ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ ପୂର୍ବେ ମହିଳା ଜଣକ ତାଙ୍କ ଝିଅ ଓ ଝିଆରୀଙ୍କ ସହ ରାତ୍ରି ଭୋଜନ ସାରି ଶୋଇଥିବା ବେଳେ ତାଙ୍କ ଗ୍ରାମର ପୁଷ୍ପଧ୍ଵଜ ସାହୁ ଘରେ ପଶି ମହିଳାଙ୍କୁ ଖଟ ଉପରୁ ବଳପୂର୍ବକ ଟାଣି ନେଇ ଅସଦାଚରଣ କରିବା ସହ ଆପତ୍ତିଜନକ ଭାଷାରେ ଗାଳି କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ସେହି ସମୟରେ ମହିଳାଙ୍କ ସ୍ବାମୀ ଗାଁ ମନ୍ଦିରରେ ଥିବା ବେଳେ ଝିଆରୀଙ୍କ ଠାରୁ ଫୋନ ଯୋଗେ ସୂଚନା ପାଇ ବାଇକ ଯୋଗେ ଘରେ ପହଞ୍ଚିଥିଲେ। ବାଇକ ଶବ୍ଦ ଶୁଣି ଅଭିଯୁକ୍ତ ଚମ୍ପଟ ମାରିଥିଲେ। ଘଟଣାର ପରଦିନ ମହିଳା ଜଣକ ସ୍ବାମୀଙ୍କ ସହ କେ.ନୂଆଗାଁ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏହି ମାମଲାର ୭ ଜଣ ସାକ୍ଷ୍ୟ ଓ ମହିଳାଙ୍କ ବୟାନ, ସ୍ଥିତି ସମ୍ପର୍କିତ ପ୍ରାମାଣିକ ତଥ୍ୟ, ସରକାରୀ ଓକିଲ ଏବଂ ଅଭିଯୁକ୍ତଙ୍କ ଓକିଲଙ୍କ ଦ୍ଵାରା ଉପସ୍ଥାପିତ ଯୁକ୍ତି, ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍ କୁ ଅନୁଶୀଳନ କରିବା ପରେ ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜା ଭାରତୀୟ ଦଣ୍ଡବିଧି ସଂହିତାର ଦଫା – ୪୪୮,୩୫୪ ଏବଂ ୫୦୬ ରେ ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିବା ଜଣାପଡିଛି। ସରକାରଙ୍କ ପକ୍ଷରୁ ଏପିପି ପରେଶ ଚନ୍ଦ୍ର ରଥ ମାମଲା ପରିଚାଳନା କରୁଥିଲେ।