Odisha Elections 2024

ଚାଇନାର କୂଟନୀତି

ହରେକୃଷ୍ଣ ପଣ୍ଡା

 

ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଆଗୁଆ ଦେଶ ବୋଲାଇବା ନିଶା ଚାଇନା ରାଷ୍ଟ୍ରପତିଙ୍କୁ ଛାଡ଼ି ନାହିଁ। ନିଜ ଦେଶ ପାଇଁ ବହୁ ସମସ୍ୟା ମୁଣ୍ଡ ଟେକୁଥିବା ବେଳେ ଦକ୍ଷିଣ ଏସିଆ ପାଇଁ ଚାଇନା ରାଷ୍ଟ୍ରପତି ମୁଣ୍ଡ ଖେଳାଇବା ହାସ୍ୟାସ୍ପଦ କଥା। ପଡ଼ୋଶୀ ରାଷ୍ଟ୍ର ଭାବେ ଭାରତକୁ ଏବେ ବି ଚାଇନା ଭାବୁଛି ପାକିସ୍ତାନ ଭଳି ଦୁର୍ବଳ। ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକୁ ଚାଇନା ଋଣଜାଲରେ ଫସାଇ ତଳିତଳାନ୍ତ କଲାପରେ ମଧ୍ୟ ନିଜର ଦାମ୍ଭିକତାକୁ ଛାଡ଼ିପାରୁ ନାହିଁ। ବିଲେଇ ଆଖି ବୁଜି କ୍ଷୀର ପିଇଲା ଭଳି ଚାଇନା ନିଜ ମୁଖାକୁ ଲୁଚାଇ ନିଜର ବନ୍ଧୁତ୍ୱକୁ ଏମାନଙ୍କ ପାଖରେ ଜାହିର କରୁଛି। ଗୋଆରେ ସାଂଘାଇ ସହଯୋଗ ସଂଗଠନର ବୈଠକ ସରିଲା ପରେ ଚାଇନାର ବୈଦେଶିକ ମନ୍ତ୍ରୀ ଜିନ୍‌ଗାଙ୍ଗ୍‌ ବିଚଳିତ ହୋଇ ଦୁଇଦିନିଆ ପାକିସ୍ତାନ ଗସ୍ତରେ ଯିବା ଅତି ତାତ୍ପର୍ଯ୍ୟପୂର୍ଣ୍ଣ ।
ଭାରତ ପକ୍ଷରୁ ସେହି ସମ୍ମିଳନୀରେ ଯେଉଁ ବୁମେରାଂ ଅସ୍ତ୍ର ଛଡ଼ାଯାଇଥିଲା ତାହା ଚାଇନା ସହ୍ୟ କରିପାରିଲାନାହିଁ। ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବା ମାତ୍ରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଦୃଢ ସ୍ବରରେ ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା ପିଓକେକୁ ଛାଡ଼ିଦେବା ଉଚିତ ବୋଲି ଦାବି କରିଥିଲେ। ଏହି ଦାବି ଚାଇନା ପାଇଁ ଅସହ୍ୟ ହୋଇଥିଲା। ତେଣୁ ଚାଇନା ପାକିସ୍ତାନକୁ ସମର୍ଥନ ଜଣାଇବାକୁ ଯାଇ କହିଲା ଯେ ଭାରତ-ପାକିସ୍ତାନ ମଧ୍ୟରେ କଶ୍ମୀର ବିବାଦ ହେଉଛି ଐତିହାସିକ ଏବଂ କୌଣସି ପ୍ରକାର ଏକପାଖିଆ କାର୍ଯ୍ୟାନୁଷ୍ଠାନ ବଦଳରେ ଜାତିସଂଘ ନିଷ୍ପତ୍ତି ଆଧାରରେ ଏହାର ସମାଧାନ ହେବା ଉଚିତ। ଏଥିରୁ ଜଣାପଡ଼ିଲା ଯେ ଚାଇନା ଜାତିସଂଘକୁ ଟାଣିଓଟାରି ପୂରାଉଛି। ଏହା ଚାଇନାର ବାଚାଳାମି ବୋଲି ସମସ୍ତେ ଉପନୀତ ହେଲେ। ଅନ୍ୟପକ୍ଷେ ଜଣାପଡ଼ିଲା ଯେ ବର୍ତ୍ତମାନ ସମୟରେ ଚାଇନାର ଏକମାତ୍ର ଆଧାର ହେଉଛି ପାକିସ୍ତାନ। କୁମ୍ଭୀର ଅଧାନଈରେ କଲା ପରେ ବି ଚାଇନା ହେଜିପାରୁ ନାହିଁ। ସବୁ ଦିଗ ଚାଇନା ପାଖରୁ ଦୂରେଇଯିବାକୁ ବସିଲାଣି। ତଥାପି ଚାଇନା ଏକଚାଟିଆ ବାଣିଜ୍ୟ କରିବାର ସ୍ବପ୍ନ ଦେଖୁଛି।
