Odisha Elections 2024

ଡିଜିଟାଲ ମିଡିଆକୁ ଏତେ ଭୟ କାହିଁକି

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଦେଶରେ ଡିଜିଟାଲ ମିଡିଆ ରୂପେ ପରିଚିତ ସୋସିଆଲ ମିଡିଆ ଓ ୱେବ୍‌ ଚ୍ୟାନେଲଗୁଡ଼ିକୁ ନିଜର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ଏବେ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି। ନିକଟରେ ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ନିୟମ-୨୦୨୧ ନାମରେ ଏକ ନିର୍ଦ୍ଦେଶାବଳୀ ଜାରି ହେବା ପରେ ଏହା ପଛରେ ରହିଥିବା ଉଦ୍ଦେଶ୍ୟ ନେଇ ଅନେକ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଡିଜିଟାଲ ମିଡିଆ ନେଇ ପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରୀ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ରିପୋର୍ଟଟି ଏନେଇ ଆଶଙ୍କାକୁ ଦୃଢ଼ୀଭୂତ କରିଛି। ସେଥିରେ ଦେଶରେ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି।
ସରକାରଙ୍କ ଏଭଳି ନିଷ୍ପତ୍ତି ପଛରେ ଡିଜିଟାଲ ମିଡିଆ ଜରିଆରେ ପ୍ରଚାର କରାଯାଉଥିବା ଅନେକ ମିଥ୍ୟା ଖବର, ଗୁଜବ, ବିଦ୍ୱେଷ ଓ ହିଂସା ଉଦ୍ରେକକାରୀ ଖବରକୁ ରୋକିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଏଠାରେ ପ୍ରଶ୍ନ ଉଠେ, ଡିଜିଟାଲ ମିଡିଆରେ ବିଶେଷକରି ସାମାଜିକ ଗଣମାଧ୍ୟମରେ ମିଥ୍ୟା ତଥା ଘୃଣା ଏବଂ ସାମ୍ପ୍ରଦାୟିକତା ଉଦ୍ରେକକାରୀ ଖବର ଏବଂ ଭିଡିଓକୁ ପ୍ରଚାର କରିବାରେ ସରକାରୀ ଦଳର ଆଇଟି ସେଲ୍‌ ଏବଂ ସେମାନଙ୍କ ସମର୍ଥକମାନେ ସବୁଠାରୁ ଆଗରେ ରହିଛନ୍ତି। ଦିଲ୍ଲୀ ଦଙ୍ଗା ପୂର୍ବରୁ କପିଳ ମିଶ୍ର ତଥା ଅନ୍ୟ କିଛି ଭାଜପା ନେତାଙ୍କ ସାମ୍ପ୍ରଦାୟିକତା ଉଦ୍ରେକକାରୀ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲିବା ନେଇ ଅନେକ ପ୍ରତିବାଦ ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଅତଏବ ସୋସିଆଲ ମିଡିଆ ଜରିଆରେ କୌଣସି ହିଂସା ଓ ବିଦ୍ୱେଷକାରୀ ପ୍ରଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମର ଆଇନରେ ବର୍ତ୍ତମାନ ବି ଅନେକ ବ୍ୟବସ୍ଥା ରହିଥିଲେ ମଧ୍ୟ ସେସବୁର ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନି। ସରକାରଙ୍କ ଇଚ୍ଛାଶକ୍ତି ଅଭାବ ଏଭଳି ପରିସ୍ଥିତି ପାଇଁ ସଂପୂର୍ଣ୍ଣ ରୂପେ ଦାୟୀ ବୋଲି କୁହାଯାଇପାରେ। ଏଭଳି ପରିସ୍ଥିତିରେ ଡିଜିଟାଲ ମିଡିଆ ଉପରେ ଅଙ୍କୁଶ ଲଗାଇବାକୁ ସରକାର ଯେଉଁ ଚିନ୍ତା କରୁଛନ୍ତି, ତାହା ଏକଦମ୍‌ ହାସ୍ୟାସ୍ପଦ ମନେହୁଏ।
