କାର ଭିତରୁ ରାଇଫଲ ସହ ୯୩ ହଜାର ଜବତ: ୩ ଜଣଙ୍କୁ କୋର୍ଟଚାଲାଣ

କେସିଙ୍ଗା,୧୫।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପୋଲିସ ଚେକିଂ ଚାଲିଥିବା ସମୟରେ ଗତକାଲି ଏକ ବେଆଇନ ଦେଶୀ ବନ୍ଧୁକ ସହ ୯୩ ହଜାର ଜବତ ହୋଇଛି। ଏହି ଘଟଣାରେ ପୋଲିସ ଭବାନୀପାଟଣା ଅଞ୍ଚଳର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁବାଷିଶ ପ୍ରଧାନ ଓରଫ କାଳିଆ ପ୍ରଧାନ, ଏନ. ଦାମୋଦର ରାଓ ଏବଂ ଚନ୍ଦନ ପଣ୍ଡା।
ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଏକ କଳା ରଙ୍ଗର ମହିନ୍ଦ୍ରା XUV4OO(OD08AD8122) ଇଲେକ୍ଟ୍ରିକ କାର୍‌ ଯୋଗେ ଆସୁଥିଲେ। ଅମାଠଠାରେ ପୁଲିସ ଗାଡ଼ିଟିକୁ ଅଟକାଇ ସନ୍ଦେହରେ ଯାଞ୍ଚ କରିବା ପରେ ସେଥିରୁ ଏକ ବେଆଇନ ଦେଶୀ ରାଇଫଲ ଏବଂ ନଗଦ ୯୩ ହଜାର ଟଙ୍କା ଜବତ କରାଯାଇଛି।
ପୋଲିସ ସମ୍ପୃକ୍ତ ଇଭି କାର୍‌ ଓ ମାରାତ୍ମକ ବନ୍ଧୁକ ସହ ଟଙ୍କା ଜବତ କରି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି। ତେବେ ଏହି ବେଆଇନ ବନ୍ଧୁକ ଧରି ଦାମୀ ଗାଡ଼ିରେ କାହିଁକି ଆସୁଥିଲେ ଜଣା ପଡି ନ ଥିଲାବେଳେ ଅଭିଯୁକ୍ତ କାଳିଆ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ତେବେ ପରସ୍ପର ବିରୋଧୀ ଗ୍ୟାଙ୍ଗ ପାଇଁ ଏଭଳି ହୋଇଥିବା ଆଲୋଚନା ହେଉଛି।

 

Dharitri – Odisha’s No.1 Odia Daily

 

Share