Categories: ଜାତୀୟ

ଉଠିଲା ୭ ଦିନିଆ କ୍ୱାରାଣ୍ଟାଇନ୍‌ ନିୟମ

ନୂଆଦିଲ୍ଲୀ,୧୧।୨(ପି.ଟି.):କୋଭିଡ୍‌ ସଂକ୍ରମଣ କମିଥିବାରୁ କେନ୍ଦ୍ର ସରକାର ଭାରତ ଆସୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ସଂଶୋଧିତ ଗାଇଡ୍‌ଲାଇନ ଜାରି କରିଛନ୍ତି। ବିଦେଶୀ ଯାତ୍ରୀଙ୍କ ପାଇଁ ୭ ଦିନିଆ ବାଧ୍ୟତାମୂଳକ ହୋମ୍‌ କ୍ୱାରାଣ୍ଟାଇନ୍‌ ଏବଂ ଅଷ୍ଟମ ଦିନରେ ଆର୍‌ଟି-ପିସିଆର୍‌ ପରୀକ୍ଷାକୁ ବାଦ୍‌ ଦିଆଯାଇଛି। ନୂଆ ଗାଇଡ୍‌ଲାଇନ ଫେବୃୟାରୀ ୧୪ରୁ ଲାଗୁ ହେବ। ବିମାନବନ୍ଦରରେ ପହଞ୍ଚତ୍ବା ପରେ ମୋଟ ଯାତ୍ରୀଙ୍କ ମଧ୍ୟରୁ ୨ ପ୍ରତିଶତଙ୍କ ର଼୍ୟାଣ୍ଡମ୍‌ ପରୀକ୍ଷା କରାଯିବ। ଉକ୍ତ ଯାତ୍ରୀମାନେ ସେମାନଙ୍କ ସ୍ବାବ୍‌ ନମୁନା ଦେଇ ବିମାନବନ୍ଦରରୁ ଯାଇପାରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ପୂର୍ବରୁ ରହିଥିବା ୭ ଦିନିଆ ବାଧ୍ୟତାମୂଳକ ହୋମ୍‌ କ୍ୱାରାଣ୍ଟାଇନ ବଦଳରେ ଯାତ୍ରୀମାନେ ପହଞ୍ଚତ୍ବାର ୧୪ ଦିନ ପର୍ଯ୍ୟନ୍ତ ନିଜ ସ୍ବାସ୍ଥ୍ୟ ଉପରେ ନଜର ରଖିବେ। ବିମାନ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଆର୍‌ଟି-ପିସିଆର୍‌ ପରୀକ୍ଷା ନେଗେଟିଭ୍‌ ରିପୋର୍ଟ ଅପ୍‌ଲୋଡ୍‌ ସହିତ କୋଭିଡ୍‌ ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ନେଇଥିବାର ସାର୍ଟିଫିକେଟ ଅପ୍‌ଲୋଡ୍‌ କରିବା ଲାଗି ବିକଳ୍ପ ରହିବ। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଆମେରିକା, ନ୍ୟୁଜିଲାଣ୍ଡ, ସୁଇଜରଲାଣ୍ଡ, ଅଷ୍ଟ୍ରେଲିଆ, ହଂକଂ, ସିଙ୍ଗାପୁର, ସାଉଦି ଆରବ, ଇସ୍ରାଏଲ୍‌, ବାଂଲାଦେଶ, ଇରାନ, ନେପାଳ, ମେକ୍ସିକୋ, ନେଦରଲାଣ୍ଡସ୍‌ ସମେତ ୮୨ ଦେଶର ତାଲିକା ଦିଆଯାଇଛି। ସେହିପରି ଅଷ୍ଟମ ଦିନରେ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଇ ଏହାକୁ ଏୟାର ସୁବିଧା ପୋର୍ଟାଲରେ ଅପ୍‌ଲୋଡ୍‌ କରିବାକୁ ହେବ। ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ଯାତ୍ରୀଙ୍କଠାରେ ଲକ୍ଷଣ ଦେଖାଦେଲେ ସ୍ବାସ୍ଥ୍ୟସେବା ପ୍ରୋଟୋକଲ ଅନୁଯାୟୀ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଆଇସୋଲେଶନରେ ରଖାଯିବ। ପଜିଟିଭ୍‌ ଚିହ୍ନଟ ହେଲେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯିବ। ପଜିଟିଭ୍‌ ଚିହ୍ନଟ ହୋଇଥିବା ଯାତ୍ରୀଙ୍କ ନମୁନା ଜିନୋମ୍‌ ପରୀକ୍ଷା ଲାଗି ଆଇଏନ୍‌ଏସ୍‌ଏସିଓଜି ଲାବରେଟୋରିକୁ ପଠାଯିବ। ସେହିପରି ସାମୁଦ୍ରିକ ବନ୍ଦର ବା ସ୍ଥଳଭାଗ ବନ୍ଦର ଦେଇ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ମଧ୍ୟ ସମାନ ପ୍ରୋଟୋକଲ ଲାଗୁ ହେବ। ୫ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ବିମାନ ବନ୍ଦରରେ ପହଞ୍ଚତ୍ବା ପୂର୍ବରୁ ଓ ପରେ କୋଭିଡ୍‌ ପରୀକ୍ଷା କରାଇବାକୁ ପଡ଼ିବ ନାହିଁ। ବିମାନ ବନ୍ଦରରେ ପହଞ୍ଚତ୍ବା ପରେ କିମ୍ବା ସ୍ବାସ୍ଥ୍ୟ ଉପରେ ନଜର ରଖିବା ସମୟରେ ଯଦି ସେମାନଙ୍କଠାରେ ଲକ୍ଷଣ ଦେଖାଯାଏ, ତେବେ କୋଭିଡ୍‌ ପରୀକ୍ଷା କରାଇବାକୁ ହେବ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି।

Share