Odisha Elections 2024

ଦୋମୁହାଁ ନୀତି ଦେବାଳିଆ ମତ

ଅକ୍ଷୟ କୁମାର ମିଶ୍ର

 

 

ଅନିଚ୍ଛାକୃତ ଭୁଲ୍‌ ସଂଶୋଧନ ହେବାର ସମ୍ଭାବନା ଥାଏ। ଇଚ୍ଛାକୃତ ଭୁଲ୍‌ ତ ଯୋଜନାବଦ୍ଧ ଭାବେ ହୋଇଥାଏ। ସେଠାରେ ସୁଧାରିବା କଥା ଉଠୁଛି କେଉଁଠି? ସୈତାନର ବେଦପାଠ ଯେମିତି ଛଳନାପୂର୍ଣ୍ଣ ଜାଣି ଜାଣି ଭୁଲ୍‌ କରିବା ସେମିତି ଅଭିସନ୍ଧିମୂଳକ। ସମ୍ପ୍ରତି ଆମ ଦେଶର ରାଜନୀତି ସେହି ରାସ୍ତାରେ। କଥାରେ କଥାରେ ନୀତି ଆଦର୍ଶ। ଭାଷଣରେ ଗାନ୍ଧୀ, ଗୋପବନ୍ଧୁ। କିନ୍ତୁ କାମରେ ସମ୍ପୂର୍ଣ୍ଣ ବିପରୀତ। ଧର୍ମ କଥା ଉଠିଲେ ସଭିଏଁ କହୁଛନ୍ତି ଧର୍ମକୁ ନେଇ ରାଜନୀତି ଆଦୌ ସ୍ପୃହଣୀୟ ନୁହେଁ। ଏସାମ୍ପ୍ରଦାୟିକ ସଦ୍‌ଭାବନା, ସହନଶୀଳତାକୁ ଧ୍ୱଂସ କରିବ, ଭିନ୍ନତା ମଧ୍ୟରେ ଏକତାର ମନ୍ତ୍ରରେ ଥିବା ମହତ୍ତ୍ୱ ଲୋପ ପାଇବ। ହିଂସା ବୃଦ୍ଧି ପାଇବ। ଦଙ୍ଗା ହେବ। ଏହାକୁ ବାରଣ କରିବ ବା କିଏ? କିନ୍ତୁ କାର୍ଯ୍ୟତଃ ଏହା ପ୍ରତୀୟମାନ ହୁଏନାହିଁ। ଏହା ଦେଖି ଦେଖି ସମସ୍ତଙ୍କର ଦେହସୁହା ହୋଇଗଲାଣି। ଶେଷରେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଧର୍ମକୁ ନେଇ ରାଜନୀତି କରାଯାଇ ପାରିବନାହିଁ ବୋଲି କହିଲେ। ଅର୍ଥାତ୍‌ ଧର୍ମକୁ ନେଇ ରାଜନୀତି ହେଉଛି ବୋଲି ସୁପ୍ରିମ୍‌କୋର୍ଟ ହୃଦୟଙ୍ଗମ କରିଛନ୍ତି। କିଛି ତଥ୍ୟ ପ୍ରମାଣ ମଧ୍ୟ ପାଇଛନ୍ତି ନିଶ୍ଚୟ। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କହିଲେ ନାହିଁ କିଏ ଅବା କେଉଁ ରାଜନୈତିକ ଦଳ ଧର୍ମକୁ ନେଇ ରାଜନୀତି କରୁଛି ବୋଲି। ତେବେ କ’ଣ ବୁଝିନେବାକୁ ହେବ ସବୁ ରାଜନୈତିକ ଦଳ ଧର୍ମକୁ ନେଇ ରାଜନୀତି କରୁଛନ୍ତି? ହଁ, ଏ କଥା କୁହାଯିବନି ବା କାହିଁକି? କିଏ ସଂଖ୍ୟାଗରିଷ୍ଠଙ୍କ ଧର୍ମୀୟ ଭାବାବେଗ ଓ ଭାବନାକୁ ନେଇ ରାଜନୀତି କରୁଛନ୍ତି ନିଜ ଭୋଟ୍‌ ବ୍ୟାଙ୍କର ବୃଦ୍ଧି ସକାଶେ। କିଏ ପୁଣି ସଂଖ୍ୟାଲଘୁଙ୍କ ସୁରକ୍ଷା ନାମରେ ଅଧିକ ସମ୍ବେଦନଶୀଳତା ପ୍ରଦର୍ଶନ କରୁଛନ୍ତି।
