ଋଣବୋଝ ନେଲା ଚାଷୀଙ୍କ ଜୀବନ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲା ଗାଇସିଲେଟ୍‌ ଥାନା ରାଇସଲପଦର ପଞ୍ଚାୟତର ଉମରାଡ ଗ୍ରାମରେ କୀଟନାଶକ ଖାଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଉକ୍ତ ଗ୍ରାମର ପଦ୍ମନ ଭୁଏ(୩୪)। ଋଣବୋଝ ତଥା ଋଣ ଅସୁଲିରେ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ତାଗିଦା ଯୋଗୁ ମାନସିକ ଭାରସାମ୍ୟ ହରାଇ ପଦ୍ମନ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ସନ୍ତୋଷିନୀ ଗାଇସିଲେଟ୍‌ ଥାନାରେ ବୁଧବାର ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଗାଇସିଲେଟ୍‌ ବ୍ଲକ ଅଧୀନ ଶରଧାପାଲି ଛକରେ ଅଞ୍ଚଳବାସୀ ଚାଷୀଙ୍କ ମୃତଦେହ ରଖି ଲୋଇସିଂହା-ପଦ୍ମପୁର ରାସ୍ତାକୁ ଅବରୋଧ କରିଥିଲେ। ମୃତ ଚାଷୀଙ୍କୁ ଦୁର୍ବ୍ୟବହାର କରିଥିବା ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କୁ ଗିରଫ, ପରିବାର ଲୋକଙ୍କୁ ଇନ୍ଦିରା ଆବାସ ଏବଂ ୫ଲକ୍ଷ ଟଙ୍କାର ବୀମା କ୍ଷତିପୂରଣ ଦେବା ପାଇଁ ସେମାନେ ଦାବି କରିଥିଲେ। ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଖବର ଲେଖାହେବା ସୁଦ୍ଧା (ରାତି ୮ଟା) ରାସ୍ତା ଅବରୋଧ ଆନ୍ଦୋଳନ ଜାରି ରହିଥିଲା।

ସୂଚନା ଅନୁସାରେ, ମୃତ ଚାଷୀ ପଦ୍ମନ ୩ ଏକର ଜମିରେ ଧାନଚାଷ କରିଛନ୍ତି। ଚାଷକାର୍ଯ୍ୟ, ସାର, କୀଟନାଶକ ପାଇଁ ମାଇକ୍ରୋ ଫାଇନାନ୍ସ ସଂସ୍ଥାରୁ ସେ ଋଣ ଆଣିଥିଲେ। ତେବେ ମଙ୍ଗଳବାର ଉକ୍ତ ମାଇକ୍ରୋ ଫାଇନାନ୍ସ ସଂସ୍ଥାର କର୍ମଚାରୀମାନେ ତାଙ୍କ ଘରକୁ ଆସି ଋଣ ପରିଶୋଧ ପାଇଁ କଟୁ ଭାଷାରେ ତାଗିଦା କରିଥିଲେ। ଅନ୍ୟପକ୍ଷେ ଋଣ ପରିଶୋଧ ପାଇଁ ଟଙ୍କା ନ ଥିବାରୁ ସେ ପରିଶୋଧ କରି ପାରି ନ ଥିଲେ ଏବଂ ପଦ୍ମନଙ୍କ ସ୍ତ୍ରୀ ସନ୍ତୋଷିନୀ ଋଣ ପରିଶୋଧ ସକାଶେ ଆବଶ୍ୟକ ଟଙ୍କା ଯୋଗାଡ଼ ପାଇଁ ତାଙ୍କ ବାପଘର ପତରାପାଲି ଗ୍ରାମକୁ ଯାଇଥିଲେ। ସେ ଫେରିବା ବେଳକୁ ପଦ୍ମନ କୀଟନାଶକ ଖାଇଦେଇଥିଲେ ବୋଲି ସନ୍ତୋଷିନୀ କହିଛନ୍ତି। ପରିବାର ଲୋକେ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।