ଟିକା ପାଇଁ ୯୮% ସ୍ବାସ୍ଥ୍ୟକର୍ମୀ ପଞ୍ଜୀକୃତ

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଖୁବ୍‌ଶୀଘ୍ର କରୋନା ଟିକା ଆସିବାର ଅଛି। ଟିକା ଆସିଲେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସହିତ ଆଗଧାଡ଼ିର ଯୋଦ୍ଧାଙ୍କୁ ଦିଆଯିବ ବୋଲି କୁହାଯାଉଛି। ତେଣୁ କେନ୍ଦ୍ର ସରକାର ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ତଥ୍ୟ ଦେବାକୁ ରାଜ୍ୟଗୁଡ଼ିକୁ କହିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପାଖରେ ଏପର୍ଯ୍ୟନ୍ତ ୯୮% ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ନାଁ ସହ ତଥ୍ୟ ପହଞ୍ଚତ୍ ସାରିଲାଣି। ଏ ନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।
ଏ ସଂକ୍ରାନ୍ତରେ ମହାପାତ୍ର କହିଛନ୍ତି, କରୋନା ଟିକା ପାଇଁ ମୋଟ ୩ଲକ୍ଷ ୨ହଜାର ୭୦୮ଜଣଙ୍କ ତଥ୍ୟ ସଂଗ୍ରହ ପାଇଁ ଟାର୍ଗେଟ ରହିଛି। ରାଜ୍ୟର ୩୬୮୩ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟ ସଂସ୍ଥା ମଧ୍ୟରୁ ୩୪୬୩ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ସମ୍ପର୍କରେ ତଥ୍ୟ ଦେଇସାରିଛନ୍ତି। ଅର୍ଥାତ୍‌ ଅକ୍ଟୋବର ୩୧ତାରିଖ ସୁଦ୍ଧା ୯୪% ସଂସ୍ଥାରୁ ୨ ଲକ୍ଷ ୯୫ ହଜାର ୩୪୯ (୯୮%) ଜଣଙ୍କ ତଥ୍ୟ ମିଳିସାରିଛି। ସେଥିମଧ୍ୟରୁ ଗଞ୍ଜାମ, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ଅନୁଗୋଳ, ବରଗଡ଼, ବୌଦ୍ଧ, ଦେବଗଡ଼, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଆଦି ୧୪ ଜିଲାରୁ ସମସ୍ତ ତଥ୍ୟ ଆସିଥିବା ଜଣାପଡ଼ିଛି। ଏସବୁ ଜିଲା ପାଇଁ ଯେତିକି ଟାର୍ଗେଟ୍‌ ରଖାଯାଇଥିଲା, ସେତିକି ତଥ୍ୟ ଆସିସାରିଛି। ସେପଟେ ଖୋର୍ଦ୍ଧା ଜିଲାରେ ଅଧିକ ତଥ୍ୟ ଆସିଛି। ଏହି ଜିଲା ପାଇଁ ୨୦,୮୩୦ଜଣଙ୍କ ଟାର୍ଗେଟ୍‌ ରଖାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୩,୪୦୦ଲୋକଙ୍କ ତଥ୍ୟ ଆସିଛି। ଗଞ୍ଜାମ ଜିଲାରେ ଟାର୍ଗେଟର ଶତପ୍ରତିଶତ ଅର୍ଥାତ୍‌ ସର୍ବାଧିକ ୨୪,୧୪୮ଜଣଙ୍କର ତଥ୍ୟ ମିଳିସାରିଛି।
ସୂଚନାଯୋଗ୍ୟ, କରୋନା ଟିକା ପ୍ରଦାନ ପାଇଁ ସ୍ବାସ୍ଥ୍ୟ କର୍ମୀଙ୍କ ସହ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ଆଇଏମ୍‌ଏ, ଆୟୁଷ, ନର୍ସିଂ ଆସୋସିଏଶନ, ପାରାମେଡ଼ିକ କର୍ମଚାରୀ ସଂଘ ଓ ଘରୋଇ ମେଡିକାଲ ସଂଘ ସଭାପତିଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଚିଠି ଲେଖଥିଲେ। ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ମଧ୍ୟ ଲେଖାଯାଇଥିବା ଚିଠିରେ ଅଙ୍ଗନଓ୍ବାଡି କର୍ମୀ, ହେଲ୍ପର, ସୁପରଭାଇଜର, ସିଡିପିଓଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କରୋନା ଭ୍ୟାକ୍ସିନେଶନ ବେନିଫିସିଆରି ମ୍ୟାନେଜମେଣ୍ଟ ସିଷ୍ଟମରେ ଏହି ତଥ୍ୟ ଅପ୍‌ଲୋଡ୍‌ କରିବା ପାଇଁ କୁହାଯାଇଥିଲା।