ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ପ୍ରାୟ ୯୪ରୁ ଊଦ୍ଧର୍ବ ହାତୀ ଥିବା ଜଣାପଡ଼ିଛି। ସନ୍ଧ୍ୟା ହେଲେ ହାତୀପଲ ଜଙ୍ଗଲରୁ ବାହାରି ଚାଷଜମିରେ ପଶି ଧାନ ଫସଲ ନଷ୍ଟ କରୁଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି।
ମୂଜାଗଡ଼ ରେଞ୍ଜ ଅନ୍ତର୍ଗତ ମହାଗୁଡ଼ା ବିନ୍ଧାଣୀ ସାହିର ଚାଷୀ ତ୍ରିଲୋଚନ ମୂଳି ଓ ପ୍ରଫୁଲ୍ଲ ମୂଳିଙ୍କ ଧାନ ଫସଲ ରବିବାର ଓ ସୋମବାର ରାତିରେ ଦୁଇଦିନ ହାତୀପଲ ପଶି ନଷ୍ଟ କରିଥିବା ଜଣାପଡ଼ିଛି। ପ୍ରାୟ ୧୫ ଭରଣରୁ ଉର୍ଦ୍ଧ୍ୱ ଜମିର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଏଥିସହ ଡ଼ାଙ୍ଗୁଆପଲ୍ଲୀ ଓ ଲଙ୍ଗଳଖୋଳା ଗ୍ରାମର ଏକାଧିକ ଚାଷୀଙ୍କ ଧାନ ଫସଲ ମଧ୍ୟ ହାତୀପଲ ନଷ୍ଟ କରିଛନ୍ତି।
ହାତୀଙ୍କ ଉପଦ୍ରବ ରୋକିବା ସହ ସେମାନଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବା ପାଇଁ ବନ ବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି। ତେବେ ଅନେକ ସମୟରେ ହାତୀପଲକୁ ଜଙ୍ଗଲକୁ ଘଉଡ଼ାଇବାରେ ବନ କର୍ମଚାରୀ ବିଫଳ ହେଉଛନ୍ତି। ଫଳରେ ଚାଷୀଙ୍କ ଫସଲ ସୁରକ୍ଷା ଓ କ୍ଷୟକ୍ଷତିର ଭରଣାକୁ ନେଇ ଚିନ୍ତା ବଢ଼ିଛି। ଅନ୍ୟପକ୍ଷରେ, ଜଙ୍ଗଲ ଭିତରକୁ ଲୋକଙ୍କ ଅବାଧ ପ୍ରବେଶ ଯୋଗୁ କେତେକ ସ୍ଥାନରେ ବନ୍ୟପ୍ରାଣୀମାନେ ଭୟଭୀତ ହୋଇ ଅନେକ ସମୟରେ ଜଙ୍ଗଲ ବାହାରକୁ ଚାଲି ଆସୁଥିବା ଜଣାପଡ଼ିଛି। ହାତୀ ମଣିଷ ଉଭୟ କିଭଳି ସୁରକ୍ଷିତ ରହିବେ। ସେଥିପାଇଁ ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଦୈନନ୍ଦିନ ସମୀକ୍ଷା କରୁଛନ୍ତି। ଏଥିସହ ବନ ବିଭାଗ କର୍ମଚାରୀମାନେ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ପହଞ୍ଚି ଲୋକଙ୍କୁ ସଚେତନ କରୁଛନ୍ତି।