୨୩୯ ଦିନରେ ତାଇଓ୍ବାନରେ ୯୬୧ ଥର ଅନୁପ୍ରବେଶ…

ବେଜିଂ, ୨୩।୫ : ତାଇୱାନରେ ଚାଇନା ସୈନ୍ୟଙ୍କର ଅନୁପ୍ରବେଶ ବୃଦ୍ଧି ପାଇବାରେ ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, ମେ ମାସରେ ଚାଇନାର ୬୮ ସାମରିକ ବିମାନ ତାଇୱାନର ଆକାଶ ମାର୍ଗ ସୀମାରେ ଅନୁପ୍ରବେଶ କରିଥିଲା। ସେଥିମଧ୍ୟରେ ୩୦ଟି ଯୁଦ୍ଧ ବିମାନ, ୧୯ ଟି ସ୍ପୋଟର୍‌ ପ୍ଲେନ, ୧୦ ଟି ବିସ୍ଫୋରଣକାରୀ ଏବଂ ୯ ଟି ହେଲିକପ୍ଟର ଥିଲା।

ଗତ ବର୍ଷ ଚାଇନା ୨୩୯ ଦିନରେ ତାଇୱାନର ସୀମାରେ ୯୬୧ ଥର ଅନୁପ୍ରବେଶ କରିଥିଲା। ଚାଇନାର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ସାଧାରଣ ନାଗରିକଙ୍କ ପାଇଁ ୨୮ ପୃଷ୍ଠାର ହ୍ୟାଣ୍ଡବୁକ ପ୍ରକାଶ କରିଛି। ସେଥିରେ ସାମରିକ ସଙ୍କଟ କିମ୍ବା ବିପର୍ଯ୍ୟୟ ସମୟରେ କଣ କରିବା ଉଚିତ ଏବଂ କଣ କରିବା ଉଚିତ ନୁହେଁ ତାହା କୁହାଯାଇଛି। ମୋବାଇଲ ଆପ ବ୍ୟବହାର କରି ଆକ୍ରମଣ ସମୟରେ କିପରି ଏକ ସୁରକ୍ଷିତ ସ୍ଥାନ ପାଇବେ। ଏୟାର ଷ୍ଟ୍ରାଇକ, ଅଗ୍ନିକାଣ୍ଡ, ବିଲ୍ଡିଂ ଭୁଶୁଡ଼ିବା, ବିଦ୍ୟୁତ୍‌ ସରବରାହ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ନିଜକୁ କିପରି ରକ୍ଷା କରିବେ ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।

ଚାଇନାର ଦକ୍ଷିଣ ପୂର୍ବ ଉପକୂଳଠାରୁ ତାଇୱାନ ପ୍ରାୟ ୧୦୦ ମାଇଲ ଦୂରରେ ଅବସ୍ଥିତ। ଏହା ନିଜକୁ ଏକ ସ୍ବାଧୀନ ଦେଶ ବୋଲି ବିବେଚନା କରେ। ଯେତେବେଳେ କି ଚାଇନା ଏହାକୁ ଏହାର ପ୍ରଦେଶ ଭାବରେ ବିବେଚନା କରେ ଏବଂ ବିଶ୍ୱାସ କରେ ଯେ ଦିନେ ଏହା ପୁଣି ଚାଇନାର ଅଂଶ ହେବ। ତାଇୱାନରେ ଆମେରିକାର ଅନେକ ସମର୍ଥକଙ୍କ ଉପସ୍ଥିତିକୁ ମଧ୍ୟ ଚାଇନା ବିରୋଧ କରୁଛି। ଏଭଳି ଉତ୍ତେଜନା ଯୋଗୁ ଉଭୟଙ୍କ ମଧ୍ୟରେ ଯୁଦ୍ଧ ସଙ୍କଟ ଘନେଇବାରେ ଲାଗିଛି।

Share