କର୍ଲାମୁଣ୍ଡା,୧୬ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ପରିସର ରାଜୀବ ଗାନ୍ଧୀ ସେବା ଭବନଠାରେ ସୋମବାର ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଜିଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, କେସିଙ୍ଗା ଏସ୍ଡିପିଓ ସମ୍ବିତ କୁମାର ମାଝୀ, ବିଡିଓ ଦେବେନ୍ଦ୍ର ସାମଲ, ଜିଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ପରିଡ଼ା, ବ୍ଲକ୍ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ସହକାରୀ ଯନ୍ତ୍ରୀ ସନ୍ଦୀପ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ଶିବିରରେ ମୋଟ ୯୩ଜଣ ଆବେଦନକାରୀ ଅଭିଯୋଗପତ୍ର ଦାଖଲ କରିଥିଲେ। ବ୍ଲକ୍ର କୁଶୁର୍ଲା କଲୋନିପଡାରେ ଦୀର୍ଘ ୩୭ବର୍ଷ ଧରି ୧୬ ପରିବାର ଘର ପାଇ ବସବାସ କରୁଥିଲେ ହେଁ ସ୍ଥାୟୀ ପଟ୍ଟା ନ ପାଇବା, ରିଷିଡାର ଦକ୍ଷଶୀଳ ସେଠ ନାମକ ଚାଷୀ ଉଦ୍ୟାନ ବିଭାଗରୁ ଦେଢ଼ ଏକର ଜାଗାରେ ଆମ୍ବ ବଗିଚା କରି ସହାୟତା ରାଶି ପାଇ ନ ଥିବା, ସିଲେଟପଡ଼ାଠାରୁ କୁଶୁର୍ଲା ରାସ୍ତା ମରଣଯନ୍ତା ପାଲଟିଥିବା, ମୃତ୍ତିକା ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ପାଇ ଚହଲା ଖୋଳି ହିତାଧିକାରୀ ପଇସା ପାଇ ନ ଥିବା ଇତ୍ୟାଦି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ତେବେ ଜିଲାପାଳ କିମ୍ବା ଏସ୍ପି ଶିବିରରେ ଯୋଗଦେଇ ନ ଥିବାରୁ ଜନ ଅସନ୍ତୋଷ ଦେଖାଦେଇଥିଲା।


