Categories: ବାଣିଜ୍ୟ

ବ୍ୟାଙ୍କ ଉପରେ ପଡ଼ିପାରେ ୨ ହଜାର କୋଟିର ବୋଝ

ନୂଆଦିଲ୍ଲୀ:  ୨୦୨୦ ମାର୍ଚ୍ଚଠାରୁ ଅଗଷ୍ଟ ଯାଏ ସରକାର ବ୍ୟାଙ୍କ ଋଣ ଉପରେ ମୋରାଟୋରିୟମ ଘୋଷଣା କରିଥିଲେ। ଏହି ସମୟରେ କ୍ଷୁଦ୍ର ଋଣ ଉପରେ ଚକ୍ରବୃଦ୍ଧି ସୁଧ ଛାଡ଼ କରିବା ଲାଗି ନିକଟରେ ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି। ଏହାଦ୍ୱାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଉପରେ ପ୍ରାୟ ୧୮ ଶହ କୋଟି ଟଙ୍କାରୁ ୨ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବୋଝ ପଡିପାରେ ବୋଲି ଆକଳନରୁ ଜଣାପଡିଛି। ଗତବର୍ଷ ନଭେମ୍ବରରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ଛାଡ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ଏହା ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଚାର ପରିସର ରହିଥିଲା। ଋଣ ମୋରାଟୋରିୟମ ଲାଗି ଚକ୍ରବୃଦ୍ଧି ସୁଧ ସହାୟତା ଯୋଜନା ଲାଗି ସରକାରଙ୍କୁ ୨୦୨୦-୨୧ରେ ୫,୫୦୦କୋଟି ଟଙ୍କା ପଡ଼ିବ। ଏହା ମଧ୍ୟରେ ସମସ୍ତ ଋଣ ଗ୍ରହୀତା ରହିଛନ୍ତି। ସେହିଭଳି ଯେଉଁମାନେ ମୋରାଟୋରିୟମ ନେଇ ନାହାନ୍ତି ସେମାନଙ୍କ କ୍ଷେତ୍ରରେ ଏହି ଯୋଜନାକୁ ମଧ୍ୟ ଲାଗୁ କରାଇବା ଲାଗି ଯୋଜନା ରହିଥିଲା। ବ୍ୟାଙ୍କିଙ୍ଗ ଶିଳ୍ପର ଜଣେ ଅଧିକାରୀଙ୍କ ମୁତାବକ, ପ୍ରାୟ ୬୦% ଋଣ ଗ୍ରହୀତା ଋଣ ମୋରାଟୋରିୟମ ଗ୍ରହଣ କରିଥିଲେ। ଲକ୍‌ଡାଉନ ଉଠିବା ପରେ ଋଣ ଆଦାୟ ଉନ୍ନତ ହେବାରୁ ଏହା ୪୦%କୁ ଖସିଛି। କର୍ପୋରେଟଗୁଡିକୁ ବିଚାର କଲେ ଏହା ପ୍ରାୟ ୨୫% ରହିବ। ଯେଉଁ ଗ୍ରାହକ ମୋରାଟୋରିୟମ ଗ୍ରହଣ କରିଥିବେ ସେମାନଙ୍କ ଚକ୍ରବୃଦ୍ଧି ସୁଧ ବ୍ୟାଙ୍କ ବହନ କରିବେ। ଯଦି ଜଣେ ୩ ମାସର ମୋରାଟୋରିୟମ ଗ୍ରହଣ କରିଥାନ୍ତି ତେବେ ଏହି ଅବଧି ଲାଗି ବ୍ୟାଙ୍କ ଉକ୍ତ ଛାଡ ସୁବିଧା ପ୍ରଦାନ କରିବେ। ଉଲ୍ଲେଖଯୋଗ୍ୟ, ମହାମାରୀ ପାଇଁ ରିଜର୍ଭ ବ୍ୟାଙ୍କ ୨୦୨୦ ମାର୍ଚ୍ଚ ପହିଲାରୁ ମେ ପହିଲା ଯାଏ ମୋରାଟୋରିୟମ ଅବଧି ପ୍ରଦାନ କରିଥିଲା। ଏହାକୁ ପରେ ଅଗଷ୍ଟ ମାସ ଯାଏ ବୃଦ୍ଧି କରାଯାଇଥିଲା।

Share