ସ୍ୟୁ ଚୀଙ୍କ ବିରୋଧରେ ଗୋପନୀୟତା ଉଲ୍ଲଂଘନ ମାମଲା

ନାପିତାଉ,୨।୪: ମ୍ୟାନ୍‌ମାରର କ୍ଷମତାଚ୍ୟୁତ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀ ଏବଂ ତାଙ୍କର ୪ ଜଣ ସହଯୋଗୀଙ୍କ ବିରୋଧରେ ସରକାରୀ ଗୋପନୀୟତା ଆଇନ ଉଲ୍ଲଂଘନ ମାମଲା ରୁଜୁ ହୋଇଥିବା ତାଙ୍କ ଓକିଲ ଗୁରୁବାର ସୂଚନା ଦେଇଛନ୍ତି। ୩ ସପ୍ତାହ ପୂର୍ବରୁ ୟାଙ୍ଗୁନ୍‌ର ଏକ ଅଦାଲତରେ ସ୍ୟୁ ଚୀ, ତାଙ୍କ କ୍ୟାବିନେଟର ୩ ଜଣ ମନ୍ତ୍ରୀ ଏବଂ ଅଷ୍ଟ୍ରେଲୀୟ ଅର୍ଥନୈତିକ ପରାମର୍ଶଦାତା ସିନ୍‌ ଟୁର୍‌ନେଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଆଇନଜୀବୀ ଖିନ୍‌ ମାଉଙ୍ଗ କହିଛନ୍ତି। ଏଥିସହିତ ସ୍ୟୁ ଚୀଙ୍କ ବିରୋଧରେ କରୋନା ପ୍ରୋଟୋକଲ ଉଲ୍ଲଂଘନ, ବେଆଇନ ଭାବେ ଟୁ-ଓ୍ବେ ରେଡିଓ ଅକ୍ତିଆର କରିବା ଆଦି ଅଭିଯୋଗ ମଧ୍ୟ ହୋଇଛି। ଗତ ଫେବୃୟାରୀ ୧ରେ ମ୍ୟାନ୍‌ମାର ସେନା ବିଦ୍ରୋହ ବଳରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପରେ ଦେଶରେ ସାମରିକ ଶାସନ ଲାଗୁ ହୋଇଛି। ସେବେଠାରୁ ସ୍ୟୁ ଚୀଙ୍କୁ ସାମରିକ ଶାସକ ଗିରଫ କରି ରଖିଛନ୍ତି। ସାମରିକ ଶାସନକୁ ବିରୋଧ କରି ପୁନର୍ବାର ସ୍ୟୁ ଚୀଙ୍କୁ କ୍ଷମତାକୁ ଫେରାଇ ଆଣିବା ଦାବିରେ ମ୍ୟାନ୍‌ମାରରେ ଆନ୍ଦୋଳନ ଜାରି ରହିଛି। ଇତିମଧ୍ୟରେ ସାମରିକ ଶାସକଙ୍କ ଦମନଲୀଳାରେ ୫୨୦ରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କ ଜୀବନ ଗଲାଣି।

Share