ଏପର୍ଯ୍ୟନ୍ତ ଦେଶରେ କିମ୍ବା ବିଶ୍ୱରେ ଯେତେ ରକ୍ତପାତ ହୋଇଛି ଅର୍ଦ୍ଧାଧିକ ହେଉଛି ଧର୍ମଜନିତ। ପୁଣି ଧର୍ମଜନିତ ସମସ୍ତ ରକ୍ତକ୍ଷୟୀ ଦୁର୍ଘଟଣାରେ ରାଜନୈତିକ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ ହେଉଛି। ସ୍ବାଧୀନତାର ପରବର୍ତ୍ତୀ ସମୟରେ ଯେତେ ଦଙ୍ଗା ହୋଇଛି ସବୁଥିରେ କେଉଁମାନଙ୍କର ହାତ ଥିଲା ବା ବର୍ତ୍ତମାନ ଯାହା ଘଟୁଛି ସେଥିରେ କାହାର ହାତ ଅଛି କାହାକୁ ଅଛପା ନାହିଁ। ଐତିହ୍ୟ ରକ୍ଷା ନାମରେ ସରକାର ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା, ଗୁରୁଦ୍ୱାର ପାଇଁ ଆଖିବୁଜା ଅର୍ଥବ୍ୟୟ କରୁଛନ୍ତି। ଅବଶ୍ୟ ଅତୀତର କୀର୍ତ୍ତିରାଜିକୁ ସାଇତି ରଖିବା ସର୍ବାଦୌ ଗ୍ରହଣୀୟ। କିନ୍ତୁ ନୂତନ ଧର୍ମାନୁଷ୍ଠାନ ନିର୍ମାଣ ପାଇଁ ଏତେ ବ୍ୟଗ୍ର କାହିଁକି? କାହିଁକି ଲୋକପ୍ରତିନିଧିମାନେ ଏ ବେଳକୁ ଅଣ୍ଟାଭିଡ଼ି ଲାଗିପଡୁଛନ୍ତି? ଏ କଥା ଉଠିଲେ ଉତ୍ତର ଆସିବ ଏହା ମୋର ବ୍ୟକ୍ତିଗତ ସ୍ବାଧୀନତା। ମୋର ନିଜସ୍ବ ରୁଚି। ରାଜନୀତି କଲି ବୋଲି କ’ଣ ନିଜ ଧର୍ମକୁ ଭୁଲିଯିବି? ଦେଶସେବା କଲି ବୋଲି କ’ଣ ନିଜ ଧର୍ମ ଛାଡ଼ିଦେବି? ନିଜ କୁଳ ଦେବତାଙ୍କୁ ଅପମାନ ଦେବି? ଖାଲି କ’ଣ ଏତିକି? ଦେଶରେ ଯେତେ ସରକାରୀ ଅଫିସ, ଥାନା, ଡାକ୍ତରଖାନା ଅଛି ସବୁଠି ଏକ ନିର୍ଦ୍ଦିଷ୍ଟ ଧର୍ମର ଦେବଦେବୀଙ୍କ ମୂର୍ତ୍ତି ପୂଜା ପାଉଥିବା ଦେଖିବାକୁ ପାଇବା। ଯଦିଓ ସେଠାରେ ସବୁ ଧର୍ମାବଲମ୍ବୀ ଲୋକ କାମ କରନ୍ତି ଏବଂ କାମ ପାଇଁ ଯାତାୟାତ କରନ୍ତି। ଦେଶରେ ଯେତେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଅଛି ସେଠାରେ ମଧ୍ୟ ସମାନ ଦୃଶ୍ୟ। ଆଉ କିଛି ଶିକ୍ଷାନୁଷ୍ଠାନ ଧର୍ମ ଆଧାରରେ ସୃଷ୍ଟି। ପୁଣି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ପିଲା ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି। ସେମାନଙ୍କର ପାଠ୍ୟଖସଡ଼ା ମଧ୍ୟ ଅଲଗା। ଏ ସବୁ ବିଚିତ୍ର ନୀତିନିୟମ ଦେଖିଲେ ମନରେ ପ୍ରଶ୍ନ ଉଠେ, ଆମ ଦେଶକୁ ଏକ ଧର୍ମନିରପେକ୍ଷ ଦେଶ କହିବାରେ ଯଥାର୍ଥ କେଉଁଠି?
ଏବେ ବାକ୍‌ସଂଯମତା ରକ୍ଷା କରିବା ନିମନ୍ତେ ସମସ୍ତେ ଆହ୍ବାନ ଦେଉଥିବା ଶୁଣାଯାଉଛି। ଅରୁଚିକର ମନ୍ତବ୍ୟ, ଅସାମ୍ବିଧାନିକ ଶବ୍ଦର ବ୍ୟବହାର, ଉସୁକାନି ତଥା ଉତ୍ତେଜନା ସୃଷ୍ଟି ଭାଷଣ, କାହାକୁ ବାଧିଲାଭଳି କଥା ଓ ଆକ୍ଷେପ, ବ୍ୟକ୍ତିର ଚରିତ୍ର ସଂହାର ଇତ୍ୟାଦିରୁ କ୍ଷାନ୍ତ ରହିବା ପାଇଁ ପରାମର୍ଶ ଦେବାରେ ଲାଗିପଡ଼ିଛନ୍ତି। ମନରେ ସ୍ବତଃ ପ୍ରଶ୍ନ ଉଠେ, ଯଦି ସମସ୍ତେ ବାକ୍‌ସଂଯମତା ଉପରେ ଗୁରୁତ୍ୱ ଦେଉଛନ୍ତି ତେବେ ସଂଯମତା ରହୁନାହିଁ କାହିଁକି? କିଏ କାହାକୁ ମାଙ୍କଡ଼ମୁହାଁ ବୋଲି ଆକ୍ଷେପ କଲାଣି ତ କିଏ କାହାକୁ ପାଗଳ ବୋଲି କହି ସମାଲୋଚନା କଲାଣି। କିଏ ବୁଲ୍‌ଡୋଜର ଚଢ଼ାଇ ଜୀବନଜୀବିକା, ଘରଦ୍ୱାର ଭାଙ୍ଗି ମାଟିରେ ମିଶାଇଦେବାର ଧମକ ଦେଲାଣି ତ କିଏ ସତକୁସତ ଗାଡ଼ି ଚକାତଳେ ନିରୀହ ଜନତାଙ୍କ ଜୀବନ ନେଇ ଆତଙ୍କର ବାତାବରଣ ସୃଷ୍ଟି କଲାଣି। କିଏ କାହାର ଜନ୍ମକୁ ନେଇ କଟୁ ମନ୍ତବ୍ୟ ଦେଲାଣି ତ କିଏ କାହାର ଜାତିଗୋତ୍ର ଉପରେ ପ୍ରଶ୍ନ କଲାଣି। ଏସବୁ ପରେ ସେମାନଙ୍କ ମୁହଁରେ ମିଠାକଥାର ଆହ୍ବାନ ଯାଦୁଆ ବିକୁଛି ଯାଦୁର ମଲମ ପରି ନୁହେଁ କି?
