ଋଷିଆ ଓ ୟୁକ୍ରେନ ମଧ୍ୟରେ ହୋଇଛି ଯୁଦ୍ଧବିରତି; ମେଲାନିଆ ଟ୍ରମ୍ପ କରିଥିଲେ ମଧ୍ୟସ୍ଥତା

ଓ୍ବାଶିଂଟନ,୨୭।୧୦: ମଙ୍ଗଳବାର (ଅକ୍ଟୋବର ୨୭) ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ସ୍ଥାନୀୟ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଉଲ୍ଲେଖନୀୟ ଯେ, ଆମେରିକାର ପ୍ରଥମ ମହିଳା (ଫାଷ୍ଟ ଲେଡି) ମେଲାନିଆ ଟ୍ରମ୍ପ ଏହି ବିଷୟରେ ହସ୍ତକ୍ଷେପ କରିଥିଲେ, ଯାହା ଫଳରେ ଦକ୍ଷିଣ ୟୁକ୍ରେନର ଓଲେଶ୍କି (Oleshky) ସହରରେ ଏକ ଅସ୍ଥାୟୀ ଯୁଦ୍ଧବିରତି ଲାଗୁ ହୋଇପାରିଛି। ଏହି ବୁଝାମଣା ଅନୁଯାୟୀ, ଉଭୟ ପକ୍ଷ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ସହମତ ହୋଇଛନ୍ତି, ଯାହା ଦ୍ୱାରା ମାନବୀୟ ସହାୟତା ପହଞ୍ଚାଇବା ଏବଂ ଯୁଦ୍ଧଗ୍ରସ୍ତ ସହରରେ ଫସି ରହିଥିବା ସାଧାରଣ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇପାରିବ।
ଏହି ଘଟଣାକ୍ରମ ସମ୍ପର୍କରେ ହ୍ବାଇଟ ହାଉସ ପୂର୍ବରୁ ସୂଚନା ଦେଇଥିଲା। ବୁଝାମଣାର ଅଂଶ ସ୍ବରୂପ, ଏକ ନିର୍ଦ୍ଦିଷ୍ଟ ସୁରକ୍ଷିତ କରିଡର (ରାସ୍ତା) ପ୍ରସ୍ତୁତ କରାଯିବ, ଯାହା ମାଧ୍ୟମରେ ରିଲିଫ ସାମଗ୍ରୀ ପହଞ୍ଚାଯାଇପାରିବ ଏବଂ ସାଧାରଣ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇପାରିବ। ମେଲାନିଆ ଟ୍ରମ୍ପ ଏବଂ ତାଙ୍କ ପ୍ରତିନିଧିମାନେ ରୁଷିଆ ଓ ୟୁକ୍ରେନର ନେତୃତ୍ୱ ସହ ସିଧାସଳଖ ଆଲୋଚନା କରିବା ପରେ ଏହି ବୁଝାମଣା ସମ୍ଭବ ହୋଇପାରିଛି।
ଏପି (AP) ରିପୋର୍ଟ ଅନୁଯାୟୀ, ମେଲାନିଆ ଟ୍ରମ୍ପଙ୍କ କାର୍ଯ୍ୟାଳୟ ଜଣାଇଛି ଯେ ମିଳିତ ଜାତିସଂଘର ଅଧିକାରୀମାନଙ୍କ ସହ ଆଲୋଚନା ପରେ, ମେଲାନିଆ ରୁଷିଆ ଏବଂ ୟୁକ୍ରେନର ବେସାମରିକ ବୁଝାମଣାକାରୀଙ୍କ ସହ ଆଲୋଚନାର ନେତୃତ୍ୱ ନେଇଥିଲେ। ଆସନ୍ତା ମାସରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହେବାକୁ ଥିବା ଆଲୋଚନାର ଏକ ନୂତନ ପର୍ଯ୍ୟାୟ ପୂର୍ବରୁ ଏହି ସହାୟତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯେଉଁଥିରେ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟସ୍ଥତା କରୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଆସୁଥିବା ଦୀର୍ଘସ୍ଥାୟୀ ଯୁଦ୍ଧକୁ ଶେଷ କରିବା ଲକ୍ଷ୍ୟରେ ଏହାକୁ ଏକ ର୍ନିର୍ଣ୍ଣାୟକ ପଦକ୍ଷେପ ଭାବରେ ଦେଖାଯାଉଛି।
ମିଳିତ ଜାତିସଂଘ ଅନୁଯାୟୀ, ଓଲେଶ୍କି (Oleshky) ଅଞ୍ଚଳରେ ପ୍ରାୟ ୨,୦୦୦ ଲୋକ ଫସି ରହିଛନ୍ତି, ଯେଉଁଠାରେ ଖାଦ୍ୟ ଏବଂ ଔଷଧର ଯୋଗାଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସେଠାରେ ଥିବା ଜମି ଭିତରେ ପୋତା ଯାଇଥିବା ବିସ୍ଫୋରକ (landmines) ଏବଂ ଡ୍ରୋନ ଆକ୍ରମଣର ଭୟ ଯୋଗୁ ସ୍ଥାନୀୟ ବାସିନ୍ଦାମାନେ ସେହି ଅଞ୍ଚଳ ଛାଡ଼ି ପାରୁନାହାନ୍ତି। ତେବେ, ଏକ ବୁଝାମଣା ପରେ, ବର୍ତ୍ତମାନ ସେହି ଅଞ୍ଚଳରେ ଏକ ଅସ୍ଥାୟୀ ଯୁଦ୍ଧବିରତି ଲାଗୁ କରାଯାଇଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦୀର୍ଘ ଦିନ ଧରି ଚାଲିଆସୁଛି, ଯାହା ଫଳରେ ହଜାର ହଜାର ଲୋକଙ୍କ ଜୀବନ ହାନି ଘଟିଛି।

Dharitri – Odisha’s No.1 Odia Daily

Share