Categories: ଖେଳ

କ୍ରିକେଟ ମ୍ୟାଚ୍‌ ଦେଖିବା ଆଶା ହରାଇ ନାହାନ୍ତି ଏହି ଯୁବକ, ଦୀର୍ଘ ୮ ମାସ ହେଲା ଶ୍ରୀଲଙ୍କାରେ ଅଟକି ରହିଛନ୍ତି

କେବଳ ଭାରତ ନୁହେଁ, ଇଂଲଣ୍ଡରେ ମଧ୍ୟ କ୍ରିକେଟର କ୍ରେଜ୍‌ ଭରପୂର ହୋଇ ରହିଛି। ୩୭ ବର୍ଷୀୟ ରବ୍‌ ଲୁଇସ୍‌ ହେଉଛନ୍ତି ଏମିତି ଜଣେ ବ୍ୟକ୍ତି ଯିଏ କି ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମ୍ୟାଚ ଦେଖିବା ପାଇଁ ଦୀର୍ଘ ୮ ମାସ ଧରି ଶ୍ରୀଲଙ୍କାରେ ଅଟକି ରହିଛନ୍ତି। ସେ ମ୍ୟାଚ୍‌ ଦେଖିବା ପାଇଁ ଶ୍ରୀଲଙ୍କା ଯାଇଥିଲେ। ଠିକ୍‌ ଏହି ସମୟରେ ସମଗ୍ର ବିଶ୍ୱରେ କରୋନା କାୟା ବିସ୍ତାର କଲା। ଫଳରେ ସେ ଆଉ ଫେରିଲେ ନାହିଁ। ଏବେ ବି ସେ ଶ୍ରୀଲଙ୍କାରେ ମ୍ୟାଚ୍‌ ଦେଖିବା ଆଶା ନେଇ ରହିଛନ୍ତି। ତାଙ୍କ ଦେଶର ଟିମ୍‌ ନିଶ୍ଚିତ ଶ୍ରୀଲଙ୍କା ଆସିବ ବୋଲି ଏହି ଭରସା ନେଇ ସେ ସେଠାରେ ଅଟକି ରହିଛନ୍ତି।


ରବ୍‌ ଶ୍ରୀଲଙ୍କାରେ ବେଶ୍‌ ଆରାମଦାୟକ ଜୀବନ ଅତିବାହିତ କରୁଛନ୍ତି। ପେସାରେ ସେ ଜଣେ ଓ୍ବେବ୍‌ ଡିଜାଇନର। ଶ୍ରୀଲଙ୍କାରେ ଏହି ୮ ମାସ ରହଣି ଭିତରେ ରବ୍‌ ସେଠାରେ ଦୁଇଟି କୁକୁର ମଧ୍ୟ କିଣିଛନ୍ତି। ତାଙ୍କ ସହ ସମୟ କାଟୁଛନ୍ତି। ଏଥିସହ ଟାଟୁ ବି କରିଛନ୍ତି। ଡିଜେ ହୋଇ କିଛି ପାର୍ଟିରେ ମଧ୍ୟ ଅଭିନୟ କରିଛନ୍ତି।
ମାର୍ଚ୍ଚ ୧୩ରେ ରବ୍‌ ଯେତେବେଳେ ଏରୋପ୍ଲେନ୍‌ରେ ଯାତ୍ରା କରୁଥିଲେ ଠିକ୍‌ ସେହି ସମୟରେ ଘୋଷଣା ହୋଇଥିଲା ଶ୍ରୀଲଙ୍କା ଏବଂ ଇଂଲଣ୍ଡ ମ୍ୟାଚ୍‌ କରୋନା ଭୂତାଣୁ ଯୋଗୁ ବନ୍ଦ କରାଗଲା। ତଥାପି ରବ୍‌ ଫେରିଲେ ନାହିଁ। ସେ ନିଷ୍ପତ୍ତି ନେଲେ ସେ ଶ୍ରୀଲଙ୍କା ଯିବେ ଆଉ ସେଠାରେ ରହି ନିଜ ଦେଶର ଖେଳାଳିଙ୍କୁ ଅପେକ୍ଷା କରିବେ। ଦିନେ ନୁହେଁ ମାସେ ନୁହେଁ, ଦୀର୍ଘ ୮ ମାସ ହେଲା ନିଜ ଦେଶର ଖେଳାଳିଙ୍କୁ ଅପେକ୍ଷା କରି ରହିଛନ୍ତି ରବ୍‌। ଗାଲ୍‌ ବିଚ୍‌ ନିକଟରେ ସେ ଏକ ହଷ୍ଟେଲରେ ରହୁଛନ୍ତି।

ଲକ୍‌ଡାଉନ୍‌ର କିଛି ମାସ ପରେ ଶ୍ରୀଲଙ୍କାରେ ସବୁକିଛି ଖୋଲିଗଲାଣି। ଏହା ପରେ ରବ୍‌ଙ୍କ ଏକ ଆଇଡିଆ ଆସିଲା କି ଏବେ ସବୁ ସାଧାରଣ ହୋଇଗଲାଣି, ଏବେ ତାଙ୍କ ଦେଶ ଖେଳିବାକୁ ଆସିବ। କରୋନା ମହାମାରୀ ପରଠାରୁ ଶ୍ରୀଲଙ୍କାରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ ଖେଳ ହୋଇନାହିଁ। ତଥାପି ରବ୍‌ ଆଶା ରଖିଛନ୍ତି, ଆସନ୍ତା ଜାନୁୟାରୀରେ ଇଂଲଣ୍ଡ ଶ୍ରୀଲଙ୍କା ଆସିପାରେ। ତେବେ ତାଙ୍କ ଇଚ୍ଛା ପୂରଣ ହେଉଛି କି ନାହିଁ ଦେଖିବାକୁ ବାକି ରହିଲା।

Share