କେବଳ ଡିଜିଟାଲ ମିଡିଆ ନୁହେଁ, ଉଭୟ ଟିଭି ଏବଂ ଖବରକାଗଜରେ ମଧ୍ୟ ଏଭଳି ଉତ୍ତେଜକ ଏବଂ ହିଂସା ଉଦ୍ରେକକାରୀ ନ୍ୟୁଜ୍‌ର କୌଣସି ଅଭାବ ନାହିଁ। ଗତ କିଛି ବର୍ଷ ମଧ୍ୟରେ ଜାତୀୟ ମିଡିଆର ବଡ଼ ଭାଗଟି ଶାସକ ଦଳର ସ୍ତାବକ ପାଲଟି ଗୋଦି ମିଡିଆରେ ପରିଣତ ହେବା ସହିତ ଏଭଳି ଉତ୍ତେଜକ, ବିଦ୍ୱେଷକାରୀ ତଥା ହିଂସା ଉଦ୍ରେକକାରୀ ଖବର ପରିବେଷଣ କରିବାର ମୁଖ୍ୟ ବାହକ ସାଜିଛି। ନିକଟ ଅତୀତରେ ମୁମ୍ବାଇ ହାଇକୋର୍ଟ ଏବଂ ସୁଦର୍ଶନ ଟିଭି ମାମଲାରେ ସୁପ୍ରିମ୍‌କୋର୍ଟ ମଧ୍ୟ ଟିଭିରେ ପ୍ରସାରିତ ଏଭଳି ଉତ୍ତେଜକ, ସାମ୍ପ୍ରଦାୟିକ ବିଦ୍ୱେଷକାରୀ ଖବର ପରିବେଷଣ ନେଇ ନିଜର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଟିଭି ଓ ଖବରକାଗଜମାନଙ୍କରେ ପ୍ରସାରିତ ଖବରକୁ ତଦାରଖ କରିବାକୁ ରହିଥିବା ନିୟାମକ ସଂସ୍ଥାର ଉଲ୍ଲେଖ କରି ସରକାର ଡିଜିଟାଲ ମିଡିଆ ପାଇଁ ବି ସେଭଳି ଏକ ସଂସ୍ଥାର କଥା କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଟିଭି ଚ୍ୟାନେଲ ଓ ଖବରକାଗଜମାନଙ୍କ ଉପରେ ନିୟନ୍ତ୍ରଣ କରିବାକୁ ଯେଉଁ ସବୁ ସଂସ୍ଥା ରହିଛନ୍ତି, ସେମାନଙ୍କର ନା ସେଭଳି କୌଣସି କ୍ଷମତା ରହିଛି ନା ସେଥିରେ ସବୁ ଚ୍ୟାନେଲ ସଦସ୍ୟ ରହିଛନ୍ତି। ବିଶେଷକରି ସରକାର ସପକ୍ଷବାଦୀ ଚ୍ୟାନେଲ୍‌ଗୁଡ଼ିକରେ ପ୍ରସାରିତ ଏକତରଫା, ହଟଚମଟକାରୀ ଏବଂ ଉତ୍ତେଜକ ଖବର ପରିବେଷଣ ଉପରେ କୌଣସି ପ୍ରକାର ରୋକ ଲଗାଇବାରେ ଏସବୁ ସଂସ୍ଥା ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏମାନଙ୍କ ଉପସ୍ଥିତି ସତ୍ତ୍ୱେ ପ୍ରେସ୍‌ ସ୍ବାଧୀନତା ମାମଲାରେ ଆମେ ବିଶ୍ୱରେ ପ୍ରତିବର୍ଷ ତଳକୁ ତଳକୁ ଯାଉଛେ। ଏଭଳି ପରିସ୍ଥିତିରେ ସରକାର ଟିଭି ଓ ଖବରକାଗଜ ଉପରେ ରହିଥିବା ଉପରୋକ୍ତ ତଥାକଥିତ ଏବଂ ଦନ୍ତହୀନ ନିୟାମକ ସଂସ୍ଥାର ଉଦାହରଣ ଦେଇ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବାକୁ ଯେଉଁ ନିୟାମକ ସଂସ୍ଥା କରିବାକୁ ଯାଉଛନ୍ତି, ତାହା ତାଙ୍କର କଥିତ ଉଦ୍ଦେଶ୍ୟକୁ ହାସଲ କରିବାରେ ସମ୍ପୂର୍ଣ୍ଣ ବିଫଳ ହେବାକୁ ଯାଉଛି।
