ଗଜପତି,୭।୮(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ କଡମତାଲ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଘରେ ଶୋଇଥିବା ବେଳେ ରଣା ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଅଜୟ କୁମାର ବଡରଇତ ଗତକାଲି ରାତିରେ ପତ୍ନୀ ଲଳିତା ରଇତ (୩୦), ପୁଅ ଅମିତ କୁମାର ବଡରଇତ (୭) ଓ ଦେଢ଼ ବର୍ଷର ଝିଅ ସହ ଘରେ ଶୋଇଥିଲେ। ଏହି ସମୟରେ ଦୁଇଟି ରଣା ସାପ ଘରେ ପଶି ଲଳିତା ଓ ଅମିତଙ୍କ ହାତକୁ କାମୁଡ଼ି ଦେଇଥିଲା। ଉଭୟ ଯନ୍ତ୍ରଣାରେ ଛଟପଟ ହେବାରୁ ଚିତ୍କାର ଶୁଣି ଅଜୟଙ୍କ ନିଦ ଭାଙ୍ଗିଥିଲା। ସେ ଉଠି ଦେଖିବା ବେଳେ ଘରେ ଦୁଇଟି ରଣା ସାପ ଥିବା ଜାଣିବାକୁ ପାଇଥିଲେ। ପରିବାର ଲୋକେ ତୁରନ୍ତ ମାଆ ଓ ପୁଅଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଲଳିତା ଓ ଅମିତଙ୍କ ମୃତ୍ୟୁ ଘଟିଥିଲା। ସୌଭାଗ୍ୟବଶତଃ ଅଜୟ କୁମାର ବଡରଇତ ଓ ତାଙ୍କ ଦେଢ଼ ବର୍ଷର କନ୍ୟା ସାପ କାମୁଡ଼ାରୁ ରକ୍ଷା ପାଇଯାଇଛନ୍ତି। ଏହି ଘଟଣା ପରେ କଡମତାଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

