ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି ଏସିଆନ ଗେମ୍ସରେ ନିଜ ପ୍ରତିଭାର ଚମକ ଦେଖାଇଛନ୍ତି। ମହିଳା ୨୦୦ ମିଟର ବ୍ୟକ୍ତିଗତ ରେସ୍ରେ ସ୍ବର୍ଣ୍ଣ ପଦକ ଜିତିବା ସହ ସେ ନୂଆ ଏସିଆନ ଗେମ୍ସ ରେକର୍ଡ ସ୍ଥାପନ କରିଛନ୍ତି।
ୟୁ ଜିଦି ୨ ମିନିଟ ୬.୧୦ ସେକେଣ୍ଡରେ ରେସ ଶେଷ କରି ଏହି ସଫଳତା ହାସଲ କରିଥିଲେ। ଏହା ସହ ସେ ୟୁ ୟିଟିଙ୍ଗଙ୍କ ୨ ମିନିଟ ୬.୮୨ ସେକେଣ୍ଡର ପୂର୍ବ ଏସିଆନ ଗେମ୍ସ ରେକର୍ଡକୁ ପଛରେ ପକାଇଛନ୍ତି।
ବିଶ୍ୱସ୍ତରରେ ମଧ୍ୟ ୟୁ ଜିଦିଙ୍କ ନାଁ ଚର୍ଚ୍ଚାରେ ରହିଛି। ମହିଳା ୨୦୦ ମିଟର ବ୍ୟକ୍ତିଗତ ରେସ୍ରେ ତାଙ୍କ ୨ ମିନିଟ୍ ୦୬.୧୦ ସେକେଣ୍ଡ ସମୟ ଏପର୍ଯ୍ୟନ୍ତର ଦ୍ୱିତୀୟ ଦ୍ରୁତତମ ବୋଲି ଉଲ୍ଲେଖ କରାଯାଉଛି। କାନାଡାର ସମର ମ୍ୟାକିଣ୍ଟୋଶ ୨ ମିନିଟ୍ ୦୫.୭୦ ସେକେଣ୍ଡ ସହ ବିଶ୍ୱ ରେକର୍ଡ କରିଛନ୍ତି। ଅର୍ଥାତ୍ ୟୁ ଜିଦି ମାତ୍ର ୦.୪୦ ସେକେଣ୍ଡ ପଛରେ ରହିଛନ୍ତି।
ବିଶେଷ କଥା ହେଉଛି, ଏହି ରେସ ପୂର୍ବରୁ ୟୁ ଜିଦିଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୨ ମିନିଟ ୭.୪୧ ସେକେଣ୍ଡ ଥିଲା। ଏହି ପ୍ରଦର୍ଶନରେ ସେ ନିଜ ରେକର୍ଡରେ ବଡ଼ ସୁଧାର ଆଣିଛନ୍ତି।
୨୦୦ ମିଟର ବ୍ୟକ୍ତିଗତ ରେସ୍ ପୂର୍ବରୁ ୟୁ ଜିଦି ୨୦୦ ମିଟର ବଟରଫ୍ଲାଏରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହି ଇଭେଣ୍ଟରେ ସେ ୨ ମିନିଟ ୫.୦୮ ସେକେଣ୍ଡ ସମୟ ନେଇ ଏସିଆନ ଗେମ୍ସ ରେକର୍ଡ ସ୍ଥାପନ କରିଥିଲେ। ଏହିପରି ଭାବେ ମାତ୍ର ୧୩ ବର୍ଷ ବୟସରେ ୟୁ ଜିଦି ଏସିଆନ ଗେମ୍ସରେ ଲଗାତାର ଦୁଇଟି ସ୍ବର୍ଣ୍ଣ ସହ ଦୁଇଟି ରେକର୍ଡ ନିଜ ନାମରେ କରିଛନ୍ତି।
ୟୁ ଜିଦିଙ୍କ ଅଭିଯାନ ଏଠାରେ ଶେଷ ହୋଇନାହିଁ। ଚଳିତ ସପ୍ତାହରେ ହେବାକୁ ଥିବା ମହିଳା ୪୦୦ ମିଟର ବ୍ୟକ୍ତିଗତ ରେସ୍ ଉପରେ ଏବେ ସମସ୍ତଙ୍କ ନଜର ରହିବ।