ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି):ରାସ୍ତା ମରାମତି ପରିବର୍ତ୍ତେ କେବଳ ସୂଚନା ଫଳକରେ ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା କରାଯାଇଛି। ଏଭଳି ଘଟଣା ଥୁଆମୂଳ ରାମପୁର ବ୍ଲକର କୁମାରକାନୀ ଛକରୁ ବାଗଡ଼ିଆଣି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତାରେ ଦେଖିବାକୁ ମିଳିଛି। ସୂଚନା ଫଳକ ଅନୁସାରେ, ଏହି ୬.୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୯୯.୬୧ ଲକ୍ଷ ଟଙ୍କାର ଅଟକଳ ରହିଥିଲା। ସେହିପରି ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ଅତିରିକ୍ତ ୧୨,୯୧,୫୫୦ ଟଙ୍କା ବ୍ୟୟବରାଦ କରାଯାଇଛି। ରାସ୍ତା କାର୍ଯ୍ୟ ୨୦୧୯ ମେ’ ୨୭ରେ ଆରମ୍ଭ ହୋଇ ୨୦୨୦ ଏପ୍ରିଲ ୨୯ରେ ଶେଷ ହୋଇଥିଲା। ନିୟମ ଅନୁସାରେ ୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହି ରାସ୍ତାର ସମ୍ପୂର୍ଣ୍ଣ ଯତ୍ନ ନେବା ଦାୟିତ୍ୱ ଠିକା ସଂସ୍ଥାର ଥିବାବେଳେ ଫଳକରେ ପ୍ୟାକେଜ ନମ୍ବର ଓଆର୍-୧୭-୨୭୦ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କିନ୍ତୁ ସମୟସୀମା ଶେଷ ହେବା ପୂର୍ବରୁ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାରୁ ପିଚୁ ସ୍ତର ସମ୍ପୂର୍ଣ୍ଣ ଉଭାନ ହୋଇ ପଥର ବାହାରି ପଡ଼ିଛି। ଅନେକ ସ୍ଥାନରେ କେବୁଲ କିମ୍ବା ପାଇପ୍ ପାଇଁ ରାସ୍ତା ଖୋଳାଯାଇ କେବଳ ମାଟିରେ ପୋତି ଦିଆଯାଇଛି। ଏହି ସମସ୍ୟା ସମ୍ପର୍କରେ ଆର୍ଡି ବିଭାଗର ଯନ୍ତ୍ରୀ ଶ୍ରୀ ଆଲମଙ୍କୁ ପଚାରିବାରୁ ସେ ମନେ ନାହିଁ କହି ନିଜ ଉପରୁ ଦାୟିତ୍ୱ ଖସାଇ ଦେଇଥିଲେ। ବିଭାଗୀୟ ଯନ୍ତ୍ରୀଙ୍କୁ ତାଙ୍କ ମୋବାଇଲରେ ବାରମ୍ବାର ଯୋଗାଯୋଗ କଲେ ମଧ୍ୟ ସେ ଫୋନ ନ ଉଠାଇବାରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଜିଲା ପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଗଡ଼ିଆଣି ଗ୍ରାମବାସୀ ଦାବି କରିଛନ୍ତି।