ଟିଉସନ କରିବା ବେଳେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲେ; ଅପହରଣ ପରେ ବଳାତ୍କାର ଅଭିଯୋଗରେ ବାନ୍ଧିଲା ପୋଲିସ

ପାଟଣା,୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ପାଟଣା ପୋଲିସ ଜଣେ ୨୮ ବର୍ଷର ଯୁବକଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଉଛନ୍ତି ପାଟଣା ଥାନା ଉଦୟପୁର ଗ୍ରାମର ଗତିକୃଷ୍ଣ ସେଠୀ। ଏନେଇ ପାଟଣା ଥାନାରେ ୬୮/୨୧ରେ ଏକ ମାମଲା ରୁଜୁ ହୋଇ ଭାରତୀୟ ପିଙ୍ଗଳ କୋର୍ଡ଼ ୩୬୩, ୩୭୬(୪), ପୋସ୍କୋ ଆକ୍ଟରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

ନାବାଳିକା ପରିବାରର ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଗତିକୃଷ୍ଣ ନାବାଳିକାଙ୍କୁ ଟିଉସନ କରୁଥିଲେ। ଏହି ସମୟରେ ସେ ତାଙ୍କୁ ପ୍ରେମ ଜାଲରେ ଫସାଇ ଗତ ମେ’ ୧୮ ତାରିଖରେ ଅପହରଣ କରି ବାରିପଦାକୁ ନେଇ ଯାଇଥିଲେ। ପରେ ଅଭିଯୁକ୍ତ ସମ୍ପର୍କୀୟ ମାଉସୀ ଘର ମାଟିଆଗଡ଼ ଗ୍ରାମରେ ନାବାଳିକାଙ୍କୁ ରଖି ବାରମ୍ବାର ବଳାତ୍କାର କରିଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକେ ପାଟଣା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଅଭିଯୁକ୍ତଙ୍କ ପରିବାରଙ୍‌ଲୋକେ ନାବାଳିକଙ୍କୁ ସେଠାରୁ ଆଣି ଥାନାରେ ହାଜର କରାଇଥିଲେ। ପୋଲିସ ପକ୍ଷରୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନାବାଳିକାଙ୍କ ଡାକ୍ତର ମାଇନା କରାଯାଇଥିଲା। ଏଥିସହ ପୋଲିସ ଘଟଣାର ତଦନ୍ତ କରି ଫେରାର ଥିବା ଅଭିଯୁକ୍ତ ଟିଉସନ ମାଷ୍ଟର ଗତିକୃଷ୍ଣକୁ ମଙ୍ଗଳବାର ମାଉସୀ ଘର ମାଟିଆଗଡ଼ ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ କାରୀ ଅଧିକାରୀ ଏସ୍‌ଆଇ ଶିବଶଙ୍କର ଆଲଦା ସୂଚନା ଦେଇଛନ୍ତି। ଘଟଣାଟି ଏକ ନାବାଳିକାଙ୍କ ଉପରେ ଥିବାରୁ ଅତିରିକ୍ତ ଏସ୍‌ପି ସୁରେଶ କୁମାର ନାଏକ ଓ ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ତଦନ୍ତ କାର୍ଯ୍ୟକୁ ତ୍ୱରାନ୍ବିତ କରିଥିବା ଜଣାପଡ଼ିଛି।