ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଛି ୯୮୫ ରାସ୍ତା

ଭୁବନେଶ୍ୱର,୫।୨(ବ୍ୟୁରୋ): ଗ୍ରାମାଞ୍ଚଳର ବିକାଶ ଏବଂ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସବୁଦିନିଆ ଗମନାଗମନକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ରାସ୍ତା ସଂଯୋଗୀକରଣ ନିମନ୍ତେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପ୍ରଚଳନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୨୦୧୫-୧୬ ଆର୍ଥିକ ବର୍ଷଠାରୁ କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ଅଦ୍ୟାବଧି ରାଜ୍ୟରେ ମୋଟ୍‌ ୯୮୫ ରାସ୍ତା ନିର୍ମାଣ କରାଯାଇଛି। ୩୯୫୧.୨୦ କିମି ଦୈର୍ଘ୍ୟବିଶିଷ୍ଟ ଏହି ରାସ୍ତାଗୁଡ଼ିକ ଦ୍ୱାରା ୧୧୭୨ ଗ୍ରାମକୁ ନିକଟବର୍ତ୍ତୀ ମୁଖ୍ୟରାସ୍ତା ସହ ସଂଯୋଗ ହୋଇଛି। ଏହା ରାଜ୍ୟ ସରକାରଙ୍କ ଅନୁଦାନ ଦ୍ୱାରା ପରିଚାଳିତ ଏକ ପ୍ରମୁଖ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଗମନାଗମନ ତଥା ଯୋଗାଯୋଗ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ପରିବହନ କ୍ଷେତ୍ରରେ ମଧ୍ୟ ଏହା ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବା ସହ ଏହାଦ୍ୱାରା ସ୍ଥାନୀୟ ଅଧିବାସୀ ନିକଟସ୍ଥ ସହରରେ ନିଜ ଉତ୍ପାଦନର ଉପଯୁକ୍ତ ବଜାର ସୁବିଧା ପାଇପାରୁଛନ୍ତି। ରାଜ୍ୟର ଅପହଞ୍ଚ ଅଞ୍ଚଳକୁ ଯୋଗାଯୋଗ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳଠାରୁ ଅନ୍ୟ ସ୍ଥାନର ଦୂରତା କମିବା ସହ ଲୋକେ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଉଛନ୍ତି।
ସବୁଦିନିଆ ରାସ୍ତା ନିର୍ମାଣ ଦ୍ୱାରା ଅନୁସୂଚିତ ଜାତି ଓ ଜନଜାତିଙ୍କ ଜୀବନଜୀବିକା କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଏମାନଙ୍କ ଦମନ ନିମନ୍ତେ ପୋଲିସ କୋମ୍ବିଂ ଅପରେଶନ୍‌ ପାଇଁ ଲାଭଜନକ ସାବ୍ୟସ୍ତ ହୋଇପାରିଥିବା ବେଳେ ସେ ଅଞ୍ଚଳର ଉନ୍ନୟନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇପାରିଛି। ଏହିସବୁ ଅଞ୍ଚଳକୁ ଯିବା ପାଇଁ ଏହା ସିଆର୍‌ପିଏଫ୍‌ ଆରକ୍ଷୀ ବାହିନୀ ଲାଗି ସୁବିଧାଜନକ ହୋଇପାରିଛି।