ଦିବ୍ୟାଙ୍ଗଙ୍କୁ ସହାୟତା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ନୂଆପଡ଼ା,୧୫।୭ (ମକାରୁ ବେମାଲ) : ନୂଆପଡ଼ା ଜିଲା ଖରିଆର ରୋଡ୍‌ ଏନ୍‌ଏସି ୱାର୍ଡ ନଂ.୧୬ ଡୁମେରଡିହିର ଅବତ ରାମ ରାଉତଙ୍କ ଝିଅ ପ୍ରିୟା ରାଉତ(୮) ଜନ୍ମରୁ ବିକଳାଙ୍ଗ ହୋଇଥିଲେ ମଧ୍ୟ ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇଛନ୍ତି। ତାଙ୍କୁ ସରକାରୀ ସହାୟତା ସହ ବିକଳାଙ୍ଗ ଭତ୍ତା ପ୍ରଦାନ ପାଇଁ ମଙ୍ଗଳବାର ପରିବାର ଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ଅବତଙ୍କ ପ୍ରଥମ ଝିଅ ପ୍ରିୟାକୁ ୮ ବର୍ଷ ହୋଇଥିଲେ ମଧ୍ୟ ଚଲାବୁଲା କରିପାରୁ ନାହାନ୍ତି। ସେ କଥା କହିପାରନ୍ତି ନାହିଁ କିମ୍ବା ଶୁଣିପାରନ୍ତି ନାହିଁ। ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ତାଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିଛି। ସେଥିରେ ୬୦% ବିକଳାଙ୍ଗ ଦର୍ଶାଯାଇଛି। ୨୦୨୬ ଏପ୍ରିଲ ୧୨ ପର୍ଯ୍ୟନ୍ତ ପ୍ରମାଣପତ୍ରର ଅବଧି ରହିଥିବାରୁ ସରକାରୀ ସହାୟତା କିମ୍ବା ବିକଳାଙ୍ଗ ଭତ୍ତା ପାଇବାରୁ ବଞ୍ଚତ୍ତ ଅଛନ୍ତି। ସେ ମଙ୍ଗଳବାର ପୁଣି ନୂତନ ବିକଳାଙ୍ଗ ପ୍ରମାଣପତ୍ର ପାଇଁ ଅନ୍‌ଲାଇନରେ ଆବେଦନ କରିଛନ୍ତି। ସେ ଜନ୍ମରୁ ବିକଳାଙ୍ଗ ଥାଇ ମଧ୍ୟ ଅସ୍ଥାୟୀ ପ୍ରମାଣ ପତ୍ର କେମିତି ସ୍ବାସ୍ଥ୍ୟ ବିଭାଗ ଦେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏଭଳି ଭୁଲ ପାଇଁ ଅସହାୟ, ବିକଳାଙ୍ଗ, ବୃଦ୍ଧାବୃଦ୍ଧ, ବିଧବାଙ୍କ ପାଇଁ ଆସୁଥିବା ସରକାରୀ ଯୋଜନା ଠିକ ରୂପାୟନ ହୋଇପାରୁ ନାହିଁ ବୋଲି ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ ଅଭିଯୋଗ କରିଛନ୍ତି। ଅବତ ଗରିବ ଶ୍ରେଣୀର ହୋଇଥିବାରୁ ପ୍ରିୟାଙ୍କୁ ଉଚ୍ଚ ଚିକିତ୍ସା ଯୋଗାଇବାରେ ଅସମର୍ଥ ହୋଇ ପଡିଛନ୍ତି। ବିକଳାଙ୍ଗ ଭତ୍ତା ମିଳିଲେ ଚିକିତ୍ସା ପାଇଁ ସହାୟତା ହେବ ବୋଲି ଏହି ପରିବାର ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share