କୁକୁର କବଳରୁ ଉଦ୍ଧାର ହରିଣ ମୃତ

ରେଢାଖୋଲ,୨୦।୬: ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅଧୀନ ରାଶିବେଡା ଗ୍ରାମରୁ କୁକୁରଙ୍କ କବଳରୁ ବନ ବିଭାଗ ଏକ ଗର୍ଭବତୀ ହରିଣକୁ ଉଦ୍ଦାର କରିଥିଲା। ହେଲେ ରେଞ୍ଜ କାର୍ଯ୍ୟାଳୟରେ ହରିଣର ଚିକିତ୍ସା ଚାଳିଥିବା ବେଳେ ରବିବାର ମୃତ୍ୟୁ ଘଟିଛି। ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ହରିଣର ବ୍ୟବଛେଦ କରାଯାଇଥିଲା। ବ୍ୟବଛେଦ ବେଳେ ହରିଣ ପେଟରୁ ଏକ ଛୁଆ ହରିଣ ବାହାର କରାଯାଇଥିଲା। ବନବିଭାଗ ବିଭାଗ ପକ୍ଷରୁ ଉଭୟ ମା’ ଓ ଛୁଆକୁ ପୋତି ଦିଆଯାଇଛି।

ସୂଚନା ମୁତାବକ, ରବିବାର ନିକଟସ୍ଥ ଜଙ୍ଗଲରୁ ହରିଣଟି ରାଶିବେଡା ଗାଁ ଭିତରକୁ ଚାଲି ଆସିଥିଲା। ହେଲେ କିଛି କୁକୁର ହରିଣକୁ ଗୋଡାଇ ଥିଲେ। ଫଳରେ ହରିଣ ଏକ କଣ୍ଟାବାଡ ଭିତରକୁ ପଶିଯାଇ ଥିଲା। ଗ୍ରାମବାସୀ ଚାରମାଳ ବନବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ଅବସ୍ଥାରେ ହରିଣକୁ ଉଦ୍ଧାର କରିଥିଲେ। ପରେ ରେଞ୍ଜ କାର୍ଯ୍ୟାଳୟକୁ ଆଣି ହରିଣର ଚିକିତ୍ସା କରାଯାଉଥିଲା।