ସରକାର ଯାହା କୁହନ୍ତୁ ନା କାହିଁକି, ଏଭଳି ନିୟମ ଆଣିବା ପଛରେ ସ୍ପଷ୍ଟ ଉଦ୍ଦେଶ୍ୟଟି ହେଲା, ଡିିଜିଟାଲ ମିଡିଆକୁ ନିୟନ୍ତ୍ରଣରେ ରଖିବା। କାରଣ ଏହି ସରକାରକୁ ଅତୀତରେ କ୍ଷମତାକୁ ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଡିଜିଟାଲ ମିଡିଆ ଏବେ ଖୋଦ୍‌ ସରକାର ଓ ଶାସକ ଦଳ ପାଇଁ ଏକଦମ୍‌ ଭଷ୍ମାସୁରରେ ପରିଣତ ହୋଇଯାଇଛି। କାରଣ ପ୍ରାୟତଃ କର୍ପୋରେଟ୍‌ ନିୟନ୍ତ୍ରଣରେ ରହିଥିବା ମୁଖ୍ୟଧାରାର ଗଣମାଧ୍ୟମକୁ ସରକାର ନିଜର କ୍ଷମତା ଓ ପ୍ରଭାବକୁ ବ୍ୟବହାର କରି ନିଜର ବୋଲକରା କରି ସାରିଛନ୍ତି। ସେମାନଙ୍କ ଭାବମୂର୍ତ୍ତି ଜନଗଣଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି ଏବଂ ସେମାନଙ୍କୁ ତାଚ୍ଛଲ୍ୟ କରି ଲୋକେ ଗୋଦି ମିଡିଆ ବୋଲି କହୁଛନ୍ତି। ସେମାନଙ୍କ ପଟୁ ସରକାରଙ୍କ ପାଇଁ କୌଣସି ପ୍ରକାର ବିପଦ ନାହିଁ।
ବରଂ ଗୋଦି ମିଡିଆର ବିକଳ୍ପ ଭାବେ ଡିଜିଟାଲ ମିଡିଆ ଆଜି ବେଶ୍‌ ଲୋକପ୍ରିୟ ହେବା ସହ ସେମାନଙ୍କ ପ୍ରଭାବ ଖୁବ୍‌ ଜୋରରେ ବଢ଼ିବାରେ ଲାଗିଛି। ଅତ୍ୟନ୍ତ ଛୋଟ ଛୋଟ ଉଦ୍ୟମରେ ଚାଲିଥିବା ଏସବୁ ମିଡିଆକୁ ନିୟୁତ ନିୟୁତ ଦର୍ଶକ ଦେଖୁଛନ୍ତି। ନିଜର ପ୍ରସଙ୍ଗଗୁଡ଼ିକୁ ସ୍ଥାନିତ କରୁଥିବାରୁ ଏବଂ ସରକାରଙ୍କୁ ପ୍ରଶ୍ନ କରିବାର ସାହସ କରୁଥିବାରୁ ସାଧାରଣ ଲୋକେ ଏଭଳି ମିଡିଆକୁ ଖୋଜିବା ସହିତ ଅନେକ ସମୟରେ ସେମାନଙ୍କୁ ଛୋଟ ବଡ଼ ଆର୍ଥିକ ସହାୟତା କରୁଥିବା ବି ଦେଖିବାକୁ ମିଳିଛି। ଦେଶରେ ପ୍ରସାରିତ ଅନେକ ନିଉଜ୍‌ ପୋର୍ଟାଲ ଏବଂ ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକ ଦର୍ଶକମାନଙ୍କୁ ଏକ ମଜଭୁତ ବିକଳ୍ପ ଦେବାକୁ ସମର୍ଥ ହୋଇ ଚାଲିଛନ୍ତି।
ଲୋକେ କର୍ପୋରେଟ୍‌ ପୁଞ୍ଜି ଏବଂ ସରକାରୀ ନିୟନ୍ତ୍ରଣରୁ ବାହାରେ ରହିବା ଫଳରେ ଡିଜିଟାଲ ମିଡିଆଗୁଡ଼ିକ ଅତ୍ୟନ୍ତ ସ୍ପଷ୍ଟ ଭାବେ ନିଜର ମତ ପ୍ରକାଶ କରିବାକୁ ସମକ୍ଷ ହେବା ସହିତ ସରକାରଙ୍କ ତ୍ରୁଟି ବିଚ୍ୟୁତିକୁ ମଧ୍ୟ ଲଗାତାର ଉଜାଗର କରିପାରୁଛନ୍ତି। ଯାହା ମୁଖ୍ୟଧାରାର ମିଡିଆରେ ଆସୁନି ତାକୁ ଲୋକେ ସୋସିଆଲ ମିଡିିଆରେ ପାଉଛନ୍ତି। ଏଭଳି ପରିସ୍ଥିତିରେ ତଥାକଥିତ ମୁଖ୍ୟଧାରାର ଗଣମାଧ୍ୟମରେ ନିଜକୁ ଅସହାୟ ମନେକରୁଥିବା ସାଧାରଣ ଲୋକଟି ପାଇଁ ଡିଜିଟାଲ ମିଡିଆ ଏକ ମଜଭୁତ ବିକଳ୍ପ ଠିଆ ହୋଇଛି। ବିଶେଷକରି ଅତ୍ୟନ୍ତ କ୍ଷୁଦ୍ରସ୍ତରରେ ଗଁାରେ, ଛୋଟ ଛୋଟ ସହରରେ ଏପରିକି ଜଣେ ଦୁଇ ଜଣ ଉତ୍ସାହୀ ବ୍ୟକ୍ତିଙ୍କୁ ନେଇ ଆରମ୍ଭ ହୋଇଥିବା ଶହ ଶହ ଡିଜିଟାଲ ପ୍ଲାଟ୍‌ଫର୍ମ ଏବେ ନିରପେକ୍ଷ ଏବଂ ଜନପକ୍ଷଧର ସାମ୍ବାଦିକତାର ଏକ ମଜଭୁତ ସ୍ତମ୍ଭ ଭାବେ ଠିଆ ହୋଇଛି। ଏକୁଟିଆ ଜଣେ ସାମ୍ବାଦିକଙ୍କଠାରୁ ଆରମ୍ଭ କରି ମାତ୍ର କିଛି ହାତଗଣତି ସାମ୍ବାଦିକ ଏବଂ କର୍ମଚାରୀଙ୍କୁ ନେଇ ଚାଲିଥିବା ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକ ଅତ୍ୟନ୍ତ ସାହସିକତାର ସହିତ ଜନଗଣଙ୍କ ପ୍ରସଙ୍ଗଗୁଡ଼ିକୁ ସାମ୍‌ନାକୁ ଆଣିବା ସହିତ ସରକାରଙ୍କ ନୀତିକୁ ପ୍ରଶ୍ନ କରିବାର ସାମର୍ଥ୍ୟ ରଖୁଛନ୍ତି। ଅତଏବ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ଉପରୋକ୍ତ ଡିଜିଟାଲ ମିଡିଆଗୁଡ଼ିକୁ ବାଟକୁ ଆଣିବାକୁ ସରକାର ଚାହୁଁଛନ୍ତି।
ଆମ ଦେଶରେ ଏହିକ୍ଷଣି, ହ୍ବାଟ୍ସଆପ୍‌ର ୫୩ କୋଟି ଏବଂ ଫେସ୍‌ବୁକ୍‌ର ୪୧ କୋଟି ବ୍ୟବହାରକାରୀ ରହିଛନ୍ତି। ଏହାର ଅର୍ଥହେଲା ଦେଶର ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ ଲୋକ ଏସବୁ ସାମାଜିକ ଗଣମାଧ୍ୟମକୁ ଏବଂ ତା’ରି ଜରିଆରେ ୟୁଟ୍ୟୁବ୍‌କୁ ବ୍ୟବହାର କରୁଛନ୍ତି। ଜନସଂଖ୍ୟାର ଏତେବଡ଼ ଭାଗ ସାମିଲ ଥିବା ଏହି ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ସରକାର ସେମାନଙ୍କ ମତାମତ ନେବାର ଥିଲା। କିନ୍ତୁ ଖୋଦ୍‌ ସୂଚନା ପ୍ରସାରଣ ମନ୍ତ୍ରୀଙ୍କ ବକ୍ତବ୍ୟ ଅନୁଯାୟୀ, ସରକାର ନିଜର ନିର୍ଦ୍ଦେଶାବଳୀ ଉପରେ ମାତ୍ର ୧୭୧ଟି ମତ ଏବଂ ୮୦ଟି ବିରୋଧକୁ ନେଇ ନିଜର ନୀତି ପ୍ରଣୟନ କରିଛନ୍ତି। ଅସଲ କଥା ହେଲା, ସରକାର ନିଜର ଖରାପ ଉଦ୍ଦେଶ୍ୟ ନେଇ ଜନଗଣଙ୍କୁ ଅନ୍ଧାରରେ ରଖିବାକୁ ଚାହୁଁଛନ୍ତି।
ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କ ଉଦ୍ୟମଟି ଦେଶର ଗଣତନ୍ତ୍ର, ପ୍ରେସ୍‌ ସ୍ବାଧୀନତା ଏବଂ ସର୍ବୋପରି ଜନଗଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଅତ୍ୟନ୍ତ ବିପଜ୍ଜନକ। ଏହି ନୀତି ଫଳରେ ଆଗାମୀ ଦିନରେ ସରକାରଙ୍କ ନୀତିକୁ ପ୍ରଶ୍ନ କରୁଥିବା ଅନେକ ୱେବ୍‌ ଚ୍ୟାନେଲ ଅଚିରେ ବନ୍ଦ ହୋଇଯିବ। ମୁଖ୍ୟଧାରାର ଗଣମାଧ୍ୟମ ପରି ଡିଜିଟାଲ ମିଡିଆରେ ବି ସରକାରଙ୍କ ବୋଲକରା ଆଉ ଏକ ଗୋଦି ମିଡିଆ ହିଁ ଯେ ରହିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ମୋ: ୯୪୩୭୧୬୬୩୯୧
bhalachandra.odisha@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ସଫଳତାର ମୂଳମନ୍ତ୍ର, ଯାହା ପ୍ରମାଣ କରି ଦେଖାଇଛନ୍ତି ବେଙ୍ଗାଲୁରୁର ଡ. କେ.ଏସ୍‌. ରଜାନ୍ନା। ପୋଲିଓ ଆକ୍ରାନ୍ତ ହୋଇ ମାତ୍ର ୧୧ ବର୍ଷ ବୟସରେ...