ଚତୁର୍ଦ୍ଦିଗରୁ ଚିତ୍କାର ଶୁଭୁଛି ଦୁର୍ନୀତି ହଟାଅ। ହେଲେ ଏହା କରୁଛି କିଏ? ସାଧାରଣ ଜନତା କ’ଣ ଏଥିପାଇଁ ଦାୟୀ? ହଁ, କିଛି ଲୋକଙ୍କର ଯୁକ୍ତି ସାଧାରଣ ଲୋକେ ଲାଞ୍ଚ ଦେଇ ଲାଞ୍ଚୁଆ କରିଦେଉଛନ୍ତି। ଲୋକେ ଲାଞ୍ଚ ଦେଉଛନ୍ତି ନା ଦେବାକୁ ବାଧ୍ୟ ହେଉଛନ୍ତି, ଇଏ ଏକ ଜଟିଳ ପ୍ରଶ୍ନ। ଏବେ କୁହାଗଲାଣି ଲାଞ୍ଚ ନେଉଛି ଯିଏ ଯେତିକି ଦୋଷୀ, ଦେଉଛି ଯିଏ ସେତିକି ଦୋଷୀ। ଆଚ୍ଛା ହେଲା, ଲୋକେ ଲାଞ୍ଚ ଦେଇ ଲାଞ୍ଚୁଆ କରିଦେଲେ। କୋଇଲା, ବୋଫର୍ସ, ଗୋଖାଦ୍ୟ, ଟୁ-ଜି ସ୍ପେକ୍ଟ୍ରମ୍‌ ଇତ୍ୟାଦି ବଡ଼ ବଡ଼ ଦୁର୍ନୀତି ପାଇଁ କ’ଣ ସାଧାରଣ ଲୋକେ ଦାୟୀ। ଯେଉଁମାନେ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଋଣ ନେଇ ବିଦେଶ ପଳାଇଛନ୍ତି ସେମାନଙ୍କ ପଛରେ କ’ଣ ସାଧାରଣ ଲୋକଙ୍କ ହାତ ଅଛି ନା ରାଜନୈତିକ ପୃଷ୍ଠପୋଷକତାରେ ଏହିସବୁ କାଣ୍ଡକାରନାମା ହେଉଛି? ସବୁ ଗୁମର ଫିଟିଯାଆନ୍ତା ଯଦି ଏହି ବଡ଼ବଡ଼ିଆଙ୍କ ଆୟବୃଦ୍ଧିର ନିରପେକ୍ଷ ତଦନ୍ତ ହୁଅନ୍ତା। ଏମିତି କେଉଁ ଯାଦୁମନ୍ତ୍ରର କମାଲ ଯେ ପାଞ୍ଚବର୍ଷ ଭିତରେ ଦୁଇ କି ଚାରିଗୁଣା ନୁହଁ, ହଜାରେ ଗୁଣା ସମ୍ପତ୍ତି ବଢ଼ିଯାଉଛି? ଯଦି ଏମିତି କିଛି ମନ୍ତ୍ର ଅଛି ସମସ୍ତ ଭାରତବାସୀଙ୍କୁ ଘୋଷାଇଦେଲେ ରାତିପାହିଲା ବେଳକୁ ସମସ୍ତେ କୋଟିପତି ହୋଇଯାଆନ୍ତେ। ଦାରିଦ୍ର୍ୟର ବାଉଁଶ ଥିବ ନା ମାଗଣା ଯୋଜନାର ବଇଁଶୀ ବାଜିବ! ଏହା କେବେ ହେଇଚି ନା ହେବ।
ଦଳ ବଦଳ ସମ୍ପର୍କରେ ଅଧିକାଂଶ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଆଭିମୁଖ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ। ଏ ଦଳରୁ ସେ ଦଳକୁ ଡେଇଁଲାବେଳେ ନିଜ ସପକ୍ଷରେ ଯୁକ୍ତି ଓ ଦଳ ବିରୋଧରେ ବିଷୋଦ୍‌ଗାର। ଦଳରେ ଥିଲେ ବହୁତ ଭଲ। ଦଳ ପରିତ୍ୟାଗ କଲେ ସେ ବହୁତ ଖରାପ। ଦଳରେ ଥିବା ଯାଏ ସଚ୍ଚୋଟ, ଦଳ ଛାଡ଼ିଦେବା ପରେ ସେ ସବୁଠାରୁ ଦୁର୍ନୀତିଗ୍ରସ୍ତ। ଯେତେ ଦୋଷଦୁର୍ବଳତା ଥିଲେ ମଧ୍ୟ ପ୍ରଶଂସାରେ ପୋତି ପକାଉଥିବା ଲୋକଟିକୁ ରାତିପାହିଲା ବେଳକୁ ଅଜସ୍ର ନିନ୍ଦା, ଅପବାଦ ଦେବା ସହିତ ତା’ ବିରୋଧରେ ତଦନ୍ତକାରୀ ସଂସ୍ଥାକୁ ଲଗାଇଦେବା, ପୁଣି ଦୁର୍ନୀତି ଅଭିଯୁକ୍ତ ଲୋକଟି ଦଳକୁ ଆସିଲେ ଫୁଲମାଳ ଦେବା ଏବଂ ତା’ ବିରୋଧରେ ଚାଲୁଥିବା ସବୁ ତଦନ୍ତକୁ ଚପାଇଦେବା ରାଜନୈତିକ ସଂସ୍କୃତିରେ ପରିଣତ ହେବାକୁ ବସିଲାଣି। ବିରାଡ଼ି ଆଖିବୁଜି କ୍ଷୀର ପିଇବା ବେଳେ ସେ ଭାବେ ତାକୁ କେହି ଦେଖି ପାରୁନାହାନ୍ତି।
ହେଲେ ସମ୍ପ୍ରତି ଦେଶରେ ଯେତେ ପ୍ରସଙ୍ଗ ଆସୁଛି ସବୁକ୍ଷେତ୍ରରେ ରାଜନୈତିକ ଆଭିମୁଖ୍ୟ ଏମିତି ବିଚିତ୍ର, ଛଳନାପୂର୍ଣ୍ଣ। ସର୍ବଦା ଅନ୍ୟ ଉପରକୁ ଅଙ୍ଗୁଳି ଦେଖାଇବାରେ ଏମାନେ ବେଶ୍‌ ପାରଙ୍ଗମ। ଅନ୍ୟକୁ ଉପଦେଶ ଦେବା, ନ୍ୟାୟ ନୈତିକତାର କଥା କହିବା, ଆବଶ୍ୟକ ସ୍ଥଳେ ଅନ୍ୟ ମୁଣ୍ଡରେ ଅଠା ବୋଳିଦେଇ ନିଜ ଭାବମୂର୍ତ୍ତିକୁ ଅକ୍ଷୁଣ୍ଣ ରଖିବାର ସମସ୍ତ କଳାକୌଶଳ ଏମାନଙ୍କୁ ମାଲୁମ୍‌। ଏମାନେ ସର୍ବସାଧାରଣରେ ଅହିଂସାର ମନ୍ତ୍ର ଜପୁଛନ୍ତି। କିନ୍ତୁ ଲୋକଙ୍କ ଆଢ଼ୁଆଳରେ ରହି ହିଂସାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏ ପ୍ରକାର ଦୋମୁହଁା ନୀତି ତଥା ଦେବାଳିଆ ମତିଗତିକୁ ଦେଖି ଲୋକେ ଜର୍ଜ ବର୍ନାଡ୍‌ ସ’ଙ୍କ ଟିପ୍ପଣୀକୁ ସମର୍ଥନ କରି କହିବା ଆରମ୍ଭ କଲେଣି- ରାଜନୀତି ହେଉଛି ଦୁର୍ବୃତ୍ତ ଲୋକଙ୍କର ନିରାପଦ ଆଶ୍ରୟସ୍ଥଳୀ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟl
ମୋ: ୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଇଞ୍ଜିନିୟରିଂ ପରେ ବିହାରର ପ୍ରଭାତ କୁମାର ପାଖାପାଖି ୫୦୦ ଗ୍ରାମର ୨୫,୦୦୦ କୃଷକଙ୍କୁ ସଶକ୍ତ କରିପାରିଛନ୍ତି। କୃଷକମାନେ ପିଆଜ, ଛତୁ ଓ ମକା ଚାଷ କରି...

