୩ ଲିଟର କ୍ଷୀର ଦେଉଛି ୧୩ ମାସର ବାଛୁରୀ

ଭଦ୍ରକ, ୩।୯(ସନାତନ ରାଉତ)ମାତ୍ର ୧୩ ମାସର ଏକ ବାଛୁରୀ ଗର୍ଭବତୀ ନ ହୋଇ ମଧ୍ୟ ଦିନକୁ ୩ ଲିଟର କ୍ଷୀର ଦେବା ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କୃତ୍ରିମ ପ୍ରଜନନରୁ ଜନ୍ମ ହୋଇଥିବା ମାଈ ବାଛୁରୀଟି ଏବେ କାମଧେନୁର ଆଖ୍ୟା ପାଇଛି। ଏପରି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ତିହିଡ଼ି ବ୍ଲକର ଫତେପୁର ଗ୍ରାମରେ। ଉକ୍ତ ଗ୍ରାମର ସୁଦର୍ଶନ ଦାସଙ୍କ ବାଛୁରୀ ମାତ୍ର ୧୨ମାସ ବୟସରୁ ଦୁଗ୍ଧ ଉତ୍ପାଦନ ଆରମ୍ଭ କରିଛି। ପ୍ରଥମେ ଏକ ମାସ ବୟସ ହେବା ପରେ ଉକ୍ତ ବାଛୁରୀର ଚିର ଏବଂ ପହ୍ନା ବାହାରିବା ଆରମ୍ଭ ହେଲା। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଭିଟାମିନ, ଦାନା ଆଦି ଖାଇବାକୁ ଦେବା ପରେ ବାଛୁରୀଟି ଏବେ ଦୁଇ ଓଳିରେ ଦୈନିକ ୩ ଲିଟର କ୍ଷୀର ଦେଉଥିବା କହିଛନ୍ତି ସୁଦର୍ଶନ। ଉପଯୁକ୍ତ ଲାଳନପାଳନ, ଖାଦ୍ୟ, ଯନତ୍ ତଥା ଅତ୍ୟଧିକ ପ୍ରୋଲାକ୍ଟିନ, ଅକ୍ସିଟୋସିନ ଆଦି ହରମୋନ କ୍ଷରଣ ଯୋଗୁ ଏହା ସମ୍ଭବ ବୋଲି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ନିରାକାର ଜେନା କହିଛନ୍ତି।