ଶିଶୁଶ୍ରମିକ ନିୟୋଜିତ କରୁଛି ଠିକା ସଂସ୍ଥା

ମୋରଡ଼ା,୧୬ା୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା-ରାସଗୋବିନ୍ଦପୁର ବ୍ଲକ୍‌ରେ ଚାଲିଥିବା ସୁବର୍ଣ୍ଣରେଖା କେନାଲ ନିର୍ମାଣରେ ଶିଶୁ ଶ୍ରମିକ କାମ କରୁଛନ୍ତି। କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ସରକାରୀ ନିୟମ ଉଲ୍ଲଘଂନ କରି ନାବାଳକଙ୍କୁ ଡମ୍ପର ଡ୍ରାଇଭର ଓ ହେଲପର ଭାବେ ନିୟୋଜିତ କରିଥିବା ଓ ସେମାନଙ୍କୁ ନେଇ ଖରାରରେ କାମ କରାଉଥିବା ଦେଖିବାକୁ ମିଳିଛି।
ଅନୁଯାୟୀ, ମୟୂରଭଞ୍ଜ ଜିଲା ମୋରଡ଼ା-ରାସଗୋବିନ୍ଦପୁର ବ୍ଲକ୍‌ରେ ସୁବର୍ଣ୍ଣରେଖା କେନାଲ ନିର୍ମାଣ ଜାରି ରହିଛି। ଦୁଇଟି ବ୍ଲକ୍‌ର ସୀମାନ୍ତ ତଥା ମୋରଡ଼ା ବ୍ଲକ୍‌ର ମାକୁନ୍ଦଠାରେ ଏକ ଘରୋଇ ଠିକା ସଂସ୍ଥା ଦ୍ୱାରା କାମ ଚାଲିଛି। ଉକ୍ତ ସଂସ୍ଥା ନାବାଳକଙ୍କୁ ଶ୍ରମିକ ଭାବେ କାର୍ଯ୍ୟରେ ନିୟୋଜିତ କରାଇଛି। କେନାଲ ନିର୍ମାଣରେ ବ୍ୟବହୃତ ହେଉଥିବା ଡମ୍ପରକୁ ଜଣେ ନାବାଳକ ଚଳାଉଥିବା ବେଳେ ଅନ୍ୟ ୧୦ରୁ ୧୧ ବର୍ଷର ବାଳକ ହେଲପର ଭାବେ କାର୍ଯ୍ୟ କରୁଥିବାରୟ ଦେଖିବାକୁ ମିଳିଛି। ସେହିପରି ପ୍ରବଳ ତାତିକୁ ଆଖି ଆଗରେ ରଖି ସରକାର ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ପର୍ଯ୍ୟନ୍ତ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉକ୍ତ ସଂସ୍ଥା ଶ୍ରମିକମାନଙ୍କୁ ଦିନ ୧୧ଟା ପରେ ପ୍ରବଳ ଖରାରେ କାର୍ଯ୍ୟ କରାଉଥିବା ଦେଖିବାକୁ ମିଳିଛି। ଏନେଇ ଉକ୍ତ କାର୍ଯ୍ୟର ସୁପରଭାଇଜର ମହେନ୍ଦ୍ର ଗୋପଙ୍କୁ ପଚାରିବାରୁ ସେ ଅଭିଯୋଗକୁ ସ୍ବୀକାର କରିଥିଲେ। ଆଗକୁ ଏପରି ହେବ ନାହିଁ ବୋଲି କହିଥିଲେ। ଏନେଇ ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଦାସ କହିଛନ୍ତି, ଠିକା ସଂସ୍ଥାକୁ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯଦି ଉଲ୍ଲଘଂନ ହେଉଛି, ଏ ବାବଦରେ ସଂସ୍ଥାଙ୍କୁ ତାଗିଦ୍‌ କରାଯିବ ବୋଲି କହିଥିଲେ।