ଯୋଗ୍ୟ ପ୍ରାର୍ଥୀ

ରବିନାରାୟଣ ସାମଲ ସାଧାରଣ ନିର୍ବାଚନରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ଏକ ଜଟିଳ କାର୍ଯ୍ୟ। କାରଣ ଅଧିକାଂଶ ଭୋଟର ପ୍ରାର୍ଥୀଙ୍କ ବିଷୟରେ ସବିଶେଷ ଜାଣନ୍ତି ନାହିଁ।...

ରାସ୍ତାକଡ଼ର ଜୀବନ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ସମୟ: ଏଇ ବୈଶାଖ ମାସର ମଧ୍ୟାହ୍ନ। ସ୍ଥାନ: ରାଜଧାନୀର ଏକ କଲୋନି ଅଞ୍ଚଳର ରାସ୍ତାକଡ଼। ଦୃଶ୍ୟ: ମୁଣ୍ଡ ଉପରେ ଦାଉ ଦାଉ...

ବ୍ୟର୍ଥ ଏନ୍‌ଏଚ୍‌ଆର୍‌ସି

ଚଳିତ ବର୍ଷ ମେ ୧୩ରେ ‘ଜାତିସଂଘ ସହ ଜଡ଼ିତ ସଂସ୍ଥା ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭାରତର ଏନ୍‌ଏଚ୍‌ଆର୍‌ସି ମାନ୍ୟତାକୁ ସ୍ଥଗିତ ରଖିଛି’ ଶୀର୍ଷକ ଖବର...

ଏଇ ଭାରତରେ

ଇଞ୍ଜିନିୟରିଂ ପରେ ବିହାରର ପ୍ରଭାତ କୁମାର ପାଖାପାଖି ୫୦୦ ଗ୍ରାମର ୨୫,୦୦୦ କୃଷକଙ୍କୁ ସଶକ୍ତ କରିପାରିଛନ୍ତି। କୃଷକମାନେ ପିଆଜ, ଛତୁ ଓ ମକା ଚାଷ କରି...

ପରିଶୁଦ୍ଧ କୃଷିର ଆବଶ୍ୟକତା

ଡି. ଶୁଭମ୍‌ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ମାନବ ବିଭିନ୍ନ ନୂତନ ପଦ୍ଧତି ଆପଣାଉଛି। ତେବେ ଏହାରି ମଧ୍ୟରେ ଏହି ପଦ୍ଧତିଗୁଡ଼ିକ ପରିବେଶ ଉପରେ...

ଚବାହାର ଚୁକ୍ତିନାମା-କୂଟନୈତିକ ବିଜୟ

ପ୍ରକାଶ ତ୍ରିପାଠୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହ ଇରାନର ପାରସ୍ପରିକ ସମ୍ପର୍କ ନିରନ୍ତର ଖରାପ ଥିବାବେଳେ ଭାରତ ସହ ସମ୍ପର୍କ ସର୍ବଦା ଭଲ ରହିଆସିଛି। ବିଭିନ୍ନ ସମୟରେ...

Dillip Cherian

ପୁରୁଣା ଆଇନର ନବୀକରଣ

ସ୍ବାଧୀନତା ପୂର୍ବର ଅନେକ ଆଇନର ନବୀକରଣ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଏସବୁ ଆଇନର ଆଧୁନିକୀକରଣ ଓ ବ୍ୟବସ୍ଥିତ କରିବାର ପ୍ରସ୍ତାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri