୫ଶହ ବର୍ଷର ଚାକୁଣ୍ଡା ଗଛକୁ କାଟିଦେଲେ: ପକ୍ଷୀ ଡହଳବିକଳ

ମହାକାଳପଡ଼ା,୩।୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ୫୦୦ ବର୍ଷରୁ ଅଧିକ ବିଶାଳ ଚାକୁଣ୍ଡା ଗଛକୁ ପରିଚାଳନା କମିଟି କାଟି ଦେଇଛନ୍ତି। ଏହି ବିଶାଳକାୟ ଗଛଟିର ଐତିହ୍ୟ ଓ କିମ୍ବଦନ୍ତୀକୁ ନେଇ ଧରିତ୍ରୀରେ ଜାନୁଆରୀ ପ୍ରଥମ ସପ୍ତାହରେ ଏକ ଶୀର୍ଷକ ‘ପୁରୁଣା ଚାକୁଣ୍ଡା ଗଛ ପାଲଟିଛି ମୂକସାକ୍ଷୀ’ ପ୍ରକାଶ ପାଇଥିଲା। ଏହି ଗଛଟିକୁ ସୁରକ୍ଷା ଦେବା ପାଇଁ ରାମଚଣ୍ଡୀ ଆଞ୍ଚଳିକ ସେନା ପକ୍ଷରୁ ଦାବି କରାଯାଇଥିଲା। ଖବର ପ୍ରସାରଣର ଦେଢ଼ ମାସ ପରେ ମନ୍ଦିର ପରିଚାଳନା କମିଟି ତରବରିଆ ଭାବେ ବିନା କାରଣରେ ଗଛଟିର ବଡ଼ ବଡ଼ ଶାଖାକୁ ମେଶିନ୍‌ ଦ୍ୱାରା ଖଣ୍ଡ ଖଣ୍ଡ କରିଛନ୍ତି। ଫଳରେ ଗଛର ଶାଖା ପ୍ରଶାଖା କୋରଡରେ ଆଶ୍ରୟ ନେଇଥିବା ସରୀସୃପ ଓ ବିଭିନ୍ନ ପ୍ରଜାତିର ପକ୍ଷୀ ବାସହରା ହୋଇ ଏଣେତେଣେ ଘୂରି ବୁଲୁଛନ୍ତି। ଏହି ବିଶାଳ ଗଛ କୋରଡରେ ବିଭିନ୍ନ ପ୍ରଜାତିର ପକ୍ଷୀ ତଥା ଶୁଆ ସାରୀ, ଟିଆ, ଧଳା ପେଚା, ଘରଚଟିଆ, ବଣି, କୁଣ୍ଡାପଟିକି, କୁମ୍ଭାଟୁଆ, ହଳଦୀବସନ୍ତ ଆଦି ପକ୍ଷୀ ବସା ବାନ୍ଧି ରହୁଥିଲେ। ଏହି ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦକୁ ମନ୍ଦିର ଦର୍ଶନ କରିବାକୁ ଆସୁଥବା ଶ୍ରଦ୍ଧାଳୁମାନଙ୍କ ମନକୁ ବେଶ୍‌ ଆନନ୍ଦିତ କରୁଥିଲା। ଅପରପକ୍ଷରେ ଏହି ଗଛମୂଳେ ଶ୍ରଦ୍ଧାଳୁମାନେ ପ୍ରବଳ ଉତ୍ତାପରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଉଥିଲେ। ତେବେ କିଛିଦିନ ପରେ ମା’ଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହେବ। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଶ୍ରଦ୍ଧାଳୁମାନେ ଝାମୁଯାତ୍ରା ସମୟରେ ଛାଇ ତଳେ ବିଶ୍ରାମ ନିଅନ୍ତି ବୋଲି ପରିବେଶପ୍ରେମୀ ବିରଞ୍ଚତ୍ ନାରାୟଣ ଦାସ କହିଛନ୍ତି। ଗଛ କଟା ହେବା ଦ୍ୱାରା ବିଭିନ୍ନ ଦେଶୀୟ ପକ୍ଷୀମାନଙ୍କ ବସା ନଷ୍ଟ ହେବାକୁ ବସିଛି। ଚଳିତ ସପ୍ତାହରେ ପ୍ରବଳ ଖରାରେ ଅସୁରକ୍ଷିତ ମନେ କରି ନିକଟ ବାଡ଼ି ବଗିଚାରେ ପେଚା ସମେତ ବିଭିନ୍ନ ପକ୍ଷୀ ଛୋଟ ଗଛ ଉହାଡରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ବଡ଼ ଦୁଃଖ ଓ ପରିତାପର ବିଷୟ, ମନ୍ଦିର ପରିଚାଳନା କମିଟି ବିନା କାରଣରେ କଞ୍ଚାଗଛକୁ କିପରି କାଟିଲେ ବୋଲି ସେନା ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ଦାୟିତ୍ୱରେ ଥିବା ମଥୁରୀ ଚରଣ ସେନାପତିଙ୍କୁ ପଚାରିବାରେ ଗଛଟି ଭାଙ୍ଗି ପଡ଼ିବା ଆଶଙ୍କା ଥିବାରୁ ସେଥିପାଇଁ ଗଛ କଟାଗଲା ବୋଲି କହିଛନ୍ତି। ଏ ସମ୍ପର୍କରେ ପକ୍ଷୀପ୍ରେମୀ ସୁବାସ ସ୍ବାଇଁ କହିଛନ୍ତି, ମନ୍ଦିର ପରିଚାଳନା କମିଟି ପରିସରରେ ଗୋଟିଏ ବି ଗଛ ଲଗାଇ ନାହିଁ। ଏହି ବିଶାଳ ଗଛଟି ପକ୍ଷୀମାନଙ୍କର ଆଶ୍ରୟସ୍ଥଳ ପାଲଟିଥିଲା। କିପରି ଓ କେଉଁ ପରିସ୍ଥିତିରେ ଏହି ଚାକୁଣ୍ଡା ଗଛଟିକୁ ପରିଚାଳନା କମିଟି କାଟିଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରବଳ ଗରମରେ ପକ୍ଷୀମାନେ କେଉଁଠି ଆଶ୍ରୟ ନେବେ ବୋଲି ସେ କହିଛନ୍ତି।