ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨ ପର୍ବତ ଶିଖରକୁ ରବିବାର ସକାଳ ୬ଟା ୯ ମିନିଟ୍ରେ ସଫଳତାର ସହ ଆରୋହଣ କରିଥିଲେ। ସେଠାରେ ସେ ଦେଶମାତୃକାର ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇ ଥିଲେ। ଏହାସହିତ ମାଁ ସମଲେଶ୍ୱରୀଙ୍କ ପ୍ରତିଛବି ଧରି ଛିଡ଼ା ହୋଇଥିବାବେଳେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ପତାକାକୁ ମଧ୍ୟ ସେ ସେଠାରେ ଉଡ଼ାଇ ଥିଲେ। ଜମ୍ମୁ-କଶ୍ମୀରର ପହଲଗାମ୍ସ୍ଥିତ ଜବାହର ପର୍ବତାରୋହଣ ଓ ଶୀତକାଳୀନ କ୍ରୀଡ଼ା ପ୍ରତିଷ୍ଠାନ ଅଧୀନରେ ଆୟୋଜିତ ଉନ୍ନତ ପର୍ବତାରୋହଣ ପ୍ରଶିକ୍ଷଣ, ୫୫ତମ ବ୍ୟାଚ୍ରେ ସେ ଅଂଶଗ୍ରହଣ କରିଥିଲେ। ଗତ ୬ତାରିଖରୁ ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଥିବାବେଳେ ୨୭ ତାରିଖରେ ଉପରୋକ୍ତ ପର୍ବତ ଶିଖରରେ ସେ ତ୍ରିରଙ୍ଗା ଉଡ଼ାଇଥିଲେ। ମାଉଣ୍ଟ ମଚୋଇ-୨ ଏକ ଉଚ୍ଚତାରେ ଅତ୍ୟନ୍ତ କଠିନ ଓ ପ୍ରାକ୍ତିକ ଦକ୍ଷତା ଆବଶ୍ୟକ କରୁଥିବା ପର୍ବତାରୋହଣ ଲକ୍ଷ୍ୟ। ହିମନଦୀ, ବରଫ ଫାଟ, ଖଡ଼ା ବରଫ ଓ ତୁଷାର ଅଞ୍ଚଳ, ପାଣିପାଗର ଦ୍ରୁତ ପରିବର୍ତ୍ତନ ଏବଂ ଉଚ୍ଚତାଜନିତ ଚ୍ୟାଲେଞ୍ଜ ଯୋଗୁ ଏହି ଆରୋହଣ ଅଧିକ କଠିନ ହୋଇଥାଏ। ତେବେ ଏହି ସଫଳତା ଆଶୀର୍ବାଦଙ୍କ ପର୍ବତାରୋହଣ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଯୋଡ଼ି ଥିବାବେଳେ ଏହା ଓଡ଼ିଶା, ବରଗଡ଼ ଓ ସଂକଳ୍ପ ପରିବାର ପାଇଁ ଗୌରବର ମୁହୂର୍ତ୍ତ ପାଲଟିଛି ବୋଲି ମତପ୍ରକାଶ ପାଇଛି।