ପାକିସ୍ତାନରେ ଚାଇନା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଆର୍‌ଆଇ ପ୍ରକଳ୍ପ ଏବେ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି। ଭାରତ ତା’ର ଗତିପଥରେ ବାଧା ସୃଷ୍ଟି କରିଆସିଛି। ଭାରତର କୂଟନୀତି ଆଗରେ ଚାଇନାର କୂଟନୀତି ସବୁବେଳେ ଫିକା ପଡୁଛି। ତାଲିବାନ୍‌ ଆଫଗାନରେ ଶାସନ ଭାର ନେବା ପରେ ଚାଇନା ପ୍ରଥମେ ସହଯୋଗର ହାତ ବଢ଼ାଇଥିଲା ଏହି ଆର୍‌ବିଆଇ ପ୍ରକଳ୍ପକୁ ଆଖି ଆଗରେ ରଖି। କିନ୍ତୁ ତା’ ଆଗରୁ ଭାରତର ସହଯୋଗ ଆଫଗାନ ନିର୍ମାଣରେ କାର୍ଯ୍ୟ କରିଆସିଛି। ଏବେ ଚାଇନା ଆଫଗାନ ସହ ନିଜ ଦେଶର ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ନେଇ ଏକ ରାଜିନାମା ସ୍ବାକ୍ଷର କରିଛି। ଏହି ଅବସରରେ ଆଫଗାନିସ୍ତାନରେ ଆତଙ୍କବାଦର ମୁକାବିଲା ଏବଂ ତାକୁ ଆନ୍ତର୍ଜାତିକ କଟକଣାରୁ ସୁରକ୍ଷା ପ୍ରଦାନ ନିମନ୍ତେ ଚାଇନା ଓ ପାକିସ୍ତାନ ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତ ପିଓକେକୁ ମୁକ୍ତ ନ କରିବା ପୂର୍ବରୁ ଚାଇନା ନିଜକୁ ପ୍ରମାଦ ପଡ଼ିବା ମନେକଲାଣି। ସେଥିପାଇଁ ତରବରରେ ସେ ପାକିସ୍ତାନ ସହ କଥାବାର୍ତ୍ତା କରି କିପରି ଆଫଗାନ ସହ ହାତ ମିଳାଇ ନିଜର ଇକୋନୋମିକ କରିଡର ବା ସିପିଇସି କୁ ପୁନଃ ନିର୍ମାଣ କରିବାକୁ ଆଗେଇ ଆସିଛି। ଏହି ପ୍ରକଳ୍ପର ଭିତ୍ତିଭୂମି ନିର୍ମାଣ ପାଇଁ ଚାଇନା ୬୦ ବିଲିୟନ ଡଲାର ବିନିଯୋଗ କରୁଛି। ଚାଇନା ଏବେ ଭାରତକୁ ନାଲିଆଖି ଦେଖାଇବା ସହିତ ତାଲିବାନ୍‌କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ଚାଲିଛି। ଆଫଗାନିସ୍ତାନରେ ୧୦୦ ବିଲିୟନ ଡଲାର ବିନିଯୋଗ କରିବ ବୋଲି କହିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ତାଲିବାନ୍‌ ସରକାର ଆନ୍ତର୍ଜାତିକ କଟକଣାର ଶିକାର ହୋଇଛି। ବିଭିନ୍ନ ବିଦେଶୀ ବ୍ୟାଙ୍କରେ ତାଲିବାନ୍‌ ସରକାରଙ୍କର ୯୦୦ କୋଟି ଡଲାର ପଡ଼ିରହିଛି। ତାହା ଉଠାଇବା କଷ୍ଟକର। ଏହାକୁ ମୁକୁଳାଇବା ପାଇଁ ଚାଇନା ଓ ପାକିସ୍ତାନ ଉଭୟ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ତାଲିବାନୀ ବିଶେଷଜ୍ଞ ସେମାନଙ୍କ କଥାରେ ଭଳି ଚାଲିଛନ୍ତି। ଏବେ ଚାଇନା,ପାକିସ୍ତାନ,ଇରାନ ଓ ରୁଷିଆ ତାଲିବାନ୍‌ ଶାସକଙ୍କୁ ଆଫଗାନସ୍ତାନର ପୁନଃ ନିର୍ମାଣରେ ସହାୟତା କରିବାକୁ ଆଗେଇ ଆସିଛନ୍ତି। କଥାରେ ଅଛି ‘ଆରେ ଢମଣା ବୁଲି ବୁଲି ଆସି ସେଇ ଅଗଣା’। ଚାଇନା ଯେତେ ଯାହା କଲେ, ପାକିସ୍ତାନ ଅଧିକୃତ ପିଓକେ ପାଖରେ ଆସି ପହଞ୍ଚତ୍ୟାଏ। ସେ ଅଞ୍ଚଳରେ ଚାଇନାର ଆର୍ଥିକ କରିଡରକୁ ଭାରତ କେବେ ବି ବାଟ ଛାଡ଼ିବ ନାହିଁ। ଏହି ଅଞ୍ଚଳକୁ ନିଜର ବୋଲି ଭାରତ କରୁଥିବା ଦାବିକୁ ପାକିସ୍ତାନ,ଚାଇନା ଗୁରୁତ୍ୱ ଦେଉନାହାନ୍ତି ସତ, କିନ୍ତୁ ସବୁବେଳେ ଆଶଙ୍କାଗ୍ରସ୍ତ। ସେଥିପାଇଁ ଚାଇନାର କୂଟନୀତି ଏବେ ଚରମସୀମାରେ ପହଞ୍ଚିଛି। ଏହି ୩ ରାଷ୍ଟ୍ର ମଧ୍ୟରେ ଯେଉଁ ବୁଝାମଣା ହୋଇଛି ତାହା ସ୍ଥାୟୀ ହୋଇ ରହିବା ମନେହୁଏନା। କାରଣ ଚାଇନା ନିଜର ଫାଇଦା ପାଇଁ ଦକ୍ଷିଣ ଏସିଆରେ ଜାଲ ବିଛାଇବା ଆରମ୍ଭ କରିଛି। ଏଣେ ଚାଇନା ଦେଖୁଛି ଦକ୍ଷିଣ ଚୀନ ସାଗର ବିବଦମାନ ଅବସ୍ଥାରେ। ଭାରତ ଏବଂ ଭାରତର ସହଯୋଗୀ ରାଷ୍ଟ୍ର ସବୁବେଳେ ଆଖି ରଖିଛନ୍ତି। ବେଳେ ବେଳେ ଆମେରିକା ନୌଜାହାଜ ଏଠାରେ ପଇଁତରା ମାରୁଛି।
ରୁଷିଆ, ଚାଇନା, ଇରାନ ଏବେ ନିଜ ରକ୍ଷା ପାଇଁ ବାଟ ଖୋଜୁଥିବା ବେଳେ ଆଉ ଗୋଟିଏ ରାଷ୍ଟ୍ରକୁ ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେବା କେବଳ ପ୍ରତାରଣା ବ୍ୟତୀତ ଆଉ କିଛି ନ ହୋଇ ପାରେ। ରୁଷିଆ ୟୁକ୍ରେନ୍‌ ଉପରେ ଲଦିଦେଇଥିବା ଯୁଦ୍ଧ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ରୁଷିଆ ସମ୍ମୁଖୀନ ହୋଇଥିବା କ୍ଷତି ଭରଣା କରିବାକୁ କେତେବର୍ଷ ଯେ ଲାଗିବ ତାହା କହିହେଉ ନାହିଁ। ପାକିସ୍ତାନରେ ହୁଏତ ସାମରିକ ଶାସନ ପୁଣି ଲେଉଟିପାରେ ବୋଲି ଅନୁଭୂତ ହେଉଛି। ଏଇଭଳି ପରିସ୍ଥିତିରେ ଚାଇନା ମଜ୍ଜା ମାରିବାକୁ ବସିଛି। ସମଗ୍ର ବିଶ୍ୱ ଅର୍ଥନୈତିକ ସଙ୍କଟ ଭୋଗ କରୁଥିବା ବେଳେ ଚାଇନା ସେଥିରୁ ବାଦ୍‌ ଯାଇନାହିଁ। ଚାଇନା ତା’ର ପଡ଼ୋଶୀ ରାଷ୍ଟ୍ରର କାନ୍ଧ ଉପରେ ଠିଆହେବାକୁ ପ୍ରୟାସ କରୁଛି। ଚାଇନାର ପାରମ୍ପରିକ ଶତ୍ରୁରାଷ୍ଟ୍ର ଆମେରିକା ପାଖରେ ନାଲିଆଖି ଦେଖାଇବା କଷ୍ଟକର। ଏଭଳି ସ୍ଥିତିରେ ଭାରତ ଯେ ଚୁପ୍‌ ହୋଇ ବସିରହିବ ତାହା ନୁହେଁ। ଆସନ୍ତା ମାସରେ ଭାରତ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଯାଉଛନ୍ତି। ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା ହେବ। ମୋଦି ଏବଂ ବାଇଡେନ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆଲୋଚନା ହେବ। ମୋଦିଙ୍କ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗସ୍ତ ବୋଲି ମନେକରଯାଉଛି। ଆମେରିକା ରାଷ୍ଟ୍ରପତି ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଯେଉଁ ଆଲୋଚନା ହେବ ତାହା ଚାଇନା ପାଇଁ କ’ଣ ହୋଇ ପାରେ ତାହା ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ମନେହୁଏ। ଚାଇନାର ବର୍ତ୍ତମାନର କୂଟନୀତି ଏହା ପରେ କେଉଁ ନୀତିକୁ ଗ୍ରହଣ କରିବ ତାହା ଆଉ ମାସକ ପରେ ଜଣାପଡିବ।
ସୟଦପୁର, ଯାଜପୁର,
ମୋ- ୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

