Categories: ଜାତୀୟ

ନ୍ୟାୟ ପ୍ରଦାନ ସମୟ-ପ୍ରକ୍ରିୟା ମଧ୍ୟରେ ସନ୍ତୁଳନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ, ୨୦।୮ : ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇ ସଶସ୍ତ୍ର ବାହିନୀକୁ ଠିକ ସମୟରେ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏକ ସେମିନାରକୁ ସମ୍ବୋଧିତ କରି ରାଜନାଥ ସିଂ କହିଛନ୍ତି, ଆମେ ପ୍ରାୟତଃ ନ୍ୟାୟ ବିଳମ୍ବ ବିଷୟରେ କହୁଛୁ ଏବଂ ନ୍ୟାୟରୁ ବଞ୍ଚିତ ହେଉଥିବା ସମ୍ପର୍କରେ ଚର୍ଚ୍ଚା କରୁଛୁ। ତେଣୁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ବିକାଶ କରି ଧାର୍ଯ୍ୟ ସମୟ ମଧ୍ୟରେ ନ୍ୟାୟ ପ୍ରଦାନକୁ ନିଶ୍ଚିତ କରିବାକୁ ଚେଷ୍ଟା କରିବା ଉଚିତ ବୋଲି ସେ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏହା କରିବାବେଳେ ମଧ୍ୟ ଆମେ ସଚେତନ ହେବା ଆବଶ୍ୟକ। ନ୍ୟାୟ ପ୍ରଦାନରେ ସମୟ ଏବଂ ପ୍ରକ୍ରିୟା ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଆଜିର ସମୟର ଏକ ଗୁରୁତ୍ୱପୂର୍ଣ୍ଣ ଚାହିଦା ବୋଲି ସେ କହିଛନ୍ତି। ଏହା ନ୍ୟାୟ ପାଇଁ ଅପରିହାର୍ଯ୍ୟ।

ଆଇଦଜୀବୀଙ୍କ ଅବଦାନ ବିନା ସ୍ବାଧୀନ ଭାରତ ସମ୍ଭବ ହୋଇ ପାରି ନଥାନ୍ତା। ଦେଶର ସ୍ବାଧୀନତା ସଂଗ୍ରାମରେ ଆଇନଜୀବୀମାନଙ୍କର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସି ରାଜାଗୋପାଲଚାରୀ, ବାଲ ଗଙ୍ଗାଧର ତିଲକ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଏସ ଶ୍ରୀନିବାସ ଆୟେଙ୍ଗର, ସର୍ଦ୍ଦାର ପଟେଲ କିମ୍ବା ଡକ୍ଟର ଭୀମରାଓ ଆମ୍ବେଡକର ପ୍ରମୁଖଙ୍କ ଅବଦାନ ବିନା ଭାରତ ଗଠନ ସମ୍ଭବ ହୋଇ ନଥାନ୍ତା।

କୋର୍ଟଙ୍କୁ ଅଧିକ ଉତ୍ତରଦାୟୀ କରିବାକୁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି। ସେବାରତ ତଥା ପୂର୍ବତନ ସୈନ୍ୟଙ୍କୁ ସେବା ପ୍ରଦାନ କରିବା ସହିତ ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସେ କହିଛନ୍ତି।

Share