉପରୋକ୍ତ ରାୟ ଦେଇଛନ୍ତି।
ମହିଳାଙ୍କ ସ୍ବାମୀ ତାଙ୍କଠାରୁ ଅଲଗା ରହିବା ସହ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ। ଶ୍ୱଶୁର ନିଜ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିଲେ ବୋଲି ମହିଳା ଅଭିଯୋଗ କରିଥିଲେ। ଆଇନର ଧାରା-୩ ଅଧୀନରେ ମୌଖିକ, ଭାବପ୍ରବଣ ଏବଂ ଆର୍ଥିକ ଶୋଷଣ ଆଦି ଶାରୀରିକ କିମ୍ବା ମାନସିକ କ୍ଷତି ପହଞ୍ଚାଉଥିବା ଆଚରଣ ଆସିଥାଏ। ତେବେ ଏହାକୁ ପ୍ରୟୋଗ ପରିବା ପାଇଁ ପକ୍ଷ ମଧ୍ୟରେ କେବଳ ଘରୋଇ ସମ୍ପର୍କ ରହିବା ଯଥେଷ୍ଟ ନୁହେଁ। ବୈବାହିକ ଅସଦାଚରଣରେ ଶ୍ୱଶୁରଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ଦର୍ଶାଇ ଅଦାଲତ କହିଛନ୍ତି, ପୁଅଙ୍କୁ ନିୟନ୍ତ୍ରଣ କରି ନ ଥିବା କାରଣରୁ ତାଙ୍କୁ ଦାୟୀ କରାଯାଇପାରିବ ନାହିଁ।