ଡ୍ରଗ୍‌ ଓଭରଡୋଜ ଯୋଗୁ ବର୍ଷକରେ ୯୩ ହଜାରଙ୍କ ଯାଇଛି ଜୀବନ…

ନ୍ୟୁୟର୍କ,୧୫।୭: କରୋନା ମହାମାରୀ ସଙ୍କଟ ସମୟରେ ଆମେରିକାରେ ଡ୍ରଗ୍‌ ଓଭରଡୋଜ୍‌ ଯୋଗୁ ଗତ ୨୦୨୦ ବର୍ଷରେ ରେକର୍ଡ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଛି। ଏହା ଯୋଗୁ ଦେଶରେ ୯୩ ହଜାର ୩୩୧ ଲୋକଙ୍କ ଜୀବନ ଯାଇଥିବା ଆମେରିକା ସରକାର ସୂଚନା ଦେଇଛନ୍ତି। ୨୦୧୯ରେ ଦେଶରେ ୭୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଡ୍ରଗ୍‌ ଓଭରଡୋଜ୍‌ ଯୋଗୁ ଘଟିଥିବା ଆମେରିକା ସରକାର କହିଛନ୍ତି। ଦେଶ ପୂର୍ବରୁ ଡ୍ରଗ୍‌ ଓଭରଡୋଜ୍‌ ସହିତ ଲଢ଼େଇ ଜାରି ରଖିଥିବାବେଳେ ଗତ ଦେଢ଼ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀ ସଂକ୍ରମଣ ଯୋଗୁ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି ବୋଲି ବ୍ରାଉନ୍‌ ବିଶ୍ୱବିଦ୍ୟାଳୟର ଗବେଷକ ବ୍ରାଣ୍ଡନ ମାର୍ଶଲ କହିଛନ୍ତି। ମାର୍ଶଲ ଦେଶରେ ଘଟୁଥିବା ଡ୍ରଗ୍‌ ଓଭରଡୋଜ୍‌ ମୃତ୍ୟୁ ଉପରେ ତୀକ୍ଷ୍‌ଣ ନଜର ରଖିଥାନ୍ତି। କରୋନା ମହାମାରୀ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ଦ୍ୱାରା ଲୋକେ ବାହାରକୁ ନ ଯାଇପାରି ଘରେ ରହି ବିସାଦରୁ ମୁକ୍ତି ପାଇଁ ନିଷିଧ ଘୋଷିତ ଅଫିମର ପ୍ରସ୍ତୁତ ଡ୍ରଗ୍‌ ସେବନ କରିବା ଦ୍ୱାରା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ସେମାନେ ନିଶା ଦ୍ରବ୍ୟଠାରୁ ଦୂରେଇ ରହିବା ଲାଗି ଠିକ ସମୟରେ ଆବଶ୍ୟକ ଚିକିତ୍ସା ମଧ୍ୟ ପାଇପାରି ନ ଥିବା ମାର୍ଶଲ କହିଛନ୍ତି। ଫେଣ୍ଟାନାୟଲ ଡ୍ରଗ୍ସ୍‌ ଯୋଗୁ ଗତ କିଛି ବର୍ଷ ମଧ୍ୟରେ ଆମେରିକାରେ ୬୯,୭୧୦ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ମେଥାମ୍ଫିଟାମାଇନ୍‌ ଯୋଗୁ ମୃତ୍ୟୁ ସଂଖ୍ୟା ବଢୁଛି। ଏଭଳି ମୃତକଙ୍କ ସଂଖ୍ୟା ଭେରମଣ୍ଟ୍‌, କେଣ୍ଟୁକେ, ଦକ୍ଷିଣ କାରୋଲିନା, ପଶ୍ଚିମ ଭର୍ଜିନିଆ, କାଲିଫର୍ନିଆ ଆଦି ଅଞ୍ଚଳରେ ଅଧିକ ରହୁଛି। ଡାକ୍ତରଙ୍କ ପରାମର୍ଶ ତଥା ବିନା ପରାମର୍ଶରେ ଅଫିମରୁ ପ୍ରସ୍ତୁତ ଡ୍ରଗ୍‌ ସେବନ କରି ଦେଶରେ ୧୯୯୯ଠାରୁ ୫ ଲକ୍ଷ ଲୋକଙ୍କ ଜୀନ ଯାଇଥିବା ମାର୍ଶଲ କହିଛନ୍ତି।

Share