ମାର୍କେଟ ବିଲ୍ଡିଂ ଖୋଲିବା ନେଇ ଆଜି ହୋଇପାରେ ନିଷ୍ପତ୍ତି

ଭୁବନେଶ୍ୱର, ୩।୮ (ବ୍ୟୁରୋ): ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ କାରଣରୁ ଭୁବନେଶ୍ୱରର ପ୍ରମୁଖ ବଜାର ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଅଚଳାବସ୍ଥା ଲାଗି ରହିଛି। ରବିବାରଠାରୁ ମାର୍କେଟ ବନ୍ଦ ଥିବାରୁ ବ୍ୟବସାୟୀଙ୍କ ସମେତ ଗ୍ରାହକମାନେ ମଧ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦାବି ପୂରଣ ନ ହେବାରୁ ମଙ୍ଗଳବାର ତୃତୀୟଦିନ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା। ମାର୍କେଟ ବିଲ୍ଡିଂ ସେଣ୍ଟ୍ରାଲ ଆସୋସିଏଶନ କର୍ମକର୍ତ୍ତା ବିଏମ୍‌ସି ମେୟର ସୁଲୋଚନା ଦାସଙ୍କୁ ଭେଟି ଆଲୋଚନା କରିଥିଲେ ବି କିଛି ସୁଫଳ ମିଳିପାରିନାହିଁ। ଉଠା ଦୋକାନୀମାନଙ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଆସୋସିଏଶନ ଅଡି ବସିବା ସହ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲା। ବୁଧବାର କମିଶନର ଆସିବା ପରେ ଏନେଇ ଆଲୋଚନା କରାଯାଇ ସମାଧାନର ବାଟ ବାହାର କରାଯିବ ବୋଲି ମେୟର କହିବା ପରେ ବ୍ୟବସାୟୀମାନେ ଫେରିଥିଲେ। ଅପରପକ୍ଷେ ଉଠାଦୋକାନୀମାନଙ୍କୁ ସ୍ଥାୟୀ ଭାବେ ଉଚ୍ଛେଦ ନ କରିବା ପର୍ଯ୍ୟନ୍ତ ମାର୍କେଟ ଖୋଲିବ ନାହିଁ ବୋଲି ଆସୋସିଏଶନ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା କହିଛନ୍ତି।
ମାର୍କେଟ ବିଲ୍ଡିଂ ସେଣ୍ଟ୍ରାଲ ଆସୋସିଏଶନ ଉଠାଦୋକାନୀଙ୍କ ଜବରଦଖଲକୁ ବିରୋଧ କରିବା ସହ ଏନେଇ ବିଏମ୍‌ସି ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଛି। ଏଥିପାଇଁ ଗତ ଜାନୁୟାରୀ ୪ରୁ ୪ଦିନ ଧରି ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା। ଏହାର କିଛିଦିନ ପରେ ଏହି ବିବାଦ ପୁଣିଥରେ ଫେବୃୟାରୀ ମାସରେ ମୁଣ୍ଡ ଟେକିଥିଲା। ପ୍ରତିବାଦ ସ୍ବରୂପ ସଂଘ ପକ୍ଷରୁ ମାର୍କେଟରୁ ୪ଦିନ ଅଳିଆ ଉଠିବା ବନ୍ଦ କରାଯାଇଥିଲା। ଗତ ଜୁଲାଇ ୨୪ରେ ବିଏମ୍‌ସି କମିଶନର ଓ ମେୟର ମାର୍କେଟ ବିଲ୍ଡିଂ ବୁଲି ଯାଞ୍ଚ କରୁଥିବାବେଳେ ଉଠାଦୋକାନୀଙ୍କୁ ତୁରନ୍ତ ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେମାନେ ସେଠାରୁ ଉଠି ଯାଇଥିଲେ। ମାତ୍ର ରବିବାର ଉଠାଦୋକାନୀମାନେ ପୁଣି ସେମାନଙ୍କ ସାମଗ୍ରୀ ଧରି ମାର୍କେଟରେ ପହଞ୍ଚତ୍ଥିଲେ। ଏହାକୁ ସଂଘ ବିରୋଧ କରିବାରୁ ଦୁଇ ଗୋଷ୍ଠୀ ମୁହଁାମୁହିଁ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଏହାପରେ ଆସୋସିଏଶନ ପକ୍ଷରୁ ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଥିଲା।