ସମୁଦ୍ରରୁ ମାଡ଼ି ଆସୁଛି ବଡ଼ ବାତ୍ୟା! ଏହିଦିନ କରିବ ଲ୍ୟାଣ୍ଡଫଲ୍‌…

ନୂଆଦିଲ୍ଲୀ,୧୦।୬: ଆସୁଛି ବଡ଼ ବାତ୍ୟା । ଯାହାକୁ ନେଇ ଛାନିଆ ହେଲେଣି ଉପକୂଳବାସୀ । ସାମୁଦ୍ରିକ ବାତ୍ୟା କ୍ରିଷ୍ଟିନାକୁ ନେଇ ଏବେ ସବୁଠି ଭୟର ମାହୋଲ । ଯାହାକୁ ନେଇ ପ୍ରଶାସନ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଏବଂ ଲୋକଙ୍କୁ ସୁରକ୍ଷିତ ରହିବାକୁ ନିର୍ଦ୍ଦେଶ ଦେଇଛି ।

ରିପୋର୍ଟ ଅନୁସାରେ, ପ୍ରଶାନ୍ତ ମହାସାଗର ନିକାରାଗୁଆ ଉପକୂଳରେ ବାତ୍ୟା କ୍ରିଷ୍ଟିନା ସୃଷ୍ଟି ହୋଇଛି । ନ୍ୟାଶନାଲ ହରିକେନ ସେଣ୍ଟର୍‌ ଅଫ ମିଆମି କହିଛି ଯେ, କ୍ରିଷ୍ଟିନା ଏବେ ସମୁଦ୍ରରେ ବଳ ଗୋଟାଇ ଦକ୍ଷିଣ ଆମେରିକା ଆଡକୁ ମାଡି ଆସୁଛି । ବର୍ତ୍ତମାନ ସମୁଦ୍ରରେ ବାତ୍ୟାର ବେଗ ରହିଛି ଘଣ୍ଟାପ୍ରତି ୪୫ମାଇଲ ବା ୭୫କିଲୋମିଟର । ଏହା ଧିରେ ଧିରେ ସାନ ସାଲଭାଡର ଏବଂ ଏଲ ସାଲଭାଡର ଆଡକୁ ଗତି କରୁଛି । ସାଲାଭାଡର ଉପକୂଳରୁ ଏହା୧୨୫ମାଇଲ ଦୂରରେ ରହିଛି ।

ପାଣିପାଗବିତ୍‌ଙ୍କ କହିବାନୁସାରେ, ପୁଏତ୍ରୋ ସାନଡିନୋରୁ ଗୁଏତମାଲା ଏବଂ ଏଲ ସାଲାଭାଡାର ଉପକୂଳରେ ବାତ୍ୟା ପାଇଁ ସତର୍କତା ଜାରି କରାଯାଇଛି । ଏହା ଶୁକ୍ରବାର ଉପକୂଳ ଛୁଇଁପାରେ । ବାତ୍ୟା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ପ୍ରାୟ୧୦୦ରୁ୪୦୦ମିଲିମିଟର ବର୍ଷା ହେବା ନେଇ ଅନୁମାନ କରାଯାଉଛି । କିଛି ସ୍ଥାନରେ ବର୍ଷାର ପରିମାଣ୫୦୦ମିମି ଅତିକ୍ରମ କରିବା ନେଇ ପାଣିପାଗବିତ୍ ଆଶଙ୍କା କରୁଛନ୍ତି ।

ନିକାରାଗୁଆ, ହଣ୍ଡୁରାସ, ଏଲ ସାଲଭାଡର ଏବଂ ଗୁଏତମାଲାରେ ଗୁରୁବାରଠୁ ବର୍ଷା ଆରମ୍ଭ ହୋଇଯିବ । ଏହି ସବୁ ଜାଗାରେ ଅଧିକରୁ ଅଧିକ ପରିମାଣର ବର୍ଷା ହେବା ନେଇ ଆକଳନ କରାଯାଉଛି । ଫଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ବାତ୍ୟା ପ୍ରଭାବରେ ପବନର ବେଗ ମଧ୍ୟ ଅଧିକ ରହିବ । ଫଳରେ ବିଦ୍ୟୁତସେବା ବ୍ୟାହତ ହୋଇପାରେ । ଏପରିକି ଅନେକ ଲୋକ ବାସହରା ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, କ୍ରିଷ୍ଟିନା ହେଉଛି ପୂର୍ୱ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର କମ ଦିନର ବ୍ୟବଧାନରେ ଦ୍ୱିତୀୟ ସାମୁଦ୍ରିକ ବାତ୍ୟା । କିଛି ଦିନ ପୂର୍ୱରୁ ବାତ୍ୟା ବୋରିସ ମେକ୍ସିକୋ ଉପକୂଳରେ ଅର୍ଥାତ ମଙ୍ଗଳବାର ଲ୍ୟାଣ୍ଡଫଲ କରିଥିଲା ।

Share