ରାସ୍ତାରେ ବିପଦପୂର୍ଣ୍ଣ ରାତ୍ରିଯାପନ

କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ମୁଖ୍ୟାଳୟରେ ନିରାଶ୍ରିତଙ୍କ ପାଇଁ କୌଣସି ସୁବିଧା ନ ଥିବାରୁ ରାତିରେ ଯିବା ଆସିବା କରୁଥିବା ବା ବସକୁ ଅପେକ୍ଷା କରୁଥିବା ଲୋକେ ରାସ୍ତାକଡ଼ରେ ଶୋଉଛନ୍ତି। ବର୍ଷା, ଶୀତ କାକରରେ ବିପଦପୂର୍ଣ୍ଣ ଭାବେ ରାତି କାଟିବାକୁ ପଡୁଛି। ମଶାମାଛିଙ୍କ ପାଦୁର୍ଭାବ ତଥା କୁକୁର ଓ ଅସାମାଜିକଙ୍କ ଦୌରାତ୍ମ ଲାଗି ରହୁଥିବାରୁ ରାତି କାଟୁଥିବା ଲୋକମାନେ ଭୟ ଓ ଆଶଙ୍କାରେ ରହୁଛନ୍ତି।
ପ୍ରକାଶ ଯେ, କେନ୍ଦୁଝର ମୁଖ୍ୟାଳୟରେ ପୌରପାଳିକା ବସ୍‌ଷ୍ଟାଣ୍ଡ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ପ୍ରାୟ ୫ କି.ମି. ଦୂର ପୁରୁଣା ସହରରେ ରହିଛି। ତେବେ ସେଠାକୁ ଦିନ କିମ୍ବା ରାତିରେ ଘରୋଇ ବସ୍‌ ଯାଉ ନ ଥିବାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଛକ ଆଖପାଖ ବସ୍‌ଷ୍ଟାଣ୍ଡ ପାଲଟିଛି। ବିଶେଷ କରି ରାତିରେ ସବୁ ବସ୍‌ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଯିବାଆସିବା କରିଥାନ୍ତି। ବସ ଫେଲ ହୋଇଗଲେ, ବସ ନ ଆସିଲେ ଓ ଦୂରଦୂରାନ୍ତର ଲୋକ ରାତିରେ ଓହ୍ଲାଇଲେ ଆଶ୍ରୟ ନେବାକୁ କୌଣସି ବ୍ୟବସ୍ଥା ନାହିଁ। ପୁରୁଣା ସହରରେ ଥିବା ଆଶ୍ରୟ ଗୃହକୁ ଯାତ୍ରୀମାନେ ରାତିରେ ଯିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏଣୁ ସୁରକ୍ଷା ଦୃଷ୍ଟି କୋଣରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଟ୍ରାଫିକ ଛକ ଓ ରାସ୍ତା କଡ଼ରେ ରାତ୍ରୀଯାପନ କରିବାକୁ ବାଧ୍ୟ ହୋଇଥାନ୍ତି। ସ୍ନାନ ଶୌଚ କରିବାରେ ବିଶେଷ କରି ମହିଳାମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ସହରରେ ଆଶ୍ରୟ ସ୍ଥଳ ପ୍ରତିଷ୍ଠା କରିବାକୁ ଦାବି ହୋଇ ଆସୁଥିଲେ ହେଁ କରାଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଉଥିବା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି। ଏଣୁ ସରକାରୀ ବସ୍‌ଷ୍ଟାଣ୍ଡକୁ ଉନ୍ନତି କରିବା ସହ ଏହାର ପରିସରରେ ବା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆଶ୍ରୟସ୍ଥଳ ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି। ଅନ୍ୟପକ୍ଷେ ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ପୌରପାଳିକା ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇଥିଲେ ହେଁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ କାହାରି ଆନ୍ତରିକତା ନାହିଁ। ଫଳରେ ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ଗଢ଼ି ଉଠି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ଏ ନେଇ ପଦକ୍ଷେପ ନେବାକୁ ପୂର୍ବତନ ପୌରାଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି।