ଏସ୍‌ସିବି ଉନ୍ନତୀକରଣ ପାଇଁ ଅଧିକ ୯୭୪କୋଟି

କଟକ ଅଫିସ,୬।୫: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟ ଜାରି ରହିଛି। ତେବେ ଏହାର ପୁନଃବିକାଶ ଓ ବିସ୍ତାର ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମୁଦାୟ ୪,୪୭୪.୪୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପୂର୍ବରୁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଇଥିବାବେଳେ ଏବେ ଅଧିକ ୯୭୪.୪୮ କୋଟି ଟଙ୍କା ବୃଦ୍ଧି ପାଇଛି। ତେବେ ମେଡିକାଲର ଅନ୍ତରୀଣ ଉନ୍ନତୀକରଣ ପାଇଁ ୬ .୯୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ମେଡିକାଲ ଖେଳପଡିଆ ଉନ୍ନତିକରଣ ପାଇଁ ୧୨ . ୫୭ କୋଟି, ମହାନଦୀ ନିକଟରେ ଯାନବାହନ ପାର୍କିଂ ବ୍ୟବସ୍ଥା ପାଇଁ ୧୯.୩୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୫୦୦ ଜଣ ରହିବା ଭଳି ଏକ ନୂତନ ଧର୍ମଶାଳା ନିର୍ମାଣ ହେବ। ଏଥିପାଇଁ ୩୬.୪୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ କରାଯାଇଛି। ଏଠାରେ ୬୦ ମିଟର ଓସାରର ୨ଟି ପାଦଚଲା ଓଭର ବ୍ରିଜ୍‌ ନିର୍ମାଣ କରାଯିବ। ଏଥିପାଇଁ ୨.୩୩ କୋଟି ଖର୍ଚ୍ଚ ହେବ। ସେହିପରି ୩୦ମିଟର ଓସାରର ଗୋଟିଏ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେବ। ଏଥିପାଇଁ ୮୦. ୭୦ ଲକ୍ଷ ଖର୍ଚ୍ଚ ହେବ। ୧୨୦୦ ସ୍କୋୟାର ମିଟର ମଧ୍ୟରେ ୨.୮୪ କୋଟି ଟଙ୍କାରେ ବଜ୍ୟବସ୍ତୁ ପରିଚାଳାନା କେନ୍ଦ୍ର ନିର୍ମାଣ ହେବ। ବୋଷ ଗେଷ୍ଟ ହାଉସରେ ୧.୫୨ କୋଟି ଟଙ୍କା ଖର୍ଚ୍ଚରେ ରେଡକ୍ରସ୍‌ ରକ୍ତ ଭଣ୍ଡାରକୁ ନିର୍ମାଣ କରାଯିବ। ଏଥିସହ ୪୦ .୯୯ ଲକ୍ଷ ଟଙ୍କା ଖର୍ଚ୍ଚରେ ଆହାର କେନ୍ଦ୍ର ନିର୍ମାଣ କରାଯିବ। ସେହିପରି ଗଛ କାଟିବା ପାଇଁ ୧୮.୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୯୦.୬୨ ଟଙ୍କା ଖର୍ଚ୍ଚରେ ଗଛ ଲଗାଯିବ।