ଶିମ୍ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି ବୁଲା କୁକୁର ସଂଘାତିକ ଭାବେ ଆକ୍ରମଣ କରିଛନ୍ତି। କୁକୁର ଶିଶୁଟିକୁ ଘର ବାହାରୁ ଘୋଷାଡ଼ି ପ୍ରାୟ ୨୦ ରୁ ୩୦ ମିଟର ଦୂରକୁ ନେଇଯାଇ ନିଷ୍ଠୁର ଭାବେ କ୍ଷତବିକ୍ଷତ କରିଦେଇଥିଲେ। ଶିଶୁର ଚିତ୍କାର ଶୁଣି ମା’ ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବହୁ କଷ୍ଟରେ ତାକୁ କୁକୁରଙ୍କ କବଳରୁ ଉଦ୍ଧାର କରିଥିଲେ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ପରିବାର ଲୋକଙ୍କ ସୂଚନା ଅନୁସାରେ, ରବିବାର ଏହି ଦୁର୍ଘଟଣା ଘଟିଥିଲା। କୁକୁରମାନେ ଶିଶୁଟିର ମୁଣ୍ଡ, କାନ ପାଖ, ବେକ, ଛାତି, ପେଟ ଏବଂ ହାତ ସମେତ ଶରୀରର ବିଭିନ୍ନ ଅଂଶକୁ ଗଭୀର ଭାବେ କାମୁଡ଼ି ଖଣ୍ଡବିଖଣ୍ଡ କରିଦେଇଛନ୍ତି। ଗୁରୁତର ଅବସ୍ଥାରେ ଶିଶୁଟିକୁ ତୁରନ୍ତ ଆଇଜିଏମ୍ସି(IGMC) ଶିମ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଶରୀରରେ ପ୍ରାୟ ୨୦ଟି ଷ୍ଟିଚ ପଡ଼ିଛି।
ଶିଶୁଟିର ମା’ କହିଛନ୍ତି ଯେ, ସେ ଘର ଭିତରେ ଲୁଗା ଧୋଉଥିବା ସମୟରେ ହଠାତ୍ ଝିଅର ଚିତ୍କାର ଶୁଣିବାକୁ ପାଇଥିଲେ। ବାହାରକୁ ଆସି ଦେଖିଲା ବେଳକୁ ଦୁଇଟି କୁକୁର ତାଙ୍କ ଝିଅକୁ ଆକ୍ରମଣ କରୁଥିଲେ। ସେ ଏବଂ ଆଖପାଖ ଲୋକେ କୁକୁରଙ୍କୁ ଗୋଡ଼ାଇ ଶିଶୁଟିକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ପ୍ରଶାସନ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ସମ୍ପୃକ୍ତ ଅଞ୍ଚଳରୁ ହିଂସ୍ର ବୁଲା କୁକୁରଙ୍କୁ ହଟାଇବାକୁ ସେ ଦାବି କରିଛନ୍ତି।