Categories: ଜାତୀୟ

ଭାଜପାମୁକ୍ତ ଭାରତ ପାଇଁ ଆହ୍ବାନ

ପାଟନା,୧।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ବୁଧବାର ପାଟନାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହୋଇ ଭାଜପାମୁକ୍ତ ଭାରତ ଗଠନ ଲାଗି ଆହ୍ବାନ ଦେଇଛନ୍ତି। ଉଭୟ କଂଗ୍ରେସ ଓ ଭାଜପା ଦେଶର ବିକାଶ କରିବାରେ ବିଫଳ ହୋଇଛନ୍ତି। ତେଣୁ ଉଭୟ ଦଳକୁ କ୍ଷମତାଠାରୁ ଦୂରେଇ ରଖିବାକୁ ହେଲେ ଜାତୀୟ ସ୍ତରରେ ସମସ୍ତ ଅଣଭାଜପା ଏବଂ ଅଣକଂଗ୍ରେସ ଦଳଙ୍କୁ ଏକାଠି କରିବା ଲାଗି କେସିଆର୍‌ କହିଛନ୍ତି। ମଞ୍ଚରେ ଆର୍‌ଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ନୀତୀଶ ଜୋର୍‌ଦାର ବର୍ଷିଛନ୍ତି। ରାଜ୍ୟଗୁଡ଼ିକର ଆବଶ୍ୟକତା ପ୍ରତି କେନ୍ଦ୍ର ସରକାର ସମ୍ବେଦନହୀନ ହୋଇପଡ଼ିଥିବାବେଳେ ଅତ୍ୟଧିକ ପ୍ରଚାର ପ୍ରସାରରେ ମାତିଥିବା ନୀତୀଶ କହିଛନ୍ତି। ଦକ୍ଷିଣ ଭାରତରେ ଭାଜପା ନିଜର ସ୍ଥିତି ମଜଭୂତ କରିବା ଲାଗି ଆକ୍ରମଣାତ୍ମକ ପ୍ରଚାରରେ ଲିପ୍ତ ଥିବା ସେ ଅଭିଯୋଗ କରିଛନ୍ତି। କେସିଆର୍‌ଙ୍କ ଉଦ୍ଦେଶ୍ୟରେ ନୀତୀଶ କହିଥିଲେ, ଜଣେ ମାତ୍ର ନେତା ନିଜର ସଂଗ୍ରାମ ବଳରେ ତେଲଙ୍ଗାନା ସୃଷ୍ଟି କରିଛନ୍ତି। ଲୋକେ କେବେହେଲେ ତାଙ୍କଠାରୁ ଦୂରେଇ ଯିବେନି। ବିରୋଧୀ ଦଳଗୁଡ଼ିକକୁ ଏକାଠି କରିବା ଦିଗରେ କେସିଆର୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ବିହାର ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି।

୨୦୨୦ରେ ଲଦାଖର ଗଲଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ସହ ମୁହାଁମୁହିଁ ବେଳେ ଶହୀଦ ହୋଇଥିବା ୫ ଜଣ ଯବାନଙ୍କ ପରିବାରକୁ କେସିଆର୍‌ ଏହି ଅବସରରେ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତାର ଚେକ୍‌ ପ୍ରଦାନ କରିଥିଲେ। ଏଥିସହିତ ଗତ ମାର୍ଚ୍ଚରେ ହାଇଦ୍ରାବାଦ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବିହାରର ୧୨ ଜଣ ପ୍ରବାସୀ ଶ୍ରମିକଙ୍କ ପରିବାରକୁ କେସିଆର୍‌ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ତେଲଙ୍ଗାନା ରାଷ୍ଟ୍ର ସମିତି ଅଧ୍ୟକ୍ଷ କେସିଆର୍‌ଙ୍କ ଏଭଳି କାର୍ଯ୍ୟକୁ ନୀତୀଶ ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ୟପକ୍ଷରେ କେସିଆର୍‌ ତାଙ୍କ ଉଦ୍‌ବୋଧନରେ ବିହାରକୁ ବିପ୍ଳବର ଭୂମି କହିବା ସହ ତାଙ୍କ ନିଜ ରାଜ୍ୟକୁ ଗୋଦାବରୀ ନଦୀର ରାଜ୍ୟ ଏବଂ ଏହା ଦକ୍ଷିଣ ଭାରତର ଗଙ୍ଗା ବୋଲି କହିଥିଲେ।

ବିହାରକୁ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦିଆଯାଉ ନ ଥିବାରୁ ନୀତୀଶ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଲେ, ଏହାର ବିକାଶ ତ୍ୱରାନ୍ବିତ ହୋଇପାରନ୍ତା। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଅନ୍ୟମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉଥିଲା। ଏବେ ମୋଦି ସରକାର କିଛି କାମ ନ କରି କେବଳ ପ୍ରଚାର ପ୍ରସାର ଚଳାଇଛନ୍ତି। ବିହାର ମେଣ୍ଟ ସରକାରରେ ଥାଇ ଭାଜପା ତାଙ୍କ ଦଳକୁ ବିଭାଜନ କରିବାକୁ ଉଦ୍ୟମ ଚଳାଇଥିଲା ବୋଲି ନୀତୀଶ ଅଭିଯୋଗ କରିଥିଲେ।

Share