ତୋ ବେଳକାଳ ଆସୁଛି

ଶ୍ରୁତକୀର୍ତ୍ତି ତ୍ରିପାଠୀ

ର୍ଷକ ଧାଡ଼ିଟି ଲୋକମୁଖରେ ଖୁବ୍‌ ଆଦୃତ ଏକ ଢଗରୁ ଆସିଛି, ଯାହାର ସମ୍ପୂର୍ଣ୍ଣ ପଂକ୍ତିଟି ଏହିଭଳି:-
” ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି
ମଝି ବରଡ଼ା ଥାଇ କହୁଛି, ତୋ ବେଳକାଳ ଆସୁଛି।“
ବୁଝାଇ କହିଲେ, ବୃଦ୍ଧ ମାତାପିତା (ତଳ ବରଡ଼ା), ତାଙ୍କ ତ୍ୟାଗ, ସଂଘର୍ଷରେ ଆଗାମୀ ପିଢ଼ିକୁ ଗଢ଼ି ସମୟ ହେଲେ ଶୁଖିଲା ପତ୍ର ପରି ଝଡ଼ିପଡ଼ନ୍ତି l ସେତେବେଳେ ଏହି ସବୁ ଗତିବିଧିକୁ ଯୁବପିଢ଼ି (ଉପର ବରଡ଼ା) ଅନୁଭବ ନ କରିପାରି ଏକ ସହଜ ଜୀବନ ବଞ୍ଚୁଥାଏ। କିନ୍ତୁ ଏହି ଦୁଇ ପିଢ଼ି ଭିତରେ ଥିବା ମଝି ପିଢ଼ି (ମଝି ବରଡ଼ା) ଉଭୟ ବୃଦ୍ଧ ମାତାପିତା ଏବଂ ନିଜ ସନ୍ତାନମାନଙ୍କ ମଧ୍ୟରେ ଏକ ପାହାଚ ଭଳି ରହି ସବୁ ଦେଖିବାରେ ସକ୍ଷମ ଥାଏ। ସେ ଜାଣିଥାଏ ଯେ ତା’ର ବି ଦିନେ ବାର୍ଦ୍ଧକ୍ୟ ଅବସ୍ଥା ଉପନୀତ ହେବ।
ତେଣୁ ସେ ତରୁଣ ପିଢ଼ିକୁ ସାବଧାନ କରି କହୁଛି, ‘ରେ ଉପର ବରଡ଼ା, ତୁ ସାବଧାନ ରହ, କାରଣ ତୁ ବି ଦିନେ ଏହି ସ୍ତରକୁ ଆସିବାକୁ ବାଧ୍ୟ ହେବୁ।’
ଉପରୋକ୍ତ ଅନୁଚ୍ଛେଦ ପଢ଼ିବା ପରେ ମା’ବାପାଙ୍କ ପ୍ରତି ଅନ୍ୟାୟ କରିଥିବା ପ୍ରତ୍ୟେକ ଝିଅପୁଅ ସତର୍କ ହୋଇଯିବା ଉଚିତ ଯେ, ଏବେ ସେମାନେ ନିଜ ବୃଦ୍ଧ ମାତାପିତାଙ୍କ ସହିତ ଯେଉଁଭଳି ବ୍ୟବହାର କରୁଛନ୍ତି, ପରିଣତ ବୟସରେ ନିଜ ପିଲାମାନଙ୍କଠାରୁ ମଧ୍ୟ ସେହି ବ୍ୟବହାର ପାଇବା ସୁନିଶ୍ଚିତ l କଥାଟି ଦେହକୁ ଲାଗିଲେ ବି ନିରାଟ ସତ ପାଠକଗଣ, କାରଣ କଥାରେ ଅଛି ‘ଯେମିତି ବୁଣିବ, ସେମିତି ଦାଇବ l’
ମାତାପିତାଙ୍କୁ ଅବହେଳା କରିବା, ବୋଝ ମଣି ତାଙ୍କୁ ଅସମ୍ମାନ କରିବା, ଅଦରକାରୀ ଭାବି ଘରୁ ତଡ଼ିଦେବା କିମ୍ବା ବୃଦ୍ଧାଶ୍ରମ ଯିବାକୁ ବାଧ୍ୟ କରିବା ଭଳି ଘୃଣ୍ୟ ମାନସିକତା ରଖୁଥିବା ସନ୍ତାନମାନେ ଆଗକୁ ଯାଇ ଏହାର ପରିଣାମ ସ୍ବରୂପ ନିଶ୍ଚୟ ଏହିଭଳି କିଛି ନିଜ ପିଲାମାନଙ୍କଠାରୁ ଯେ ନ ଭୋଗିବେ ତାହା କହିହେବ ନାହିଁ।
ଆଜିକାଲି ବୃଦ୍ଧ ମାତାପିତାଙ୍କୁ ଦୁର୍ବ୍ୟବହାର କରୁଥିବା କିମ୍ବା ଘରେ ରଖି ତାଙ୍କ ଦାୟିତ୍ୱ ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ସନ୍ତାନମାନେ ବିଚାରଶୂନ୍ୟ ଏବଂ ବିବେକହୀନ ହୋଇଯାଇଛନ୍ତି। ସେମାନଙ୍କ ଧରାପୃଷ୍ଠକୁ ଆସିବାର କାରଣ, ତାଙ୍କର ଅସ୍ତିତ୍ୱକୁ ରୂପ ଦେଇଥିବା ମାତାପିତା, ଯାହାଙ୍କ ଯୋଗୁ ଆଜି ସେମାନେ ତିଷ୍ଠିଛନ୍ତି ସେମାନଙ୍କୁ ଘରୁ ବାହାର କରିଦେବା, ବୋଝ ଭାବିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ନିଜ ଶ୍ରମ, ଅର୍ଥ, ସମୟ ଦେଇ ସନ୍ତାନକୁ ପାଳନ ପୋଷଣ କରୁଥିବା ମାତାପିତା, ପୁଅ ଯୋଗ୍ୟ ଏବଂ ସକ୍ଷମ ହେଲାମାତ୍ରେ ଅଖୋଜା, ଅଲୋଡ଼ା ହୋଇଯାଉଛନ୍ତି! ଏହି ବିଚାରଧାରା, ଏହି ହୀନ ମାନସିକତାର ଆରମ୍ଭ କେଉଁଠାରୁ ଖୋଜିବାକୁ ହେବ। ସତ୍ୟତା ଏହା ଯେ, ଏଭଳି ମନୋଭାବର ମୂଳଦୁଆ ସର୍ବପ୍ରଥମେ ପିଲାଟିର ନିଜ ପରିବାର ଭିତରେ ହିଁ ପଡ଼ିଥାଏ।
ପିଲାମାନେ ସାଧାରଣତଃ ଘରେ ନିଜଠାରୁ ବଡ଼ ବ୍ୟକ୍ତି ଯେପରିକି ନିଜ ମାତା, ପିତା, କକା, ଖୁଡ଼ୀ, ଜେଜେ, ଜେଜେମା’ଙ୍କ ସଂସ୍ପର୍ଶରେ ସବୁଠାରୁ ବେଶି ସମୟ ରୁହନ୍ତି ଏବଂ ଅଦୃଶ୍ୟରେ ସେମାନଙ୍କୁ ଅନୁସରଣ କରନ୍ତି। ସେମାନଙ୍କ ବ୍ୟବହାର, କଥନଶୈଳୀ, ଭାବନା ଯେମିତି ଆଖିଆଗରେ ଘଟିଯାଏ, ତାହାକୁ ହିଁ ସେମାନେ ଠିକ୍‌ ଭାବି ନିଅନ୍ତିl ଉଦାହରଣ ସ୍ବରୂପ ଯଦି ସେମାନେ କଳି, ଝଗଡା, ହିଂସା, ଘୃଣା, ସ୍ବାର୍ଥପରତା, ଚୋରି, ମିଛ ଦେଖିବେ, ସେହିସବୁ ଗୁଣ ତାଙ୍କ ବ୍ୟକ୍ତିତ୍ୱରେ ଦେଖାଯିବ। ଅପରପକ୍ଷେ ସେମାନେ ଯଦି ଦୟା, କ୍ଷମା, ପ୍ରେମ, ମିତ୍ରତା, ଏକତା ଭାବରେ ବନ୍ଧା ପରିବାର ସଦସ୍ୟଙ୍କୁ ଦେଖିବେ, ସେହିଭଳି ଗୁଣସବୁ ତାଙ୍କ ଭିତରେ ବିକଶିତ ହେବ। ଜନ୍ମ ହେବା ପରଠାରୁ ପିଲାଟିର ପରିବେଶ, ସେ କିପରି ଲୋକଙ୍କ ସାନ୍ନିଧ୍ୟରେ ରହୁଛି, ପରିବାର ସଦସ୍ୟଙ୍କ ପରସ୍ପର ପ୍ରତି ବ୍ୟବହାରରୁ ଶିକ୍ଷା ନିଏ ଏବଂ କ୍ରମେ ସେମିତି ହିଁ କରେ। ଏଣୁ ଅଭିଭାବକମାନେ ନିଜେ ଭୁଲ୍‌ କାମ କରି ପିଲାମାନଙ୍କଠାରୁ ଭଲ ଗୁଣସବୁ ଆଶା କରିବା ଅତ୍ୟନ୍ତ ହାସ୍ୟାସ୍ପଦ।
ମାତାପିତା ଏବଂ ଗୁରୁଜନ ହୃଦୟଙ୍ଗମ କରିବା ଦରକାର ଯେ ସେମାନେ କହିଥିବା ପ୍ରତିଟି ଶବ୍ଦ, ପ୍ରତିଟି କାର୍ଯ୍ୟ ଭୁଲ୍‌ ହେଉ ଅବା ଠିକ୍‌; ତା’ର ପ୍ରତ୍ୟକ୍ଷ ପ୍ରଭାବ ପିଲାମାନଙ୍କ ଉପରେ ପଡୁଛି। ଭିନ୍ନ ଭିନ୍ନ ଜାତି, ଧର୍ମ, ସଂସ୍କୃତି, ପରମ୍ପରା, ସାମାଜିକ ଚଳଣି, ଜୀବନଶୈଳୀକୁ ନେଇ ସମାଜରେ ଦେଖାଦେଇଥିବା ବିଭିନ୍ନତା ଦ୍ୱାରା ସୃଷ୍ଟି ହେଉଥିବା ପିଲାଙ୍କ ବ୍ୟବହାର, ସଣ୍ଠଣା, ଚାରିତ୍ରିକ ଗୁଣାବଳୀକୁ ପ୍ରତିଫଳନ କରେ। ପିଲାମାନେ ସେସବୁକୁ ଶିଖିବାକୁ ଏକ ପ୍ରକାର ବାଧ୍ୟ ବୋଲି କହିଲେ ଭୁଲ୍‌ ହେବନାହିଁ l ସୁତରାଂ ବଡ଼ମାନଙ୍କ ‘କରିବା’ ଓ ‘କହିବା’ ଭିତରେ ଫରକ ଆସିଲେ ତାହା ପିଲାମାନଙ୍କ ଦ୍ୱାରା ଗ୍ରହଣୀୟ ହୁଏ ନାହିଁ।
ପିଲାଙ୍କ ଭିତରେ ଭଲଗୁଣ ବିକଶିତ କରିବା ପାଇଁ ମାତାପିତା ନିଜେ ପ୍ରଥମେ ସଦ୍‌ବ୍ୟବହାର କରିବା ସହ ସେମାନଙ୍କୁ ଅଭିଜ୍ଞ ବୟସ୍କ ବ୍ୟକ୍ତିଙ୍କ ସହିତ ସମୟ ବିତେଇବାର ସୁଯୋଗ ଦେବା ଆବଶ୍ୟକ। ଯଦ୍ଦ୍ବାରା ସେମାନେ ତାଙ୍କଠାରୁ ଭଲକଥା ଶିଖିବାର ସୁଯୋଗ ପାଇବେ। ସେମାନଙ୍କ ବିଚାରଧାରା, ମାନବିକ ମୂଲ୍ୟବୋଧରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପରିଣାମ ନିଜ ପରିବାର, ଗୁରୁଜନ, ପାଖପଡ଼ୋଶୀ ଏବଂ ଶେଷରେ ସମଗ୍ର ମଣିଷ ସମାଜ ପ୍ରତି ପିଲାମାନଙ୍କର ସମ୍ମାନ ଏବଂ ଆଦର କେଇଗୁଣା ବୃଦ୍ଧି ପାଇବ। ପିଲାଙ୍କ ଅନ୍ତରରେ ଶୁଦ୍ଧ ଏବଂ ସୁସ୍ଥ ଭାବନା ରହିଲେ ସେମାନେ କେବେହେଲେ ପରିବାର ସଦସ୍ୟ, ଆତ୍ମୀୟ କିମ୍ବା ଯେକୌଣସି ବର୍ଗର ଲୋକଙ୍କୁ ଅସମ୍ମାନ କିମ୍ବା ଅସଦାଚରଣ କରିବେ ନାହିଁ। ଆମର କୋମଳମତି ପିଲାମାନେ ଏବଂ ଆମ ଯୁବପିଢ଼ି ଭବିଷ୍ୟତରେ ନିଜ ପରିବାର ସଦସ୍ୟଙ୍କୁ ବୋଝ ନ ଭାବି ନିଜର ସାମର୍ଥ୍ୟ ମଣିବେ।
ଏବେ ଖବରକାଗଜ ଏବଂ ଟିଭି ଚ୍ୟାନେଲଗୁଡ଼ିକରେ ନିଜ ଘରୁ ମାତାପିତା ଅବହେଳିତ ହୋଇ ବାହାରେ ବ୍ରିଜ୍‌ ତଳେ କିମ୍ବା ଫୁଟ୍‌ପାଥ୍‌ରେ ଦିନ ବିତେଇବା ଖବର ଓ ଦୃଶ୍ୟ ହୃଦୟବିଦାରକ। ମାତାପିତାଙ୍କର କଷ୍ଟାର୍ଜିତ ସମ୍ପତ୍ତିକୁ ଭୋଗ କଲାପରେ ତାଙ୍କୁ ତାଙ୍କରି ସମ୍ପତ୍ତିରୁ ବେଦଖଲ କରି ସେଥିରେ ଆରାମରେ ଚଳିବା ଜଣେ କୃତଘ୍ନ ହିଁ କରିପାରେ। ତଥାପି ସେ ମା’ବାପା ନିଜର ଅଯୋଗ୍ୟ ସନ୍ତାନମାନଙ୍କୁ ଅଭିଶାପ ଦେଉ ନ ଥିବେ କିମ୍ବା ଖରାପ ବ୍ୟବହାର କରୁ ନ ଥିବେ। ଏବେ ବି ତାଙ୍କର ମନର କେଉଁ କୋଣରେ ଗୋଟିଏ ଆଶା ଥିବ ଯେ ତାଙ୍କ ପିଲାମାନେ ତାଙ୍କୁ ଦିନେ ଆସି ଘରକୁ ଫେରେଇନେବେ।
ବୃଦ୍ଧାଶ୍ରମରେ ମୃତ୍ୟୁକୁ ଅପେକ୍ଷା କରି ଦିନ ଗଣୁଥିବା ମା’ବାପା କ’ଣ ଏହି ଦିନ ପାଇଁ ତାଙ୍କ ସନ୍ତାନମାନଙ୍କୁ ଯୋଗ୍ୟ କରିଥିଲେ? ନିଜ ରକ୍ତକୁ ପାଣି କରି ପିଲାର ଭବିଷ୍ୟତ ପାଇଁ ସଞ୍ଚୟ ଓ ଯୋଜନା କରି ତାକୁ ପ୍ରତିଷ୍ଠିତ କରିଥିବା ମା’ବାପା, ପରିଣତ ବୟସରେ ଖାଇବା ପାଇଁ ମୁଠେ ଏବଂ ରହିବା ପାଇଁ ଉପଯୁକ୍ତ ଖଣ୍ଡେ ସ୍ଥାନ ବି ତାଙ୍କ ସୌଭାଗ୍ୟରେ ନାହିଁ ?
କୁଆଡ଼େ ଯାଉଛି ଆମ ସମାଜ? ବର୍ତ୍ତମାନର ନିର୍ଦ୍ଦୟୀ ସନ୍ତାନମାନେ ଯେତେ ଶୀଘ୍ର ସୁଧୁରିଯିବେ ଭଲ, କାରଣ ଆଗକୁ ସେମାନେ ବି ନ ଭୁଲନ୍ତୁ ଯେ, ଖୁବ୍‌ଶୀଘ୍ର ତାଙ୍କର ମଧ୍ୟ ସେହି ‘ବେଳକାଳ ଆସୁଛି’।
ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri