ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ଦାରୁଦିଅଁ ରତ୍ନ ସିଂହାସନ ଛାଡ଼ି ରଥରେ ବସି ଜନ୍ମବେଦି ଯାଇଛନ୍ତି। ଶୁକ୍ରବାର ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚତ୍ଛନ୍ତି ତିନିଠାକୁର। ହେଲେ ଗୁରୁବାର ଶ୍ରୀମନ୍ଦିରରୁ ପହଣ୍ଡି ବାହାରିବା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଣ୍ଡରେ ଟାହିଆ ଉଭାନ ହେବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି। କିଏ ଏହାକୁ ଅଶୁଭ ସଙ୍କେତ କହୁଛନ୍ତି ତ ପୁଣି କିଏ ଏହା ମହାପ୍ରଭୁଙ୍କ ଇଚ୍ଛା ବୋଲି କହୁଛନ୍ତି। ତେବେ ବିନା ଟାହିଆରେ ପହଣ୍ଡି ଭକ୍ତଙ୍କୁ ଗଭୀର ଆଘାତ ଦେଇଛି। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନଠାରୁ ଆରମ୍ଭ କରି ସେବାୟତ ଓ ବୁଦ୍ଧଜୀବୀମାନେ ଭିନ୍ନ ମତ ରଖିଛନ୍ତି।
କୌଣସି ଅଘଟଣ ନୁହେଁ, କି ବେଆଇନ କାମ ନୁହେଁ
ସାତପାହାଚଠାରେ ଠାକୁରଙ୍କ ମସ୍ତକରେ ଟାହିଆ ଲାଗି ହୋଇଥାଏ। ମହାପ୍ରଭୁଙ୍କୁ ଟାହିଆ ମଧ୍ୟ ସାତପାହାଚଠାରେ ବନ୍ଧା ହୋଇଥିଲା। ଆନନ୍ଦବଜାର ପରେ ମହାପ୍ରଭୁଙ୍କ ଉପରେ ଗିଲାପ ପଡ଼ିଥିଲା। ଗିଲାପ (ରେନ୍କୋର୍ଟ) ଲଗାଇବାରେ ଟାହିଆ ଭାଙ୍ଗିଯାଇଥିଲା। ପ୍ରବଳ ବର୍ଷା ହେଉଥିବାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ନିମନ୍ତେ ଗିଲାପ ଲାଗି କରାଯାଇଥିଲା। ଶ୍ରୀଅଙ୍ଗରେ ପାଣି ପଡ଼ିଥିଲେ କ୍ଷତି ହୋଇଥାନ୍ତା। ବାଟରେ ଟାହିଆ ଭାଙ୍ଗିଯିବା ପରେ ଟାହିଆରେ ଲାଗିଥିବା ବାଉଁଶ କାଠିଗୁଡ଼ିକ ବହୁତ ପତଳା ଥିବାରୁ ଆଖିରେ ବାଜିବାର ସମ୍ଭାବନା ହେତୁ ଟାହିଆକୁ ଫିଟା ଯାଇଥିଲା। ଟାହିଆ ଲାଗିହେବା ପରେ ତାହାକୁ ଭାଙ୍ଗି ନେଇଯାଇଥାନ୍ତି। ଗତ ୧୫ରୁ ୨୦ ବର୍ଷ ହେବ ଟାହିଆକୁ ସୁରକ୍ଷିତ ଭାବେ କଢ଼ାଯାଇ ରଖାଯାଉଥିଲା। ତେଣୁ ଏହା କୌଣସି ଅଘଟଣ ନୁହେଁ କି ବେଆଇନ କାମ ନୁହେଁ। ସମସ୍ତ କାର୍ଯ୍ୟ ଠିକ୍ ଭାବରେ ହୋଇଛି।
-ବରିଷ୍ଠ ଦଇତାପତି ସେବକ,
ବିନାୟକ ଦାସମହାପାତ୍ର
୨୦୧୫ରେ ବିନା ଟାହିଆରେ
ମହାପ୍ରଭୁ ବାହାରକୁ ଆସିଥିଲେ
ମହାପ୍ରଭୁ ବାଇଶ ପାହାଚ ପର୍ଯ୍ୟନ୍ତ ଟାହିଆ ପରିଧାନ କରିଥିଲେ। ବର୍ଷା କାରଣରୁ ଟାହିଆରେ ଲାଗିଥିବା ଫୁଲ, ସୋଲ, ତୁଳସୀ ଆଦି ଓଦା ହୋଇଯାଇଥିଲା। ଫଳରେ ଓଜନ ହେବା ସହ ବାରମ୍ବାର ଖସି ସେବାୟତଙ୍କ ଆଖିରେ ବାଜିଥିଲା। ତେଣୁ ଟାହିଆକୁ କଢ଼ାଯାଇ ଶୃଙ୍ଖଳିତ ଭାବେ ପହଣ୍ଡି ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହାପୂର୍ବରୁ ମଧ୍ୟ ୨୦୧୫ ମସିହାରେ ବିନା ଟାହିଆରେ ମହାପ୍ରଭୁ ବାହାରକୁ ଆସିଥିଲେ।
-ମଧୂସୁଦନ ସିଂହାରୀ, ବରିଷ୍ଠ ସେବାୟତ
ବର୍ଷାରେ ଓଦାହେବାରୁ
ଟାହିଆ ଖସିଥିଲା
ରଥଯାତ୍ରା ଦିନ ବର୍ଷା ହେଉଥିଲା। ମଠରୁ ଟାହିଆକୁ ମନ୍ଦିରକୁ ନେବା ସମୟରେ ଟାହିଆ ବର୍ଷାରେ ଓଦା ହୋଇଥିଲା। ଲକ୍ଷ୍ମୀ ମନ୍ଦିରରେ ରହିବା ପରେ ପହଣ୍ଡି ସମୟରେ ଟାହିଆ ଲକ୍ଷ୍ମୀ ମନ୍ଦିରରୁ ମହାପ୍ରଭୁଙ୍କ ନିକଟକୁ ଯାଇଥିଲା। ସେଠାରେ ପାଖାପାଖି ୪୫ ମିନିଟ୍ ରହିଥିଲା। ବର୍ଷା କାରଣରୁ ଟାହିଆରେ ଲାଗିଥିବା ଫୁଲ, ତୁଳସୀ, ସୋଲ ଆଦିରେ ପାଣି ପଡ଼ି ଓଜନ ହୋଇଥିଲା। ଓଜନ ଫଳରେ ପହଣ୍ଡି ସମୟରେ ଫୁଲ, ସୋଲ, ତୁଳସୀ ଖସିଯାଇଥିଲା। ଫଳରେ ସେଥିରେ ଥିବା ବାଉଁଶପାତିଆ କାଠି ସେବକଙ୍କ ଦେହରେ ବାଜି ରକ୍ତାକ୍ତ ହେବାର ସମ୍ଭାବନା ରହିଥିଲା। ରକ୍ତ ବାହାରିଥିଲେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିଥାନ୍ତା। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଯେପରି ବାଧା ନ ହେବ, ସେଥିପାଇଁ ସେବାୟତମାନେ ଟାହିଆକୁ କାଢ଼ି ଅନ୍ୟତ୍ର ରଖି ଦେଇଥିଲେ।
-ସତ୍ୟନାରାୟଣ ବେହେରା,
ଟାହିଆ ପ୍ରସ୍ତୁତ କାରିଗର
ପହଣ୍ଡିର ମୁଖ୍ୟ ଆକର୍ଷଣ ଟାହିଆ
ଘୋଷଯାତ୍ରାରେ ଅନ୍ୟତମ ପ୍ରମୁଖ ଆକର୍ଷଣ ସାଜିଥାଏ ମହାପ୍ରଭୁଙ୍କ ପହଣ୍ଡି। ପହଣ୍ଡି ସମୟରେ ମହାପ୍ରଭୁଙ୍କ ମସ୍ତକରେ ଥିବା ଦୋଳାୟମାନ ଟାହିଆକୁ ଦେଖିବା ପାଇଁ ଆଗ୍ରହ ରହିଥାଏ। ମାତ୍ର ଚଳିତଥର ବିନା ଟାହିଆରେ ମହାପ୍ରଭୁଙ୍କ ପହଣ୍ଡି ହୋଇଥିଲା, ଫଳରେ ଟାହିଆ ଦେଖିବା ପାଇଁ ଭକ୍ତ ବଞ୍ଚତ୍ତ ହୋଇଛନ୍ତି।
-ହରିଶଙ୍କର ମିଶ୍ର, ଜ୍ୟୋତିର୍ବିଦ୍
ମସ୍ତକରେ ଟାହିଆ ନ ଥିବା
ଅତ୍ୟନ୍ତ ଦୁଃଖଦ ଘଟଣା
ବ୍ରହ୍ମ ସତ୍ୟ ଓ ପଛକୁ ଘୁଞ୍ଚିଲେ କହୁଥାଏ ଜଗତ ମିଥ୍ୟା। ଟାହିଆ ହେଉଛି ପହଣ୍ଡିକାଳୀନ ଏକ ଅନନ୍ୟ ଆକର୍ଷଣୀୟ ଶିରୋଭୂଷଣ। ପ୍ରଭୁ ମଣ୍ଡିତ ହୋଇ ଭକ୍ତଜନଙ୍କୁ ଆକର୍ଷିତ କରିଥାନ୍ତି। ଏହି ଟାହିଆ ଭୂଷଣରେ ରହି ମହାପ୍ରଭୁ କୋଟି କୋଟି ଭାବପ୍ରବଣ ହୃଦୟକୁ କାଳ କାଳ ଧରି ଆଲୋଡ଼ିତ କରିଆସିଛନ୍ତି। ମସ୍ତକ ଉପରେ ଶୋଭାପାଉଥିବା ଏହି ଦୋଳାୟମାନ ଟାହିଆ ମହାନ୍ ସତ୍ୟ ଘୋଷଣା କରେ। ମହାପ୍ରଭୁଙ୍କ ମସ୍ତକରେ ଟାହିଆ ନ ଥିଲା। କେଉଁଠି ନା କେଉଁଠି ଭୁଲ୍ ରହିଛି, ଯାହା ଭକ୍ତଙ୍କୁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ କରିଛି।
-ଶ୍ୟାମପ୍ରକାଶ ସେନାପତି, ପୁରୀ ବାସିନ୍ଦା
ଟାହିଆକୁ ନେଇ ରାଜନୀତି କରନ୍ତୁ ନାହିଁ
ମହାପ୍ରଭୁଙ୍କ ମସ୍ତକରେ ଟାହିଆ ନ ଥିବା ନେଇ ଯେଉଁ ଇସ୍ୟୁ କରାଯାଉଛି, ତାହା ଠିକ୍ ନୁହେଁ। ଟାହିଆକୁ ନେଇ ରାଜନୀତି କରିବା ସମ୍ପୂର୍ଣ୍ଣ ଭୁଲ୍। ପରମ୍ପରା ଅନୁସାରେ, ସାତପାହାଚରେ ମହାପ୍ରଭୁଙ୍କୁ ଟାହିଆ ଲାଗି ହୋଇଥିଲା। ବର୍ଷା କାରଣରୁ ଟାହିଆରୁ ସୋଲ ଖସି ଯାଇଥିଲା। ତୁଳସୀ ତଳେ ପଡ଼ିଯିବା ପରେ ଟାହିଆ କଢ଼ାଯାଇଥିଲା। ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ।
-ରାମକୃଷ୍ଣ ଦାସ ମହାପାତ୍ର,
ଦଇତାପତି ନିଯୋଗର ସମ୍ପାଦକ
ଟାହିଆ କାଢ଼ିବା, ଲଗାଇବା ଆମ ନିଷ୍ପତ୍ତି ନୁହେଁ: ମୁଖ୍ୟ ପ୍ରଶାସକ
ତିନିରଥ ଶୁକ୍ରବାର ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚତ୍ଛି। ଗୁରୁବାର ମହାପ୍ରଭୁଙ୍କ ପହଣ୍ଡି ବେଳେ ଟାହିଆ ନ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଟାହିଆ ଲଗାଇବା ଓ ବାହାର କରିବା ସେଠାରେ ନିୟୋଜିତ ସେବାୟତମାନଙ୍କ ନିଷ୍ପତ୍ତି। ଏହା ଆମର ନିଷ୍ପତ୍ତି ନୁହେଁ। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛନ୍ତି। ଟାହିଆ କଢ଼ାଯିବା କୌଣସି ପରମ୍ପରାର କ୍ଷୁଣ୍ଣ ନୁହେଁ ବୋଲି ସେବାୟତମାନେ କହିଛନ୍ତି।