୯୩୬ ଲିଟର ନକଲି ମଦ ଜବତ

ରାଉରକେଲା ଅଫିସ,୧୧।୧୨: ବିଶ୍ରା ଥାନା ଅଧୀନ ଫୁଲଝର ଅଞ୍ଚଳରେ ମଦ କାରବାର ହେଉଥିବା ବେଳେ ରାଉରକେଲା ଅବକାରୀ ପୋଲିସ ରବିବାର ଚଢାଉ କରିଛି। ଚଢାଉ ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପବନ କୁମାର ମିତଲ ଓ ସୁରେନ୍ଦ୍ର ବାଡାଇକ। ସେମାନଙ୍କଠାରୁ ୯୩୬ ଲିଟର ନକଲି ମଦ, ୧୨୪୮ ମଦ ବୋତଲ ଓ ଏକ କାର୍‌ ଜବତ ହୋଇଛି। ଅବକାରୀ ମୋବାଇଲ ସ୍କ୍ବାଡ୍‌ର ଭାରପ୍ରାପ୍ତ ଅଫିସର ଶ୍ରୀଧର ମହାନ୍ତି ଏକ ମାମଲା (ନଂ.୩୩୬।୨୨) ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ବିଶ୍ରା ଥାନା ଅନ୍ତର୍ଗତ ଫୁଲଝର ଅଞ୍ଚଳରେ ସୁରେନ୍ଦ୍ରଙ୍କର ଏକ ଘରୋଇ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟଟି ବହୁ ଦିନ ଧରି ବନ୍ଦ ପଡିଥିବା ବେଳେ ତାକୁ ସେ ପବନଙ୍କୁ ଭଡାରେ ରହିବାକୁ ଦେଇଥିଲେ। ପବନ ଏହି ଘରେ ରହି ଝାଡ଼ଖଣ୍ଡର ରାଞ୍ଚତ୍ରୁ ନକଲି ମଦ କିଣି ସୁରେନ୍ଦ୍ରଙ୍କ ସହ ମିଶି କାରବାର କରୁଥିଲେ। ଏ ନେଇ ରାଉରକେଲା ଅବକାରୀ ଡିଏସ୍‌ପି ଶେଖ୍‌ ଆସିଫ ଅଲ୍ଲୀ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କୁ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଅବକାରୀ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ରବିବାର ଚଢାଉ କରିଥିଲା। ମାନସ ରଞ୍ଜନ ମୁଣ୍ଡା, ଗାଙ୍ଗୁମଣି ହେମରମ, ଆକାଶ ସାହୁ, ତେଜରାତ ଗିରି, ଅଜୟ ସାହୁ, ସୂର୍ଯ୍ୟକାନ୍ତ ସ୍ବାଇଁ, ସପନ ସାହୁ, ସୁନିତା କେରକେଟ୍ଟା, ସଞ୍ଜୟ ମୁକ୍ତା, ବିଜୟ ଜେନା, ଶ୍ରୀନିବାସ ବିଶୋଇ ପ୍ରମୁଖ ଚଢାଉ ବେଳେ ଉପସ୍ଥିତ ଥିଲେ।