ସ୍ବର୍ଗଦ୍ୱାରରେ ଭଣଜାଙ୍କ ସତ୍କାର ସାରି ଘରକୁ ଫେରୁଥିଲେ, ଟ୍ରକ୍‌ ସହ ଧକ୍କା ଯୋଗୁ ଚାଲିଗଲା ଜୀବନ

ସାକ୍ଷୀଗୋପାଳ,୬।୯(ଡି.ଏନ୍‌.ଏ./ସ୍ବ.ପ୍ର.): ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳା କନଷ୍ଟେବଳଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ମହିଳାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ ସତ୍ୟବାଦୀ ଥାନା ଅନ୍ତର୍ଗତ ହୋତା ସାହି (ଗୋପାଳପୁର ପାଟଣା) ଗ୍ରାମର ସୁଷମା ମିଶ୍ର(୪୨) ଓ ତାଙ୍କ ଘରେ ରହୁଥିବା ସମ୍ପର୍କୀୟ ସୂର୍ଯ୍ୟକାନ୍ତ ସାହୁ (୨୮)। ସୁଷମା କୋଣାର୍କ କୋର୍ଟରେ କନଷ୍ଟେବଳ ରୂପେ କାର୍ଯ୍ୟରତ ଥିଲେ। ଖବରପାଇ ସତ୍ୟବାଦୀ ପୋଲିସ ଘଟଣାସ୍ଥଳରେ ଗୁରୁତରଙ୍କୁ ମେଡିକାଲ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ସୁଷମାଙ୍କ ଭଣଜା ଜଟଣୀ ଥାନା ଅନ୍ତର୍ଗତ ବାଛେରା ଗ୍ରାମର ଜ୍ୟୋତି ରଞ୍ଜନ ଦାସ (୩୨)ଙ୍କ ପରଲୋକ ହୋଇଥିଲା। ପୁରୀ ସ୍ବର୍ଗଦ୍ୱାରରେ ଭଣଜାଙ୍କ ସତ୍କାର ଥିବାରୁ ସୁଷମାଙ୍କ ପରିବାର ଲୋକ ସୋମବାର ରାତିରେ ଯାଇଥିଲେ। କାର୍ଯ୍ୟ ସାରି ମଙ୍ଗଳବାର ସୁଷମା ତାଙ୍କ ପୁଅ ଚିନ୍ମୟ ପ୍ରସାଦ ଆଚାର୍ଯ୍ୟ (୧୮) ଓ ସମ୍ପର୍କୀୟ ସୂର୍ଯ୍ୟକାନ୍ତଙ୍କ ସହ ବାଇକ୍‌(ନଂ.ଓଡି ୧୩ ପି ୯୬୭୫) ଯୋଗେ ଘରକୁ ଫେରୁଥିଲେ। ଅପରାହ୍ନ ୪ଟା ୨୦ରେ ଭାରସାମ୍ୟ ହରାଇ ବାଇକ୍‌ଟି ବୀରଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା(ନଂ. ଓଡି ୦୧ ଓ୍ବାଇ ୯୮୫୫) ଏକ ଟ୍ରକ ପଛରେ ପିଟି ହୋଇଯାଇଥିଲା। ଫଳରେ ୩ଜଣ ବାଇକ୍‌ରୁ ଛିଟିକ୍‌ ପଡ଼ି ଗୁରୁତର ହୋଇଥିଲେ। ଖବରପାଇ ଜାତୀୟ ରାଜପଥ ପାଟ୍ରୋଲିଂ କରୁଥିବା ପୋଲିସ ଅଧିକାରୀ ସର୍ବେଶ୍ୱର ପ୍ରଧାନ ଓ ତାଙ୍କ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ପହଞ୍ଚତ୍ବାରୁ କିଛି ସମୟ ଉତ୍ତେଜନା ପରିସ୍ଥିତି ହୋଇଥିଲା। ପରେ ଅଗ୍ନିଶମ ବିଭାଗ ଅଧିକାରୀ ମନୋଜ ପାତ୍ର ଓ ଟିମ୍‌ ମଧ୍ୟ ପହଞ୍ଚି ଗୁରୁତରଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସୁଷମା ଓ ସୂର୍ଯ୍ୟକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଗୁରୁର ଚିନ୍ମୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି l ସତ୍ୟବାଦୀ ପୋଲିସ ଦୁର୍ଘଟଣାଗ୍ରସ୍ତ ୨ଗାଡ଼ିକୁ ଜବତ କରିଛି। ଏହି ଖବର ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।