ପରିଶୁଦ୍ଧ କୃଷିର ଆବଶ୍ୟକତା

ଡି. ଶୁଭମ୍‌ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ମାନବ ବିଭିନ୍ନ ନୂତନ ପଦ୍ଧତି ଆପଣାଉଛି। ତେବେ ଏହାରି ମଧ୍ୟରେ ଏହି ପଦ୍ଧତିଗୁଡ଼ିକ ପରିବେଶ ଉପରେ...

ଚବାହାର ଚୁକ୍ତିନାମା-କୂଟନୈତିକ ବିଜୟ

ପ୍ରକାଶ ତ୍ରିପାଠୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହ ଇରାନର ପାରସ୍ପରିକ ସମ୍ପର୍କ ନିରନ୍ତର ଖରାପ ଥିବାବେଳେ ଭାରତ ସହ ସମ୍ପର୍କ ସର୍ବଦା ଭଲ ରହିଆସିଛି। ବିଭିନ୍ନ ସମୟରେ...

Dillip Cherian

ପୁରୁଣା ଆଇନର ନବୀକରଣ

ସ୍ବାଧୀନତା ପୂର୍ବର ଅନେକ ଆଇନର ନବୀକରଣ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଏସବୁ ଆଇନର ଆଧୁନିକୀକରଣ ଓ ବ୍ୟବସ୍ଥିତ କରିବାର ପ୍ରସ୍ତାବ...

ଏଇ ଭାରତରେ

ବୟସ ୮୭, ତଥାପି ଏହି ବୟସରେ ସଡ଼କ ଦୁର୍ଘଟଣାରେ ଜୀବନ ବଞ୍ଚାଇବା ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ରାଜସ୍ଥାନର ଡ. ମାୟା ଟଣ୍ଡନ। ସେ...

ଗ୍ରୀଷ୍ମରେ ଛାୟାଦ୍ରୁମ

ଡ. ଶରତ ଚନ୍ଦ୍ର ପରିଡ଼ା   ପ୍ରଚଣ୍ଡ ଗ୍ରୀଷ୍ମରେ ଶୀତଳ ଛାଇ ଟିକିଏ ମିଳିଗଲେ ସତେ କି ଅମୃତ! ମଝିରେ ମଝିରେ ଝଡ଼ବତାସ ଆସି ପୁରୁଣାକାଳିଆ...

ଅକାଳ ପକ୍ବ ଫଳ ଅମୃତ ନା ବିଷ

ଡ. ଚିନ୍ତାମଣି ପଣ୍ଡା   ଋତୁକାଳୀନ ଫଳ ଓ ପନିପରିବା ସବୁ ବର୍ଷର ଭିନ୍ନ ଭିନ୍ନ ଋତୁରେ ବଜାରକୁ ଆସିଥାଏ। ଯେଉଁ ସମୟରେ ଯେଉଁ ଫଳଟି...

ନୈରାଶ୍ୟର ପ୍ରତିବାଦ

ସ୍ଲାଭୋଜ୍‌ ଜିଜେକ୍‌   ଏବେ ଅତି ଖରାପ ସମୟ ପଡ଼ିଛି। ପ୍ରକୃତିରେ ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ଘଟୁଛି। ବାରମ୍ବାର ଦୁବାଇରେ ପ୍ରବଳ ବର୍ଷା କିମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri