Categories: ଜାତୀୟ

୬୫ ବର୍ଷ ବୟସ୍କା ମହିଳା ୧୩ ମାସରେ ପ୍ରସବ କରିଛନ୍ତି ୮ ସନ୍ତାନ…

ମୁଜାଫରପୁର, ୨୦।୮: ଜଣେ ୬୫ ବର୍ଷ ବୟସ୍କା ମହିଳା ୧୩ ମାସରେ ୮ଜଣ ସନ୍ତାନଙ୍କୁ ପ୍ରସବ କରିଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ବିହାର ସ୍ବାସ୍ଥ୍ୟ ବିଭାଗ କାଗଜ ପତ୍ରରେ ସତ୍ୟରେ ପରିଣତ ହୋଇଛି। ମହିଳାଙ୍କ ନାମରେ ସ୍ବାସ୍ଥ୍ୟ ବିଭାଗରୁ ଟଙ୍କା ହଡ଼ପ କରାଯାଇଛି। ସ୍ଥାନୀୟ ମୁଜାଫରପୁରର ମୁଶହରି ଅଞ୍ଚଳର ଛୋଟି କୋଠିଆ ଗାଁର ୬୫ ବର୍ଷ ବୟସ୍କା ଶାନ୍ତି ଦେବୀଙ୍କ ନାମରେ ଟଙ୍କା ହଡ଼ପ କରାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନ ଅନ୍ତର୍ଗତ ପ୍ରସୂତୀଙ୍କୁ ୧୪ ଶହ ଟଙ୍କା ଦେବାର ଯୋଜନା ରହିଛି। ୧୩ ମାସରେ ଶାନ୍ତି ଦେବୀଙ୍କ ନାମରେ ୮ଥର ପ୍ରସବ କାଳୀନ ସହାୟତା ସ୍ବାସ୍ଥ୍ୟ ବିଭାଗରୁ ଲୁଟ କରାଯାଇଛି। ପ୍ରକୃତ ପକ୍ଷେ ଶାନ୍ତି ଦେବୀଙ୍କର ଛୋଟ ପୁଅର ବୟସ ଏବେ ୨୦ ବର୍ଷ। ଶାନ୍ତି ଦେବୀଙ୍କ ବ୍ୟାଙ୍କଖାତାରେ ୨୦୧୯ ଜୁଲାଇଠାରୁ ୨୦୨୦ ଅଗଷ୍ଟ ମଧ୍ୟରେ ୮ ଥର ପ୍ରସବ କାଳୀନ ସହାୟତା ଟଙ୍କା ସ୍ବାସ୍ଥ୍ୟ ବିଭାଗରୁ ଆସିଛି। ଏହା ଜଣାପଡ଼ିବା ପରେ ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ସୋସିଆଲ୍‌ ମିଡ଼ିଆରେ ଖବର ପ୍ରଚାର ହେବା ପରେ ସ୍ବାସ୍ଥ୍ୟ ବିଭାଗର ଅକଲ ଗୁଡୁମ୍‌ ହୋଇଯାଇଛି।

Share