୭ ମହଲାରୁ ଡେଇଁଲେ ପରିବାରର ୫ ସଦସ୍ୟ

ମୋନଟ୍ରେକ୍ସ,୨୫।୩: ସୁଇଜରଲ୍ୟାଣ୍ଡର ମୋନଟ୍ରେକ୍ସ ସହରରେ ରହୁଥିବା ଫ୍ରାନ୍ସର ଏକ ପରିବାରର ୫ଜଣ ସଦସ୍ୟ ସପ୍ତମ ମହଲା ବାଲକୋନିରୁ ଡେଇଁ ପଡିଛନ୍ତି। ଫଳରେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ନାବାଳକ  ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଗୁରୁବାର ଏହି ଘଟଣା ଘଟିଛି।

ମିଳିଥିବା ସୂଚନା ମୁତାବକ, ଏକ ମାମଲାରେ ପରିବାର ଲୋକଙ୍କ ନାମରେ ଓ୍ବାରେଣ୍ଟ ଜାରି ହୋଇଥିଲା। ଏନେଇ ଦୁଇ ପୋଲିସ ଅଧିକାରୀ ଘରକୁ ଆସି କବାଟ ବାଡ଼େଇଥିଲେ। ପରିବାର ସଦସ୍ୟ କବାଟ ନ ଖୋଲି ପଛପଟ ବାଲ୍‌କୋନିରୁ ତଳକୁ ଡେଇଁପଡ଼ିଥିଲେ।

ଫଳରେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଲେ ୪୦ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ସ୍ତ୍ରୀ ଓ ଝିଅ। ଏଥିସହିତ ସ୍ତ୍ରୀଙ୍କ ଯାଆଁଳା ଭଉଣୀ ମଧ୍ୟ ପ୍ରାଣ ହରାଇଛନ୍ତି। ସେମାନଙ୍କ ୧୫ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ ଚଳାଇଛି।

Share