‘ଏମ୍‌ବିଏ ସରପଞ୍ଚ’ ଭାବେ ରାଜସ୍ଥାନର ଛବି ରାଜଓ୍ବାତ ବେଶ୍‌ ଜଣାଶୁଣା। ଏମ୍‌ବିଏରେ ଡିଗ୍ରୀ ହାସଲ ପରେ ସେ ରାଜନୀତିକୁ ଆସିଥିଲେ ଓ ୨୦୧୦ରେ ପ୍ରଥମେ ସରପଞ୍ଚ...

ନୂତନ ଭିନ୍ନକ୍ଷମ ଅଧିକାର ଆଇନ

ଡ. ବିରଜା ରାଉତରାୟ ୨୦୧୧ ମସିହା ଜନଗଣନା ଅନୁସାରେ ଭାରତବର୍ଷରେ ବାସ କରୁଥିବା ସମୁଦାୟ ଜନସଂଖ୍ୟାର ୨.୧ ପ୍ରତିଶତ ଭିନ୍ନକ୍ଷମ। ଏମାନେ କୌଣସି ନା କୌଣସି...

ଓଡ଼ିଶାରେ ଆଞ୍ଚଳିକ ଦଳ ପ୍ରଭାବ

ସୌଭାଗ୍ୟ ସୁନ୍ଦରରାୟ ଓଡ଼ିଶାରେ ଆଞ୍ଚଳିକ ଦଳ ରାଜନୀତି ବିଜୁ ଜନତା ଦଳ(ବିଜେଡି)ରୁ ଆରମ୍ଭ ହୋଇନାହିଁ କି ଏହା ଏଇଠି ମଧ୍ୟ ଶେଷ ହୋଇ ନାହିଁ। ରାଜ୍ୟରେ...

ସଂଘୀୟ ବ୍ୟବସ୍ଥାରେ ପୋଲିସ

ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ବେଆଇନ ଥିଲା ବୋଲି ନିକଟରେ ସୁପ୍ରିମକୋର୍ଟ କହିବା ପରେ ଦେଶରେ...

ଏଇ ଭାରତରେ

ସୁନାଗହଣା ପ୍ରତି ସମସ୍ତଙ୍କର ରହିଥାଏ ଭିନ୍ନ ଏକ ଆକର୍ଷଣ। ବର୍ତ୍ତମାନ ପରିସ୍ଥିତିରେ ସୁନାର ମୂଲ୍ୟ ଯେଉଁଭଳି ବୃଦ୍ଧି ପାଉଛି ସେତେବେଳେ ସୁନା ଟିକିଏ ପାଇଁ ଲୋକଙ୍କ...

ଆଦିବାସୀ ମହିଳା ସଶକ୍ତୀକରଣ ଓ ଏଆଇ

ଡ. ଅନ୍ତର୍ଜିତା ନାୟକ   ଆମେ ସମସ୍ତେ ଜାଣୁ ଯେ ଆଦିବାସୀ ସମ୍ପ୍ରଦାୟ ନିଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଲାଗି ସଦାସର୍ବଦା ଆଗରେ ଓ...

ଭୋଟଦେବା ଓ ନିର୍ବାଚନ ଅଲଗା କଥା

ସହଦେବ ସାହୁ   ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ବୋକା ବନେଇ ଦେଲେଣି, ଗୋଡ଼ତଳେ ଚୋରାବାଲି ଆମକୁ ପାଣିରେ ବୁଡ଼େଇଦେଲାଣି, ତଥାପି ଆମେ (ଭୋଟରମାନେ)...

ସଙ୍କୁଚିତ ସ୍ୱାଧୀନତା

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ୭ ମାସ ତଳେ ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri