୧୦୦ ଫୁଟ୍‌ ପଥର ପ୍ୟାକିଂ ଧସିଲା

ଚଣ୍ଡିଖୋଲ, ୨୬।୮ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତ୍‌ସିଂହପୁର ଜିଲା ଅତିକ୍ରମ କରିଥିବା ହରିଦାସପୁର-ପରାଦୀପ ରେଳପଥ ପ୍ରକଳ୍ପ କାର୍ଯ୍ୟ ନିକଟରେ ଶେଷ ହୋଇଛି। ଆନୁଷ୍ଠାନିକ ଭାବେ ଏହାର ଉଦ୍‌ଘାଟନ ହୋଇ ନ ଥିଲେ ମଧ୍ୟ ପୂର୍ବତଟ ରେଳ ବିଭାଗ ତରଫରୁ ଏହି ପଥରେ ଟ୍ରେନ ଚାଲିବା ଆରମ୍ଭ କରିଛି। ପ୍ରଥମେ ଟ୍ରାଏଲ ଟ୍ରେନ୍‌ ଚାଲିବା ପରେ ଏବେ ମାଲବାହୀ ଟ୍ରେନ ଲଗାତାର ଯାତାୟାତ କରୁଛି। ହେଲେ ଲଗାଣ ବର୍ଷା ଯୋଗୁ ଫାଟକ ବିହୀନ ଏହି ରେଳପଥର କେତେକ ସ୍ଥାନରୁ ମାଟି ଅତଡ଼ା ଓ ପଥର ପ୍ୟାକିଂ ଧସିଯାଇଥିବା ଦେଖାଯାଇଛି। ହରିଦାସପୁରଠାରୁ ୨୪ କିଲୋମିଟର ଦୂର ବଡ଼ଚଣା ବ୍ଲକ ଅଧୀନ ଲଳିତଗିରି ଷ୍ଟେଶନ ନିକଟରେ ପ୍ରାୟ ୧୦୦ଫୁଟ ଲମ୍ବର ପଥର ପ୍ୟାକିଂ ଧସିଯିବା ସହ ୨୦୦ମିଟର ଲମ୍ବର ମାଟି ଅତଡ଼ା ଧସିବା ଆରମ୍ଭ କରିଛି। ଏଠାରେ ନିର୍ମାଣ ହେବାକୁ ଥିବା ରେଲୱେ ଓଭରବ୍ରିଜ (ପାଦଚଲା) ରାସ୍ତାର ମୂଳଦୁଆ ମଧ୍ୟ ଭୁଶୁଡ଼ି ପଡ଼ିଛି। ରେଳ ବିକାଶ ନିଗମ ଲିମିଟେଡ (ଆରଭିଏନ୍‌ଏଲ୍‌) ତରଫରୁ ହରିଦାସପୁରଠାରୁ କେନ୍ଦ୍ରାପଡ଼ା ଷ୍ଟେଶନ ପର୍ଯ୍ୟନ୍ତ ୪୨ କିଲୋମିଟର ଏହି ରେଳପଥ କାର୍ଯ୍ୟ ଟିଟିଆଇପିଏଲ ନାମକ ଠିକାସଂସ୍ଥା କରିଥିଲା। ମାତ୍ର ରେଳ ଚଳାଚଳ ଆରମ୍ଭ ହେବା କ୍ଷଣି ପ୍ରଥମେ ମାର୍ଶାଘାଇ ନିକଟରେ ଏହା ଧସିଥିବା ବେଳେ ୨ଦିନ ତଳେ ଲଳିତଗିରି ଷ୍ଟେଶନ ନିକଟରେ ପଥର ପ୍ୟାକିଂ ଧସିଯାଇଛି। ତେଣୁ ରେଳପଥ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଳାଶୁଣୀ ଉନ୍ନୟନ ଟ୍ରଷ୍ଟ ସଭାପତି ଶରତ ଚନ୍ଦ୍ର ପ୍ରଧାନ, ଜିଲା ସଂସ୍କୃତି ପରିଷଦ ସଦସ୍ୟ ଶୁଭେନ୍ଦୁ କୁମାର ଭୂୟଁା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଲଳିତଗିରି ଷ୍ଟେଶନ ମାଷ୍ଟର କାଳନ୍ଦୀ ଦାସଙ୍କୁ ପଚାରିବାରେ ମାଟି ଅତଡ଼ା ଓ ପଥରପ୍ୟାକିଂ ଧସିଛି। ଏ ନେଇ ପୂର୍ବତଟ ରେଳ ବିଭାଗ ଓ ଆରଭିଏନ୍‌ଏଲ୍‌କୁ ଚିଠି ଲେଖି ଜଣାଇଛନ୍ତି ବୋଲି କହିଛନ୍ତି।